କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ଓଡ଼ିଶା ପଠାଇଲା ୫୧୦ ଟନ୍‌ ଅକ୍ସିଜେନ୍

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ର ଆବଶ୍ୟକତା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟକୁ କରୋନା ଆକ୍ରାନ୍ତଙ୍କ ଜୀବନ ରକ୍ଷା କରିବା ପାଇଁ ଅକ୍ସିଜେନ୍‌ ପଠାଇବା ଆରମ୍ଭ ହୋଇଛି। ଏହି ପରୀପ୍ରେକ୍ଷୀରେ ବିଗତ ଦୁଇ ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୨୯ଟି ଟ୍ୟାଙ୍କ ଯୋଗେ ୫୧୦ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ, ହରିୟାନା, ଦିଲ୍ଲୀ, ଉତ୍ତର ପ୍ରଦେଶ ସମେତ ଅନ୍ୟ ସ୍ଥାନକୁ ଅକ୍ସିଜେନ୍ ପଠାଯାଇଛି। ଢେଙ୍କାନାଳ, ଅନୁଗୁଳ ଏବଂ ରାଉରକେଲାରୁ ଆଜି ଆହୁରି ୧୫ଟି ଅକ୍ସିଜେନ୍ ଟ୍ୟାଙ୍କର୍ ପଠାଯିବ। ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କ ଗୁଡ଼ିକର ସହଜ ଯାତାୟତ ନିମନ୍ତେ ସ୍ୱତନ୍ତ୍ର ଗ୍ରୀନ୍‌ କରିଡ଼ର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କ ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ହୁଏ ସେନେଇ ରାଜ୍ୟ ପୁଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments
Loading...