ଜୟ ଶ୍ରୀ ରାମ ଓ ବିଜେପି ନାରାରେ ରାଗିଲେ ମମତା ବାନାର୍ଜୀ | ସଭାକୁ ଡାକି ବେଜ୍ଜିତ୍ କରିବା ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ

କୋଶଲ ନ୍ୟୁଜ୍ ବ୍ୟୁରୋ : କୋଲକାତା : ଶନିବାର ସ୍ୱାଧୀନତା ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ସ୍ମୃତିରେ ଏକ ଡାକ ଟିକେଟ ଜାରି କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସମୟରେ ମମତାଙ୍କୁ ମଞ୍ଚରେ କହିବା ପାଇଁ ଡକାଯାଇଥିବା ବେଳେ ଲୋକଙ୍କର ସ୍ଲୋଗାନରେ ସେ ବିରକ୍ତ ହୋଇଥିଲେ । ଏହା ପରେ ସେ ତାଙ୍କର ଅଭିଭାଷଣ ନରଖି ମଞ୍ଚ ଛାଡ଼ିଦେଇଥିଲେ ।

ଆଜି କୋଲକାତାର ଭିକ୍ଟୋରିଆ ମେମୋରିଆଲରେ କେନ୍ଦ୍ର ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏକ ଡାକ ଟିକେଟ୍ ଜାରି କରିବା ପରେ ମଞ୍ଚ ପରିଚାଳକ ମମତା ବାନାର୍ଜୀଙ୍କୁ ଅଭିଭାଷଣ ରଖିବାକୁ ଆମନ୍ତ୍ରଣ କରିଥିଲେ । ଏହି ସମୟରେ ଉପସ୍ଥିତ ଲୋକମାନେ ଜୟ ଶ୍ରୀ ରାମ ଏବଂ ବିଜେପି ସପକ୍ଷରେ ସ୍ଲୋଗାନ ଦେଇଥିଲେ । ଏଥିରେ ମମତା ବାନାର୍ଜୀ କ୍ରୋଧିତ ହୋଇଥିଲେ । ସେ ରାଗିଯାଇ କହିଥିଲେ, ‘ଏହା କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ । ଏହା ହେଉଛି ସରକାରଙ୍କ କାର୍ଯ୍ୟକ୍ରମ ଏବଂ ସରକାରଙ୍କ କାର୍ଯ୍ୟକ୍ରମର ଗରିମା ରହିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଉଛି । କିନ୍ତୁ କୌଣସି ବ୍ୟକ୍ତିକୁ ନିମନ୍ତ୍ରଣ କରି ବେଜ୍ଜିତ୍ କରିବା ଶୋଭା ଦେଉନାହିଁ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ‘ମୁଁ ଏହାକୁ ବିରୋଧ କରି ମୋର କୌଣସି ବକ୍ତବ୍ୟ ରଖିବି ନାହିଁ । ଜୟ ଭାରତ, ଜୟ ବଙ୍ଗଳା ।
‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ କୋଲକାତାରେ ପହଞ୍ଚି ସେ ଜାତୀୟ ପାଠାଗାର ପରିଦର୍ଶନ କରିଥିଲେ । ମମତା ବାନାର୍ଜୀ ବକ୍ତବ୍ୟ ଦେବାକୁ ମନା କରିବା ପରେ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି, ନେତାଜୀଙ୍କୁ ବ୍ୟାଖ୍ୟା କରିବାକୁ ଶବ୍ଦ କମ୍ ପଡ଼ିଯିବ । ନେତାଜୀଙ୍କ ପରି ଦୂରଦୃଷ୍ଟି ହେବା ପାଇଁ ନେକ ଜନ୍ମ ନେବାକୁ ହେବ । ସେ ଆହୁରି ମଧ୍ୟ କହିଛନ୍ତି, ନେତାଜୀ ଦୁନିଆର ସବୁଠାରୁ ବଡ଼ ଶକ୍ତି ସାମ୍ନାରେ ଛିଡ଼ା ହୋଇ କହିଥିଲେ ଯେ ମୁଁ ତୁମଠାରୁ ସ୍ୱାଧୀନତା ମାଗିବି ନାହିଁ, ମୁଁ ଏହାକୁ ଛଡ଼ାଇ ନେବି । ଆଜି ଦିନରେ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ହୋଇନଥିଲା, ବରଂ ଭାରତର ଆତ୍ମ ସମ୍ମାନର ଜନ୍ମ ହୋଇଥିଲା । ନୂଆ କୌଶଳର ଜନ୍ମ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Comments
Loading...