ଜମି ଦୁର୍ନୀତିରେ ପୂର୍ବତନ ତହସିଲଦାର ନିଳମ୍ବିତ

କାଲିମେଳା ତହସିଲ କାର୍ଯ୍ୟାଳୟରେ ହୋଇଥିବା ଜମି ଦୁର୍ନୀତିରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ ନିଳମ୍ବିତ ହେଇଛନ୍ତି l ସୂଚନା ଯୋଗ୍ୟ ଯେ କାଲିମେଳା ତହସିଲରେ କମ ଦରରେ ମୂଲ୍ୟବାନ ଜମିକୁ ସରକାରୀ କର୍ମଚାରୀ,ଠିକାଦାର, ପୁଞ୍ଜିପତି ମାନଙ୍କୁ ପ୍ରଦାନ କରାଯାଇଥିଲା। ଜମି ବିବାଦରେ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ କାଲିମେଳା ତହସିଲର ଜଣେ କିରାଣୀ ଏବଂ ରାଜସ୍ବ ନିରୀକ୍ଷକଙ୍କୁ ନିଳମ୍ବିତ କରିଥିଲେ ଓ ତହସିଲଦାର ଅନୁଗୁଳିଆଙ୍କୁ କୋରାପୁଟ ଜିଲ୍ଲାକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିଲା l ଆଜି ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ତରଫରୁ ଅନୁଗୁଳିଆଙ୍କୁ ନିଳମ୍ବିତ ଚିଠି କରାଯାଇଛି l ଅନୁଗୁଳିଆଙ୍କ ନିଳମ୍ବିତ ଖବର ଜାଣିବା ପରେ କାଲିମେଳା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।ଏହି ଘଟଣାରେ ସଂପୃକ୍ତ ଥିବା ଡାଟା ଏଣ୍ଟ୍ରି ଅପରେଟରକୁ କାଲିମେଳା ତହସିଲରୁ ଖଇରପୁଟ ତହସିଲକୁ ବଦଳି କରାଯାଇଥିଲା। ଦୀର୍ଘ ଦିନ ଧରି ବିଭିନ୍ନ ରାଜନୈତିକ ଦଳ, ସମାଜସେବୀ ସମେତ ବହୁ ଗରିବ ଲୋକ ଏହି ଦୁର୍ନୀତିର ପର୍ଦାଫାସ କରିବାକୁ ପ୍ରଶାସନ ନିକଟରେ ନେହୁରା ହୋଇଥିଲା। ଯାହାର ଫଳ ଆଜି ସେମାନେ ପାଇଛନ୍ତି ବୋଲି ଖୁସିରେ କହିଥିଲେ। ଯେଉଁ ଲୋକମାନେ ଅନ୍ୟାୟ ଭାବେ ପଟ୍ଟା ପାଇଛନ୍ତି ସେମାନଙ୍କ ଠାରୁ ତୁରନ୍ତ ପଟ୍ଟା ଫେରସ୍ତ ଅଣାଯାଉ ବୋଲି ଦାବି ହୋଇଛି।

Comments
Loading...