ରାଉରକେଲାରେ ମଙ୍ଗଳବାରଠାରୁ ଟିକାଦାନ ପାଇଁ ନୂଆ ସୂଚୀ, ବିଭିନ୍ନ କେନ୍ଦ୍ର ବୁଲି ପ୍ରସ୍ତୁତି ସମୀକ୍ଷା କଲେ ଆରଏମସି କମିଶନର

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗରେ ମଙ୍ଗଳବାର ଦିନଠାରୁ ଟିକାକରଣ ଆରମ୍ଭ ହେଉଛି। ଟିକାକରଣ ପାଇଁ ଦିନେ ଛଡ଼ା ଦିନେ ପାଳି କରାଯାଇଛି। ଅର୍ଥାତ୍ ୧୮ରୁ ୪୪ ବର୍ଷ ବର୍ଗରେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଟିକା ଦିଆଯିବ।

ସେହିପରି ୪୫ ବର୍ଷରୁ ଅଧିକ ବୟସ୍କ ବର୍ଗର ଦ୍ୱିତୀୟ ଡୋଜ୍ ପାଇବାକୁ ଥିବା ଲୋକଙ୍କ ପାଇଁ ବୁଧବାର, ଶୁକ୍ରବା ଏବଂ ସୋମବାରକୁ ଟିକାଦାନ ଦିନ ଧାର୍ଯ୍ୟ କରାଯାଇଛି। ଏହି ବର୍ଗରେ ଅନଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଲୋକମାନେ ନିକଟସ୍ଥ ଟିକାଦାନ କେନ୍ଦ୍ରରେ ପହଞ୍ଚି ସେଠାରେ ଟିକାଦାନ କରିପାରିବେ।

ଟିକାଦାନ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର ରହିଛି। ରାଉରକେଲା ମହାନଗର ନିଗମ କମିଶନ ଦିବ୍ୟଜ୍ୟୋତି ପରିଡ଼ା ଆଜି ବିଭିନ୍ନ ଟିକାକରଣ କେନ୍ଦ୍ର ବୁଲି ପ୍ରସ୍ତୁତିର ତଦାରଖ କରିଛନ୍ତି। ନିଜର ପାଳି ଅନୁଯାୟୀ ଟିକାଦାନ କେନ୍ଦ୍ରକୁ ଆସିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଟିକାଦାନ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Comments
Loading...