୨୪ ଘଣ୍ଟା ଭିତରେ ମାଲପଡା ହତ୍ୟାକାଣ୍ଡ ଘଟଣାର ପର୍‌ଦାଫାଶ କଲା ଖପ୍ରାଖୋଲ ପୋଲିସ : ଦୁଇ ଅଭିଯୁକ୍ତ ଗିରଫ କୋର୍ଟ ଚାଲାଣ

ପାଟଣାଗଡ ୦୩/୦୪ ( କୋଶଲ ନ୍ୟୁଜ୍ ) : ଖପ୍ରାଖୋଲ ଥାନା ଧଣ୍ଡମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗାଁରେ ମାର୍ଚ୍ଚ ମାସ ୨୯ ତାରିଖ ରାତି ୧୨ଟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ ମାନଙ୍କୁ ଚବିଶ ଘଣ୍ଟା ଭିତରେ ଖପ୍ରାଖୋଲ ପୋଲିସ ଧରିବାରେ ସଫଳତା ହାସଳ କରି ଘଟଣାର ପର୍‌ଦାଫାଶ କରିଛି । ଗତ ମାର୍ଚ୍ଚ ମାସ ୨୯ ତାରିଖ ମଧ୍ୟ ରାତ୍ରିରେ ମାଳପଡ଼ା ଗ୍ରାମର ଛତ୍ରପାଲ ମଲ୍ଲିକ(୭୪)ଙ୍କୁ ଟାଙ୍ଗିଆରେ ହତ୍ୟା କରି ଘର କବାଟକୁ ବାହାରୁ କିଳି ଫେରାର୍‌ ମାରିଥିଲେ ହତ୍ୟାକାରୀ । ହତ୍ୟାକାଣ୍ଡର ଚାରି ଦିନ ବିତିଯାଇଥିଲେ ସୁଦ୍ଧା ପରିବାର ଲୋକ କିମ୍ବା ସାହି ପଡିଶା ଲୋକ କେହି ଜାଣିପାରିନଥିଲେ । ୨ ତାରିଖ ଦିନ ମୃତକଙ୍କ ଘର ଭିତରୁ ନାକଫଟା ଦୁର୍ଗନ୍ଧ ବାହାରୁ ଥିବାରୁ ପୋଲିସକୁ ଖବର କରିଥିଲେ ପରିବାର ଲୋକେ । ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିଥିଲା ପୋଲିସ । ବନ୍ଦ ଘରର କବାଟ ଖୋଲି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବୃଦ୍ଧଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ପରେ ତନାଘନା ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବଲାଙ୍ଗିର ରୁ ଆସି ସାଇନ୍‌ଟିଫିକ୍‌ ଦଳ ଏବଂ କେ-୯ ସ୍କ୍ୱାର୍ଡ଼ ସ୍ୱାନ ପେନି ଘଟଣାର ଟିକିନିଖି ଯାଞ୍ଚ କରିଥିବା ବେଳେ ସ୍ୱାନ ପେନି ହତ୍ୟାକାରୀଙ୍କ ଘରକୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲା । ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କ ପ୍ରତିନିଧିତ୍ୱରେ ଏକ ପୋଲିସ ଟିମ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ୨୪ ଘଣ୍ଟା ମଧ୍ୟରେ ଘଟଣାରେ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ମାଲପଡା ଗ୍ରାମର ଅନି ଓରଫ୍‌ ଅନିରୁଦ୍ଧ କୁଅଁର(୧୯) ଏବଂ ଗଜାଧର ଓରଫ୍‌ ଗଜାନନ୍ଦ ଭୋଇ(୧୯) ବୋଲି ଜଣାପଡିଛି । ଅଭିଯୁକ୍ତ ଅନିରୁଦ୍ଧ କହିବା ଅନୁଯାୟୀ ସେ ସନ୍ଧ୍ୟା ସମୟରେ ମୃତକଙ୍କ ଘର ସମ୍ମୁଖରେ ଥିବା ବରଗଛ ତଳେ କୌଣସି ଝିଅ ସାଙ୍ଗ ସହିତ ଫୋନ୍‌ରେ ପାଟିତୁଣ୍ଡ କରୁଥିଲା । ସେହି ସମୟରେ ମୃତକ ଛତ୍ରପାଲ ଅନିକୁ ପାଟିତୁଣ୍ଡ କରିବାକୁ ମନା କରିଥିଲେ । ଏନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ସାମାନ୍ୟ କଥାକୁ ନେଇ ଅନିରୁଦ୍ଧ କୁଅଁର ରାତିଅଧରେ ମୃତକ ଛତ୍ରପାଲଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇ ତା’ ସାଙ୍ଗକୁ ଫୋନ୍‌ କରି ଡାକିଥିଲା । ପରେ ଦୁଇଜଣ ଅଭିଯୁକ୍ତ ମୃତକଙ୍କୁ ଘର ଭିତରେ ଛାଡିଦେଇ ବାହାରପଟୁ ତାଲା ମାରି ଫେରାର୍‌ ହୋଇଯାଇଥିଲେ ।

ଆଜି ଖପ୍ରାଖୋଲ ପୋଲିସ ଅଭିଯୁକ୍ତ ଅନିରୁଦ୍ଧକୁ ସାଙ୍ଗରେ ନେଇ ମାଲପଡା ଗ୍ରାମରେ ସିନ ରିକ୍ରିଏସନ୍‌ କରିଥିବା ବେଳେ ଘଟଣାସ୍ଥଳରୁ କିଛି ଦୂରରେ ହତ୍ୟାକାରୀ ଫିଙ୍ଗିଦେଇଥିବା ଟାଙ୍ଗିଆକୁ ଜବତ୍‌ କରିଛି । ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୯୧/୨୦୨୪ ରେ ଭାରତୀୟ ପେନାଲ୍‌ କୋର୍ଡ ଧାରା ୩୦୨/୨୦୧/୧୨୦ବି ଅନୁଯାୟୀ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କେସ୍‌ ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Comments
Loading...