ଶନି ଓ ରବିବାର ରାଜ୍ୟର ପ୍ରତି ସହରାଞ୍ଚଳରେ ସଟ୍‌ଡାଉନ

କଡ଼ା ହେଲା କୋଭିଡ କଟକଣା
ଶନିବାର ଓ ରବିବାର ସହରାଞ୍ଚଳରେ ସଟ୍‌ଡାଉନ
ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ
ବିବାହ ଶୋଭାଯାତ୍ରା ବନ୍ଦ
ଯାତ୍ରା ପରିବେଷଣ ଉପରେ ରୋକ୍


ରାଜ୍ୟରେ କଡ଼ାକଡ଼ି ହେଲା କରୋନା କଟକଣା। ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‌ଡାଉନ ଘୋଷଣା କଲେ ରାଜ୍ୟ ସରକାର। ଏଣିକି ସପ୍ତାହର ଦୁଇଦିନ ଶନିବାର ଏବଂ ରବିବାର ରାଜ୍ୟରେ ସଟ୍‌ଡାଉନ ହେବ। କେବଳ ରାଜ୍ୟର ସହରାଞ୍ଚଳଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ। ମଙ୍ଗଳବାର ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏହି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି।ନାଇଟ୍ କର୍ଫ୍ୟୁ ବଳବତ୍ତର

ମଙ୍ଗଳବାର ଏସ୍ଆରସି ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ ଘୋଷଣା କରିବା ସହ ପୂର୍ବ ନିର୍ଦ୍ଧାରିତ ନାଇଟ୍ କର୍ଫ୍ୟୁକୁ ବଳବତ୍ତର ରଖିଛନ୍ତି। ଅର୍ଥାତ୍ ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଏବଂ ବାକି ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

ଜରୁରୀସେବା ସ୍ୱାଭାବିକ

ସଟ୍‌ଡାଉନ ସମୟରେ ଜରୁରୀ ସେବା ସ୍ୱାଭାବିକ ରହିବ। ବିଦ୍ୟୁତ ସେବା, ଜଳ ଯୋଗାଣ, ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନେ ନିଜ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ। ସେହିପରି ଫୁଡ ହୋମ୍‌ ଡେଲିଭରିକୁ ମଧ୍ୟ ଅନୁମତି ଦିଆଯିବ। ଏହାସହିତ ଅତ୍ୟାବଶ୍ୟକୀୟ ମାଲ ପରିବହନ ସେବା ମଧ୍ୟ ସ୍ୱାଭବିକ ରହିବ।

ବିବାହ ଶୋଭାଯାତ୍ରା ସମ୍ପୂର୍ଣ୍ଣ ବନ୍ଦ

କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ବିବାହ ଉତ୍ସବ ଓ ଶୁଦ୍ଧକ୍ରିୟାରେ ୫୦୦ ଜଣଙ୍କୁ ଅନୁମତି ମିଳିଥିଲା। ହେଲେ ଏବେ ଏହି ସଂଖ୍ୟାକୁ ହ୍ରାସ କରାଯାଇଛି। ନୂଆ ନିୟମ ଅନୁସାରେ ଏଣିକି ବିବାହରେ ୫୦ ଜଣ ଓ ଶୁଦ୍ଧକ୍ରିୟାରେ ୨୦ ଜଣଙ୍କୁ ଅନୁମତି ଦିଆଯିବ। ସେହିପରି ବିବାହ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର।ଯାତ୍ରା ପରିବେଷଣ ବନ୍ଦ

ନିକଟରେ ନାଇଟ୍ କର୍ଫ୍ୟୁ ଲାଗୁ ବେଳେ ସରକାର ଖୋଲା ମଞ୍ଚ ଏବଂ ଯାତ୍ରା ପରିବେଷଣ ନିୟମକୁ ୧୦୦୦ ଜଣ ମଧ୍ୟରେ ସୀମିତ ରଖିଥିଲେ। କିନ୍ତୁ ଏବେ ଏହି ନିୟମକୁ ସରକାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛନ୍ତି। ଅର୍ଥାତ୍ ରାଜ୍ୟର କୌଣସି ସ୍ଥାନରେ ଖୋଲା ମଞ୍ଚ କିମ୍ଵା ଅପେରା ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ।

Comments (0)
Add Comment