ମାରଓ୍ବାଡି ଯୁବା ମଞ୍ଚ ଜୟପାଟଣା ପକ୍ଷରୁ ନିଶୁଳ୍କ ଅକ୍ସିଜେନ ସେବା ଆରମ୍ଭ

0 142

କଳାହାଣ୍ଡି (କୋଶଲ ନ୍ୟୁଜ୍) କରୋନାର ଦ୍ବିତୀୟ ଲହରରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କରୋନାରେ ବ୍ରେକ ଲଗାଇବା ପାଇଁ ସରକର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏହି ଘଡିସନ୍ଧି ସମୟରେ ଅନେକ କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନ ଅତ୍ୟାବଶ୍ୟକୀୟ ବସ୍ତୁ ପାଳଟିଛି। ଏହାକୁ ଦୃଷ୍ଟିରେ ରଖି ମାରଓ୍ବାଡି ଯୁବା ମଞ୍ଚ ଜୟପାଟଣା ଶାଖା ପକ୍ଷରୁ ନିଶୁଳ୍କ ଅକ୍ସିଜେନ ସେବା ଆରମ୍ଭ ହୋଇଛି। ଆବଶ୍ୟକତା ଅନୁଭବ କରୁଥିବା ରୋଗୀଙ୍କ ସଂପର୍କିୟ ମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗ କଲେ ସେମାନଙ୍କୁ ବିନା ମୂଲ୍ୟରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯିବ। ଏଥିପାଇଁ ଅକ୍ସିଜେନ ସିଲିଣ୍ଡର ମହଜୁଦ ଅଛି ଓ ଏହି ସେବା ୨୪×୭ ଚାଲୁ ରହିବ ବୋଲି ଯୁବା ମଞ୍ଚ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ମାରଓ୍ବାଡି ଯୁବା ମଞ୍ଚ ଜୟପାଟଣା ଶାଖା ପକ୍ଷରୁ କୋଭିଡ ନିୟମ ପାଳନ ସହ ଅକ୍ସିଜେନ ସେବାର ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ମାନ୍ୟବର ପ୍ରଦୀପ ଦିଶାରି ଯୋଗଦେଇ ଅକ୍ସିଜେନ ସେବାର ଶୁଭାରମ୍ଭ କରିବାସହ ମାରଓ୍ବାଡି ଯୁବା ମଞ୍ଚର ଏହି ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ରୂପେ ଜୟପାଟଣା ସରପଞ୍ଚ ଦିଲିପ୍ ରାଉତ ଯୁବାମଞ୍ଚର କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ପ୍ରଦାନ କରିବାସହ ଏହା ଜୟପାଟଣା ବ୍ଲକ ପାଇଁ ଏକ ଗୈାରବମୟ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଛନ୍ତି।

ବିଶେଷ ଅଥିତି ଭାବେ ମାରୱାଡ଼ି ଯୁବା ମଞ୍ଚ ର ପୂର୍ବତନ ସଭାପତି ଶଙ୍କର ଲାଲ ଅଗ୍ରୱାଲ କହିଛନ୍ତି ଯେ, ମାରଓ୍ବାଡି ଯୁବାମଞ୍ଚର ଏହି ପ୍ରୟାସ ଅନେକ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହେବ ତେଣୁ ଯୁବା ମଞ୍ଚର କାର୍ଯ୍ୟକର୍ତ୍ତା ଓ ସମସ୍ତ ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।
କୋଭିଡ୍ ଯୋଦ୍ଧା ଭାବେ ଜୟପାଟଣା ମେଡିକାଲ ଅଫିସର ଡକ୍ଟର ସୋମନାଥ ମେହେର ଅକ୍ସିଜେନ ର ବ୍ୟବହାର ବିଷୟ ରେ ଜଣାଇ ଥିଲେ।

ରାଜ ଅଗ୍ରୱାଲ କାର୍ଯ୍ୟକ୍ରମର ସଂଚାଳନ କରି ଏହି ସେବାର ରୂପରେଖ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏଥିରେ ମାରଓ୍ବାଡି ଯୁବା ମଞ୍ଚ ଜୟପାଟଣା ଶାଖାର ସଭାପତି ସନ୍ଦୀପ କୁମାର ଅଗ୍ରୱାଲ, ସଂପାଦକ ଅଭିଜିତ କୁମାର ଅଗ୍ରୱାଲ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Comments
Loading...