ନବରଙ୍ଗପୁର ଜିଲା ପାଇଁ ଆଗାମୀ ଦିନରେ ଅସୁବିଧା ବଡାଇବେ ଗାଁ ମୁହାଁ ଦାଦନ ଶ୍ରମିକ

ନବରଙ୍ଗପୁର: ଓଡିଶା ସରକାର ପଡୋଶୀ ଛତିଶଗଡ ରାଜ୍ୟର ମହାମାରୀ କରୋନାର ଦ୍ୱିତୀୟ ଲହରୀର ଭୟାବହତାକୁ ଦୃଷ୍ଟିରେ ରଖି ଗତ ୧୯ରୁ ଛତିଶଗଡ ସମେତ ସମସ୍ତ ପଡୋଶୀ ରାଜ୍ୟକୁ ଚଳାଚଳ କରୁଥିବା ଆନ୍ତଃରାଜ୍ୟ ବସ୍‍ ଚଳାଚଳ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହାଦ୍ୱାରା ପଡୋଶୀ ଛତିଶଗଡ ସମେତ ଆନ୍ଧ୍ର ଓ ତେଲେଙ୍ଗାନା ସମେତ ଅନ୍ୟାନ୍ୟ ରାଜ୍ୟକୁ ସମସ୍ତ ଆନ୍ତଃରାଜ୍ୟ ଓ ଅଲ୍‍ ଇଣ୍ଡିଆ ଟୁରିଷ୍ଟ ପରମିଟ ବସ ଚଳାଚଳ ବନ୍ଦ ରହିଛି। ତେବେ ଯାତ୍ରୀ ନେଇ ଯାତାୟତ କରୁଥିବା ସମସ୍ତ ବସ ଚଳାଚଳ ସମ୍ପୂର୍ଣ୍ଣ ରୁପେ ବନ୍ଦ ରହିଥିଲେ ମଧ୍ୟ ନବରଙ୍ଗପୁର ଜିଲ୍ଲା ସମେତ ନୂଆପଡା ଓ କଳାହାଣ୍ଡି ଜିଲ୍ଲାରୁ ଜୟପୁର ଓ ମାଲକାନଗିରି ଦେଇ ଆନ୍ଧ୍ରର ବିଜୟୱାଡା ଓ ତେଲେଙ୍ଗାନାର ହାଇଦ୍ରାବାଦକୁ ରାତିଅଧିଆ ଯାତ୍ରୀଙ୍କ ଯାତାୟତ ପ୍ରାୟ ସ୍ୱାଭାବିକ ରହିଥିବା ଜଣାଯାଇଛି।

ଅଲ ଇଣ୍ଡିଆ ଟୁରିଷ୍ଟ ପରମିଟ ବଳରେ ହାଇଦ୍ରାବାଦ୍‍କୁ ଯାତାୟତ କରୁଥିବା ଓଡିଶା ପଞ୍ଜୀକୃତ ପ୍ରାୟ ସମସ୍ତ ବେସରକାରୀ ଘରୋଇ ବସ ସରକାରଙ୍କ ନିର୍ଦ୍ଦେଶକୁ ମାନି ଚଳାଚଳ ବନ୍ଦ କରିଥିବା ବେଳେ ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନାରେ ପଞ୍ଜୀକୃତ କିଛି ବସ୍‍ ଓଡିଶା ସୀମାନ୍ତ ମୋଟୁ ନିକଟସ୍ଥ ସିଲେରୁ ନଦୀ ଉପରେ ନିର୍ମିତ ଆନ୍ଧ୍ର ସୀମାନ୍ତ ଚିନ୍ତୁର ବ୍ରିଜ ନିକଟସ୍ଥ ଏକ ଢାବାରେ ଡେରା ପକାଇ ହଇାଦ୍ରାବାଦ୍‍ ଓ ବିଜୟୱାଡା ଯାତ୍ରୀ ଅପେକ୍ଷାରେ ରହିଥିବା ଜଣାଯାଇଛି।


ନବରଙ୍ଗପୁର ସମେତ ନୂଆପଡା, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କାଲିମେଳା, ଏମଭି-୭୯, ଏମଭି-୮୧ ଇଦ୍ୟାଦିସ୍ଥାନରୁ ଗୋପନୀୟଭାବେ କେତେକ ନିର୍ଦ୍ଦିଷ୍ଟ ସ୍ଥାନୀୟ ବସରେ ଅତ୍ୟଧିକ ଚଢା ଦରରେ ଦାଦନ ଶ୍ରମିକ ମୋଟୁ ନିକଟସ୍ଥ ଓଡିଶା-ଆନ୍ଧ୍ର ସୀମାନ୍ତରେ ଅଟକିଥିବା ଏକାଧିକ ବସ ସକାଶେ ବୁହା ଚାଲିଥିବାବେଳେ ହାଇଦ୍ରାବାଦ୍‍, ବିଜୟୱାଡାରୁ ଆସିଥିବା ଯାତ୍ରୀଙ୍କୁ ମୋଟୁରୁ ନେଇ ମାଲକାନଗିରି, ଜୟପୁର ଦେଇ ନବରଙ୍ଗପୁର, ଉମରକୋଟ,ଡାବୁଗାଁ ଆଣୁଥିବା ଅଭିଯୋଗ ହେଉଛି। ହାଇଦ୍ରାବାଦ୍‍, ବିଜୟୱାଡାରୁ ଆସିଥିବା ଯାତ୍ରୀ ନବରଙ୍ଗପୁର ,ଡାବୁଗାଁ ଆଦି ସ୍ଥାନରେ ଅଟକି ଶୌଚ, ଚାହା-ଜଳଖିଆ ସାଙ୍ଗକୁ ନିଜନିଜର ଗନ୍ତବ୍ୟ ସ୍ଥାନ ସକାଶେ ବସ ଗାଡି ଆଦି ରେ ନିଜ ନିଜ ଗାଁ କୁ ଯାଉଛନ୍ତି ବରିଷ୍ଟ ନାଗରିକ ମହଲରେ ଏହା ଚିନ୍ତାର ବିଷୟ ପାଲଟିଥିବାବେଳେ ନବରଙ୍ଗପୁର,ସମେତ ଅନ୍ୟାନ୍ୟ ଜିଲ୍ଲା ପାଇଁ ମଧ୍ୟ ଭବିଷ୍ୟତରେ ଏହା ବିଷମ ପରିସ୍ଥିତି ସୃଷ୍ଟିକରିବା ସମ୍ଭାବନା କୁ ଏଡାଇ ଦେଇ ହେବନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

ହାଇଦ୍ରାବାଦ୍‍ ଓ ବିଜୟୱାଡା ରୁ ରାତିଅଧିଆ ମୋଟୁରେ ପହଞ୍ଚି ଆବଶ୍ୟକୀୟ ପଞ୍ଜୀକରଣ ନକରାଇ ଅବୈଧଭାବେ ମୋଟୁରୁ ଭୋରରୁ ବାହାରୁଥିବା କିଛି ସରକାରୀ ଓ ବେସରକାରୀ ବସରେ ଲୁଚିଛପି ନବରଙ୍ଗପୁର ଅଞ୍ଚଳରେ ଆସୁଥିବା ଯାତ୍ରୀଙ୍କୁ ପଞ୍ଜୀକରଣ ଓ ଯାଞ୍ଚ ଉଦ୍ଦେଶ୍ୟରେ ଅଟକାଇ ଯାଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସରକାରଙ୍କ ନିଷେଧାଦେଶ କୁ ଅମାନ୍ୟକରି ଚଢାଦରରେ ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ସାଙ୍ଗକୁ ଦାଦନ ବୋହି ଯାତାୟତ କରୁଥିବା ବସ ଉପରେ ବେଳଥାଉଣୁ କୋଭିଡ-୧୯ ନିୟମାନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ନବରଙ୍ଗପୁର ସମେତ ଅନ୍ୟନ ସ୍ଥାନରେ ଯାତ୍ରୀ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯିବାକୁ ସାଧାରଣରେ ଦାବୀ ହେଉଛି। ରାଜ୍ୟ ସରକାର କୋରନାର ମୁକାବିଲା ପାଇଁ ଆନ୍ତରାଜ୍ୟ ବସ ଚଳାଚଳକୁ ନିଷେଧ କରିଥିଲେ ହେଁ ଗଳାବାଟ ଦେଇ ଲୋକମାନେ ଯାତାୟତ କରୁଥିବା ବେଳେ ଏଥିପ୍ରତି କଠୋର ପଦକ୍ଷେପ ନେବା ଓ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାର ଜରୁରୀ ଆବଶ୍ୟକତା ଦେଖା ଦେଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି ।

Comments
Loading...