ଅନଲାଇନରୁ ବଞ୍ଚିତ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା

କଳାହାଣ୍ଡି (କୋଶଲ ନ୍ୟୁଜ୍) ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ୟୁନିସେଫ ସହାୟତାରେ ଶିକ୍ଷାଦାନ କରାଯିବ। ଏଥିନିମନ୍ତେ ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,କଳାହାଣ୍ଡି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୃନ୍ଦାବନ ସାହୁଙ୍କୁ ନିର୍ଦ୍ଦେଶ ହୋଇଛି। ସମସ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ନେଇ ଜିଲ୍ଲାରେ ଦୁଇଟି ପ୍ରଶିକ୍ଷଣ ଅନୁଷ୍ଠାନ ମାଧ୍ୟମରେ ଦ୍ବିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ମାତୃଭାଷା ଓ ଗଣିତ ବିଷୟରେ ଶିକ୍ଷାଦାନ କରାଯିବା ପାଇଁ ଡିଆଇଇଟି ର ପ୍ରଥମ ବର୍ଷ ୯୬ ଓ ଦ୍ୱିତୀୟ ବର୍ଷ ୯୩, ମୋଟ ୧୮୯ ଗୁରୁଛାତ୍ରଛାତ୍ରୀମାନଙ୍କୁ ନିଜ ଗାଁ ରେ ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ହୋଇଛି।ଏହି କାର୍ଯ୍ୟକ୍ରମକୁ ତତ୍ୱାବଧାନ କରିବା ପାଇଁ ଜିଲ୍ଲାର ସମଗ୍ର ୧୩ଟି ବ୍ଲକରେ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା କଳାହାଣ୍ଡି ଜିଲ୍ଲାର ସମସ୍ତ ବିଦ୍ୟାର୍ଥୀ ଏଵଂ ଡିଆଇଇଟି ର ଗୁରୁଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ଡିଆଇଇଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୃନ୍ଦାବନ ସାହୁ ସୂଚନା ଦେଇଛନ୍ତି। ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ବିଭିନ୍ନ ବ୍ଲକକୁ ଯାଇ ଗୁରୁଛାତ୍ରଛାତ୍ରୀମାନଙ୍କୁ ସହଯୋଗ କରିବା ସହ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆନନ୍ଦଦାୟକ ଶିକ୍ଷା ପ୍ରଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ୧୮୯ ଜଣ ଗୁରୁଛାତ୍ରଛାତ୍ରୀ ପ୍ରତ୍ୟେକ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀମାନଙ୍କୁ ଦୈନିକ ଦୁଇ ଘଣ୍ଟା ଶିକ୍ଷାଦାନ କରୁଛନ୍ତି। ଶିକ୍ଷକ-ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା,ରାଜେଶ କୁମାର ଭୋଇ, ନରୋତ୍ତମ ଭୋଇ,ରାମଚନ୍ଦ୍ର ବାଗ,ଅରୁଣ କୁମାର ଭୋଇ, ସୁନିତା ଦୁର୍ଗା,ନିହାରିକା ଦେବୀ,ବିଜିଲି ଏକା, ମମିତା ଦୋରା,ଅଚ୍ୟୁତ ମଲ୍ଲିକ ସମସ୍ତେ କଳାହାଣ୍ଡି ଜିଲ୍ଲା ର ୧୩ ଟି ବ୍ଲକ ଯାଇ ଗୁରୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସହିତ ସହଯୋଗ କରୁଛନ୍ତି ।

Comments
Loading...