କରୋନା ବଢିବା ପରେ ପୁଣି ଜୋର ଧରିଲା ମାସ୍କ ବ୍ୟବସାୟ

କରୋନା ବଢ଼ିବା ପରେ ଏବେ ମାନ୍ଦା ପଡ଼ିଯାଇଥିବା ମାସ୍କ ବ୍ୟବସାୟ ପୁଣି ଜୋର ଧରିଛି। ଲକଡାଉନ ସମୟରେ ଯେଉଁମାନେ ମାସ୍କ ତିଆରି କରି ପେଟ ପୋଷୁଥିଲେ ଏବେ ପୁଣି ସେମାନେ କର୍ମ ତତ୍ପର ହୋଇପଡ଼ିଛନ୍ତି।

ସେହିମାନଙ୍କ ଭିତରୁ ଜଣେ ହେଲେ ଭୁବନେଶ୍ୱର ୟୁନିଟ ୪ ଅଞ୍ଚଳରେ ରହୁଥିବା ୫୨ ବର୍ଷୀୟା ପ୍ରମିଳା ବାରିକ। ଏବେ ତାଙ୍କୁ ଫୁରୁସତ ନାହିଁ। ଗତ କିଛି ଦିନ ହେଲା ସେ ମାସ୍କ ତିଆରି କରିବାରେ ଦିନ ରାତି ଏକ କରିଦେଇଛନ୍ତି ।

ଗତ ବର୍ଷ ମାର୍ଚ୍ଚ ମାସରେ ଲକଡାଉନ ଘୋଷଣା ହେବା ପରେ ଯେତେବେଳେ ଅନ୍ୟ ଘରେ କାମ କରିବା ବନ୍ଦ ହୋଇଗଲା ସେହି ଦିନଠାରୁ ପ୍ରମିଳା ମାସ୍କ ତିଆରି କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। କେବଳ ପ୍ରମିଳା ନୁହନ୍ତି ତାଙ୍କ ଭଳି ବହୁ ସ୍ତ୍ରୀ ଲୋକ ଏହି କାମରେ ଲାଗିଛନ୍ତି। ମଝିରେ ମାନ୍ଦା ପଡ଼ିଯିବା ପରେ କରୋନା କଡ଼ ଲେଉଟାଇବା ପରେ ମାସ୍କର ଚାହିଦା ପୁଣି ବୃଦ୍ଧି ପାଇଛି।

ଅର୍ଡର ସପ୍ଲାଇ

ପ୍ରମିଳାଙ୍କ କହିବା ଅନୁଯାୟୀ ଗତ ବର୍ଷ ସେ ଦୈନିକ ୫୦ରୁ ୬୦ଟି ମାସ୍କ ବିକୁଥିଲେ। କରୋନା ଭୟ କମିବା ପରେ ଲୋକେ ଆଉ ମାସ୍କ କିଣୁନଥିଲେ। ଏବେ ନୂଆ ମାମଲା ଆସିବା ପରେ ଲୋକେ ପୁଣି ମାସ୍କ କିଣିବା ଆରମ୍ଭ କରିଛନ୍ତି। ଯେଉଁ ଅନୁଷ୍ଠାନ ତାଙ୍କୁ ୫୦୦ ମାସ୍କ ଯୋଗାଇବା ପାଇଁ କହିଛନ୍ତି ସେମାନେ ବ୍ୟସ୍ତ କରିବାରୁ ପ୍ରମିଳା ଦିନ ରାତି ବସି ମାସ୍କ ତିଆରି କରୁଛନ୍ତି। ପ୍ରମିଳା କଟନ ମାସ୍କ ଗୋଟାଏ ପିଛା ୨୦ ଟଙ୍କାରେ ବିକ୍ରି କରୁଛନ୍ତି।

ତଣ୍ଡକୁ ଭୟ

ଏପ୍ରିଲ ମାସ ଆରମ୍ଭରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ମାସ୍କ ନପିନ୍ଧିଥିବା ଲୋକଙ୍କ ଠାରୁ ଯେଉଁ ଭଳି ଆଖିବୁଜି ଜରିମାନା ଆଦାୟ କରୁଛନ୍ତି ସେହି ଦୃଷ୍ଟିରୁ ବି ମାସ୍କର ଚାହିଦା ଚାରିଆଡେ ବଢ଼ିଛି। ଖାଲି ମାସ୍କ ନୁହେଁ ସାନିଟାଇଜରର ଚାହିଦା ମଧ୍ୟ ବୃଦ୍ଧି ପାଇଛି। କିଛି ମାସ୍କ ତିଆରି କରୁଥିବା ଦର୍ଜୀଙ୍କ କହିବା ଅନୁଯାୟୀ ମାର୍ଚ୍ଚ ମାସରେ ଯେତିକି ମାସ୍କ ବିକ୍ରି ହେଉଥିଲା ଏବେ ତାହା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।

ଟେଲରିଂ ମେସିନକୁ ତର ନାହଁ

କରୋନା ସମୟରେ ରାଜ୍ୟର ବେଶ କିଛି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ମାସ୍କ ତିଆରି କାମରେ ଲାଗିଥିଲେ। କରୋନା ହାୱା କମିବା ସହିତ ସେମାନେ ମାସ୍କ ତିଆରି କରିବା ବନ୍ଦ କରି ଦେଇଥିଲେ। କରୋନା ବଢିବା ପରେ ଏବେ ପୁଣି ସେମାନେ ଟେଲରିଂ ମେସିନ ଉପରେ ବସିବା ଆରମ୍ଭ କରିଛନ୍ତି।



ଦୈନନ୍ଦିନ ଆବଶ୍ୟକତା

ଭୁବନେଶ୍ୱରର ଜଣେ ଜଣାଶୁଣା ମାସ୍କ ବ୍ୟବସାୟୀ ପ୍ରତିମା ଦାସ କହିଛନ୍ତି ଯେ ମାସ୍କ ଆଜିକାଲି ଏକ ଦୈନିକ ଆବଶ୍ୟକତା ହୋଇ ପଡ଼ିଲାଣି। ଯେଉଁମାନେ ଅଧିକ ସତର୍କ ଓ ଦାୟିତ୍ଵବାନ ସେମାନେ ବିନା ମାସ୍କରେ ଘରୁ ବାହାରକୁ ଆସିବା ଦେଖା ଯାଉନାହିଁ। କେବଳ କରୋନା ସଂକ୍ରମଣ ନୁହେଁ ଧୂଳି ଓ ପ୍ରଦୂଷଣ ଆଦିରୁ ନିଜକୁ ମୁକ୍ତ ରଖିବା ପାଇଁ ମଧ୍ୟ ଲୋକେ ମାସ୍କ ପିନ୍ଧୁଛନ୍ତି। ନୂଆ ମାମଲା ଆସିବା ପରେ ଆମ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇଛି ବୋଲି କହନ୍ତି ପ୍ରତିମା।

ଜରିମାନା ଦୁଇ ଗୁଣ

ଇତି ମଧ୍ୟରେ ଓଡ଼ିଶା ସରକାର ମାସ୍କ ନପିନ୍ଧୁଥିବା ଲୋକଙ୍କ ଉପରେ ଜରିମାନା ପରିମାଣ ଦୁଇ ଗୁଣ କରି ଦେଇଥିବା ହେତୁ ଲୋକେ ବାଧ୍ୟ ହୋଇ ମାସ୍କ ପିନ୍ଧୁଛନ୍ତି। ଉଲ୍ଲେଖ କରାଯାଇପାରେ ଯେ ପ୍ରଥମ ଥର ପାଇଁ ମାସ୍କ ନପିନ୍ଧିଲେ ହଜାରେ ବଦଳରେ ଦୁଇ ହଜାର ଓ ଦ୍ଵିତୀୟ ଥର ଉଲ୍ଲଂଘନ କଲେ ଦୁଇ ହଜାରରୁ ପାଞ୍ଚ ହଜାର ଟଙ୍କାକୁ ଜରିମାନା ପରିମାଣ ବୃଦ୍ଧି କରାଯାଇଛି।

ହାତଧୁଆ ବେଳ

ମାସ୍କ ବ୍ୟତୀତ ସାନିଟାଇଜରର ଚାହିଦା ମଧ୍ୟ ବଜାରରେ ବୃଦ୍ଧି ପାଇଛି। ଔଷଧ ବ୍ୟବସାୟୀ ମାନେ ପୁଣି ସାନି ଟାଇଜର ରଖିବା ଆରମ୍ଭ କରିଛନ୍ତି। ଲକଡାଉନ କୋହଳ ହେବ ପରେ ସାନିଟାଇଜର ବ୍ୟବସାୟ ୭୦ ପ୍ରତିଶତ କମି ଯାଇଥିଲା। କିନ୍ତୁ ଗତ କିଛି ଦିନ ଧରି ଏହି ହାତଧୁଆ ଲୋସନର ଚାହିଦା ଓ ଦାମ ମଧ୍ୟ ବଢୁଥିବା ଆଖିରେ ପଡୁଛି ବୋଲି କହିଛନ୍ତି ଜଣେ ଫାର୍ମାସିଷ୍ଟ ବିକ୍ରମ ସାହୁ।

Comments (0)
Add Comment