ଦେବଗଡ଼ ବିଜେଡି କୁ ଝଟକା : ଆଗତ ହେଲାନି ଅନସ୍ଥା ପ୍ରସ୍ତାବ

ଦେବଗଡ଼: (କୋଶଲ ନ୍ୟୁଜ) ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ହାତେଇବାକୁ ଦେବଗଡ଼ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେପିର ଛକାପଞ୍ଝା ମଧ୍ୟରେ ଆଜି ଜିଲ୍ଲା ବିଜେଡ଼ିକୁ ବଡ ଝଟକା ଲାଗିଛି । ବିଜେଡି ପକ୍ଷରୁ ରିଆମାଳ ବ୍ଲକର ନିର୍ଦଳୀୟ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ଆଗତ ହୋଇପାରି ନାହିଁ । ଗତ କିଛି ଦିନ ଧରି ରିଆମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହାତୀ ଓ ବ୍ଲକ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟ ଓ ବିଡ଼ିଓ ଦିବ୍ୟଶଙ୍କର ଜୟପୁରୀଆଙ୍କ ମଧ୍ୟରେ ପଞ୍ଚାୟତ ସମିତିର ସୁଧ ଟଙ୍କାର ବିନିଯୋଗ ନେଇ ବିବାଦ ଲାଗିରହିଥିଲା । ଏହାର ସୁଯୋଗରେ ପ୍ରଶାସନିକ ଅଧିକାରୀଙ୍କ ଚାପ ଓ କେତେକ ନିର୍ବାଚିତ ପ୍ରତିନିଧିଙ୍କ ଇଙ୍ଗିତରେ ସମିତି ବୈଠକରେ ଅଧ୍ୟାକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପୂର୍ବାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସ୍ଵୀକୃତିପ୍ରାପ୍ତ ଅଧିକାରୀ ଭାବେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ ମାଜିଷ୍ଟ୍ରେଟ ଦାୟିତ୍ବରେ ରିଆମାଳ ତହସିଲଦାର ବିମଳା ବିରୁଳି ଉପଖଣ୍ଡ ପଞ୍ଚାୟତ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଓ ରିଆମାଳ ବିଡ଼ିଓ ଦିବ୍ୟଶଙ୍କର ଜୟପୁରୀଆଙ୍କ ଉପସ୍ଥିତିରେ ବ୍ଲକ ସମ୍ମିଳନୀ କକ୍ଷରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରାଯାଇଥିଲା ।

ରିଆମାଳ ପଞ୍ଚାୟତ ସମିତିର ମୋଟ ୫୪ ଜଣ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ଅଧ୍ୟକ୍ଷା ଶ୍ରୀମତୀ ହାତୀଙ୍କୁ ଛାଡ଼ି ଅନ୍ୟ କୈାଣସି ଜଣେ ମଧ୍ୟ ସଦସ୍ୟ ଉପସ୍ଥିତ ନ ହେବାରୁ ଦୀର୍ଘ ସମୟ ପ୍ରତିକ୍ଷା ପରେ ନିର୍ବାଚନ ପରିଚାଳନା ଅଧିକାରୀ ସମସ୍ତ ବିବରଣୀ ଉଲ୍ଲେଖ କରି ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ । ନିର୍ବାଚିତ ସମୟ ଅବଧି ପୁରଣ ହେବା ପରେ ଦେବଗଡ଼ ଜିଲ୍ଲା ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ ବିଜେପି କର୍ମୀ ବ୍ଲକ୍ ପରିସରରେ ଉପସ୍ଥିତ ହୋଇ ଉପାଧ୍ୟକ୍ଷ ଓ ବିଡ଼ିଓଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ନିର୍ଦଳିୟ ଅଧ୍ୟକ୍ଷା ଶ୍ରୀମତୀ ରିତାଞ୍ଜଳୀ ହାତୀଙ୍କୁ ସମର୍ଥନ କରିଥିଲେ । ଏହି ଅବସରରେ ଖୁବଶିଘ୍ର ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Comments
Loading...