ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ମିରିଡିଆ ସାହିରେ ଥିବା ଏକ ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ଦୁଷ୍କର୍ମ ଉଦ୍ୟମ କରିବା ସହ ଜୀବନରୁ ମାରି ଦେବାର ପ୍ରୟାସ କରୀଥିବା ନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଅଭିଯୁକ୍ତ ଡାଇରେକ୍ଟର ପ୍ରଶାନ୍ତ କୁମାର ସାହୁଙ୍କ ବିରୋଧରେ ଦୁଷ୍କର୍ମ ଓ ଠକେଇ ମାମଲା ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ଟୀଙ୍କବିର ଗ୍ରାମର ସିଦ୍ଧେଶ୍ବର ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ( ୪୦) ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହିରେ ଏମ୍ସ କଲେଜ ଅଫ ସାଇନ୍ସ ନାମରେ ଏକ ନର୍ସିଂ କଲେଜ ସ୍ଥାପନ କରିଥିଲେ । ଉକ୍ତ ସ୍କୁଲ ପାଇଁ ଏକ ଇନୋଭା ଗାଡି କିଣିବା ପାଇଁ ଡାଇରେକ୍ଟର ଜଣଙ୍କ ସ୍କୁଲ ଛାତ୍ରୀଙ୍କ ଜମାଥିବା ଟଙ୍କାରୁ ୭୦ ହଜାର ଟଙ୍କା ଗତ ମାର୍ଚ୍ଚ ୧୦ ତାରିଖରେ ଶିକ୍ଷୟତ୍ରୀଙ୍କ ଠାରୁ ଧାର ନେଇଥିଲେ । ପରେ ପ୍ରଶାନ୍ତ ଆଉ ଧରା ଛୁଆଁ ଦେଇ ନଥିଲେ । ଗତ ମାର୍ଚ୍ଚ ୧୬ ତାରିଖ ଦିନ ପ୍ରଶାନ୍ତ ନିଜ ଗ୍ରାମ ଟୀଙ୍କବିରରୁ ନର୍ସିଂ ସ୍କୁଲକୁ ଯାଇଥିଲେ । ସେଠାରେ ସେ ପ୍ରଶାନ୍ତଙ୍କୁ ଦେଇଥିବା ଧାର ପଇସା ମାଗିଥିଲେ । କିନ୍ତୁ ଶିକ୍ଷୟତ୍ରୀ ଜଣକୁ ପଇସା ନ ଫେରାଇ ଓଲଟା ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଶିକ୍ଷୟତ୍ରୀ ଜଣକ ସ୍କୁଲରୁ ନିଜ ରୁମକୁ ଫେରିବାର ପରେ ଏହି ସମୟରେ ଅଭିଯୁକ୍ତ ପ୍ରଶାନ୍ତ ଶିକ୍ଷୟତ୍ରୀ ଜଣକ ରହୁଥିବା କଠୋରୀ କବାଟକୁ ଧକ୍କା ଦେଇ ଭିତରକୁ ପଶି ଶିକ୍ଷୟତ୍ରୀଙ୍କ ଗାଲ ବେକ ଓ ଓଠକୁ କାମୁଡି ଛିଣ୍ଡାଇ ଦେବାରୁ ସେଠାରେ ଶିକ୍ଷୟତ୍ରୀ ଜଣକ ଅଚେତ ହୋଇ ପଡିଯାଇଥିଲେ । ଶିକ୍ଷୟତ୍ରୀ ଜଣକ ମରିଯାଇଥିବ ଭାବି ପ୍ରଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରେ ଶିକ୍ଷୟତ୍ରୀ ଜଣକ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ଗତ କାଲି ସନ୍ଧ୍ୟାରେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ଆଜି ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଥିବା ଦେବଗଡ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି ।