ମୂଲ୍ୟବାନ ଶାଳ ଗଛ କାଟି ଜଣେ ଗିରଫ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):-ତୁମୁଡିବନ୍ଧ ବନବିଭାଗର କଠୋର କାର୍ଯ୍ୟାନୁଷ୍ଠାନରେ କାଠ ମାଫିଆ ଓ ଅସାଧୁ ବ୍ୟକ୍ତିଙ୍କ ମନରେ ଛନକା ପଶିଛି l ଗୁରୁବାର ଦିନ ତୁମୁଡିବନ୍ଧ ବନାଞ୍ଚଳ ଅନ୍ତର୍ଗତ କୁର୍ତମଗଡ଼ ବନକ୍ଷେତ୍ର ପରମପାଙ୍ଗା ଗ୍ରାମ ନିକଟସ୍ଥ କୁର୍ତମଗଡ଼ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ କାଠ ମାଫିଆ ରାତ୍ରି ୯ ଘଣ୍ଟା ସମୟରେ ୫୯ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ବିଶାଳକାୟ ଶାଳ ଗଛ କାଟିଥିବା ବେଳେ ପେଟ୍ରୋଲିଙ୍ଗ କରୁଥିବା ବନ କର୍ମଚାରୀଙ୍କ ହାତରେ ଧରା ପଡ଼ିଥିଲେ l ଆସାମୀଙ୍କୁ ଗିରଫ କରିବା ପରେ ତାଙ୍କ ନିକଟରୁ ଏକ ଗୋଟି ଟାଙ୍ଗିଆ ଜବତ କରାଯାଇଥିବା ବେଳେ ଘଟଣା ସ୍ଥଳରୁ ୫ ଫୁଟ ଗୋଳେଇ ଓ ୫୦ ଫୁଟ ଲମ୍ବା ବିଶିଷ୍ଟ ଏକ ଶାଳ ଗଣ୍ଡି ଜବତ କରାଯାଇଥିବା ନେଇ ବନ ବିଭାଗ ସୂଚନା ଦେଇଛି l ଆସାମୀଙ୍କ ନାମ ଫିଲିମନ ଦିଗାଳ, ବୟଷ ୩୦ ବର୍ଷ, ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ପୋଷ୍ଟ ର ମାଜାମାହା ଗ୍ରାମ ଅଟେ l ବନରକ୍ଷୀ ରଜନୀକାନ୍ତ ଛୋଟରାୟ ଆସାମୀଙ୍କୁ ଗିରଫ କରିଥିବା ବେଳେ ବନପାଳ ମନ୍ମଥ ପରିଚ୍ଛା, ୱାଚର ଅନନ୍ତ ଦିଗାଳ ଓ ଜ୍ଞାନଚାନ୍ଦ ମାଝୀ ଘଟଣା ସ୍ଥଳରେ ସହଯୋଗ ପୂର୍ବକ ଉପସ୍ଥିତ ଥିଲେ l ଏହି ସଂକ୍ରାନ୍ତରେ ତୁମୁଡିବନ୍ଧ ବନବିଭାଗ ଦ୍ୱାରା ଓଆର ୦୫/୨୦୨୪-୨୫ ଅନୁଯାଇ ଏକ ମାମଲା ଦାଏର କରି ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା ସୂଚନା ଦେଇଛନ୍ତି l ଆସାମୀ ଜଣକ କାଠ ପଟ୍ଟା କାଟି ବ୍ୟବସାୟ କରିବା ଉଧେଶ୍ୟରେ ଏହି ଶାଳ ଗଛ କାଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ବନପାଳ ମନ୍ମଥ ପରିଚ୍ଛା ସୂଚନା ଦେଇଛନ୍ତି l
ରିପୋର୍ଟ – ପବିତ୍ର ଦିଗାଳ

Comments
Loading...