ସୁନ୍ଦରଗଡ଼ ଜିଲ୍ଲାର ଆଉ ୩ଟି ବ୍ଳକରେ ହେବ ମାଣ୍ଡିଆ ଚାଷ, ଏମଓୟୁ ସ୍ୱାକ୍ଷର

‘ଓଡ଼ିଶା ପୁଷ୍ଟି ଶସ୍ୟ ମିଶନ’ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଆଉ ୩ଟି ବ୍ଲକରେ ନୂଆକରି ମାଣ୍ଡିଆ ଚାଷ ଆରମ୍ଭ ହେବାକୁ ଯାଉଛି। ଲହୁଣୀପଡ଼ା, ଲାଠିକଟା ଏବଂ ଗୁରୁଣ୍ଡିଆ ବ୍ଲକରେ ଚଳିତ ଖରିଫ୍ ୠତୁରୁ ଏହି ଚାଷ ଚାଲିବ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହାୟତାକ୍ରମେ ଏକ ୫ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏନେଇ ବୁଧବାର ଦିନ ଡିଏମଏଫ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ‘ଆତ୍ମା’ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି।ସୁନ୍ଦରଗଡ଼ସ୍ଥିତ ଡିଏମଏଫ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଏମଏଫ ସିଇଓ ରସାଇ ଲାଗୁରୀ, ଆତ୍ମାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ବୈଷୟିକ ପରାମର୍ଶକାରୀ ସଙ୍ଗଠନ ୱାସନ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଗବେଷଣା ସଂସ୍ଥା ଏନସିଡିଏସର ପ୍ରତିନିଧି ଏମଓୟୁରେ ସ୍ୱାକ୍ଷର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏମଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ମାନସ କୁମାର ରାଉତଙ୍କ ସହିତ ଡିଏମଏଫ ଓ ଓମ୍ବାଡସିର ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୧୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା ପୁଷ୍ଟିଶସ୍ୟ ମାନଚିତ୍ରରେ ସ୍ଥାନ ପାଇଥିଲା। ଏହା ଅଧୀନରେ ପ୍ରଥମେ ୪ଟି ବ୍ଲକ୍ – କୁତ୍ରା, ନୂଆଗାଁ, କୁଆଁରମୁଣ୍ଡା ଓ ରାଜଗାଙ୍ଗପୁରରେ ମାଣ୍ଡିଆ ସହିତ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଚାଷ କରାଯାଇଥିଲା। ୨୦୨୦ରେ ଜିଲ୍ଲାର ଆଉ ୪ଟି ବ୍ଲକକୁ ଏହା ସଂପ୍ରସାରିତ ହୋଇଥିଲା। ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା ଏବଂ ବାଲିଶଙ୍କରା ବ୍ଲକରେ ଡିଏମଏଫର ଆର୍ଥିକ ସହାୟତାରେ ଚାଷୀମାନେ ପୁଷ୍ଟିଶସ୍ୟ ଚାଷ କରିଥିଲେ। ଜିଲ୍ଲାର ମୋଟ ୮ଟି ବ୍ଲକରେ ଏବେ ମାଣ୍ଡିଆ ସହିତ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଏଥିପ୍ରତି ଚାଷୀମାନଙ୍କର ଆଗ୍ରହ ବଢ଼ୁଥିବାରୁ ଏବଂ ଏହା ଲାଭଜନକ ଚାଷ ହୋଇଥିବାରୁ ଜିଲ୍ଲାର ଆଉ ୩ଟି ବ୍ଲକକୁ ସଂପ୍ରସାରିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସରକାର ଏହାକୁ ଅନୁମୋଦନ କରିବା ପରେ ୩ଟି ନୂଆ ବ୍ଲକକୁ ମିଶାଇ ମୋଟ ୧୧ଟି ବ୍ଲକରେ ମାଣ୍ଡିଆ ଚାଷ କରାଯିବ।

Comments
Loading...