ଲକଡାଉନ୍‌ ଆଶଙ୍କା – ପୁଣି ଘର ମୁହାଁ ପ୍ରବାସୀ ଶ୍ରମିକ

ଦେଶରେ ଦ୍ୱିତୀୟ ଲହର କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ, ଲକଡାଉନ୍‌ ଭଳି କଟକଣା ଅବଲମ୍ବନ କରାଯାଉଛି। ତେଣୁ ଗତବର୍ଷ ଭଳି ଏ ବର୍ଷ ବି ପୂରା ଦେଶରେ ଲକଡାଉନ୍‌ ହେବ ବୋଲି ଆଶଙ୍କା କରାଯାଉଛି। ଫଳରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକ ଏବେ ପୁଣି ଥରେ ଘର ମୁହାଁ ହୋଇଥିବା ଦେଖିବାକୁ ମିଳୁଛି।

ଖାସ କରି ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟରେ କାମ କରୁଥିବା ପ୍ରବାସୀ ଶ୍ରମିକ ଏବେ ଘରକୁ ଫେରୁଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇର ବିଭିନ୍ନ ଷ୍ଟେସନ, ବସ୍‌ ଷ୍ଟାଣ୍ଡରେ ପ୍ରତିଦିନ ହଜାର ହଜାର ଶ୍ରମିକଙ୍କ ସମାଗମ ଦେଖିବାକୁ ମିଳିଛି। ପୂର୍ବ ବର୍ଷର ସ୍ଥିତିକୁ ଅନୁମାନ କରି ଏହି ଶ୍ରମିକମାନେ ନିଜ ଗୃହ ରାଜ୍ୟକୁ ଫେରୁଛନ୍ତି।

ଗତବର୍ଷ ଲକଡାଉନ ସମୟରେ ସାରାଦେଶରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଗାଡ଼ି ମଟର ଠପ୍‌ ହୋଇଯିବା କାରଣରୁ ପ୍ରବାସୀଙ୍କୁ ଚାଲି ଚାଲି ନିଜ ଘରକୁ ଆସିବାକୁ ପଡ଼ିଥିଲା। ଅନେକ ଶ୍ରମିକ ରାସ୍ତାରେ ହିଁ ଆଖି ବୁଜି ଦେଇଥିଲେ। ଏଣୁ ଲକଡାଉନ ଲାଗୁ ହେବା ପୂର୍ବରୁ ଏଥର ପ୍ରବାସୀ ଶ୍ରମିକ ନିଜ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି।

Comments (0)
Add Comment