ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଏଣୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ କହିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ଦ୍ୱିତୀୟ ଲହର କରୋନା ସଂକ୍ରମଣ ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟ ଲକଡାଉନ, ନାଇଟ କର୍ଫ୍ୟ ଭଳି କଟକଣା ଆପଣେଇଲେଣି। ଆମେ କୋଭିଡ ନିୟମ ମାନିଲେ ସଂକ୍ରମଣକୁ ରୋକିପାରିବା। ଏଣୁ ଆଗାମୀ ୧୪ ଦିନ ଯାଏଁ ମାସ୍କ ଅଭିଯାନ ଆରମ୍ଭ କରିବା। ବିନା ମାସ୍କରେ ଘରୁ ବାହାରିବା ନାହିଁ ବୋଲି ସଂକଳ୍ପ ନେବା‘‘।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମାସ୍କ ବେକରେ ଝୁଲାଇ ନୁହେଁ ମୁହଁରେ ସମସ୍ତେ ପିନ୍ଧନ୍ତୁ। ବାହାରେ ସରକାର ଜଗିଛନ୍ତି, ଘରେ ମା’ମାନେ ଜଗନ୍ତୁ। ପରିବାର ଲୋକ ବାହାରକୁ ଯାଉଥିଲେ ପ୍ରଥମେ ତାଙ୍କୁ ମାସ୍କ ପିନ୍ଧି ଯିବାକୁ କହନ୍ତୁ। ମା’ମାନେ ସତର୍କ ହେଲେ କରୋନା ଘରକୁ ଆସିପାରିବନି।
ସେହିପରି ଯେଉଁମାନେ ଅମାନିଆ ହେଉଛନ୍ତି ଓ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ନ ପିନ୍ଧିଲେ ୨ ଗୁଣା ଅଧିକ ଫାଇନ ଆଦାୟ କରାଯିବ ବୋଲି ସେ କହିଛନ୍ତି।
ଗତ ଏକ ବର୍ଷ ହେଲା ସାରାବିଶ୍ୱ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି। ମାନବ ଇତିହାସରେ ଏଭଳି ସଙ୍କଟ କେବେ ବି ଆସିନଥିଲା। ତେଣୁ ଏହି ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ହିଁ ସୁରକ୍ଷା କବଚ। ଆମେ ସଚେତନ ରହିଲେ ପୂର୍ବଭଳି ବାରମ୍ବାର ଆଉ ଲକଡାଉନ, ସଟଡାଉନ କରିବାକୁ ପଡ଼ିବ ନାହିଁ।
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Comments