କେମିତି କଟିବ ୨୦୨୧? ଜାଣନ୍ତୁ ଆପଣଙ୍କ ରାଶିଫଳ

ଏ ବର୍ଷର ଗ୍ରହଚଳନ: ବାର୍ଷିକ ରାଶିଫଳ ସାଧାରଣତଃ ଶନି, ବୃହସ୍ପତି ଓ ରାହୁ-କେତୁଙ୍କ ଚଳନକୁ ଆଧାର କରି ବିଚାର କରାଯାଏ। ଏ ବର୍ଷ (ଜାନୁଆରି ୧ରୁ ଡିସେମ୍ବର ୩୧ ମଧ୍ୟରେ) ଶନି ମକରରେ ରହିବେ। ବୃହସ୍ପତି ତା୦୫-୦୪-୨୧ ସୋମବାର ରାତ୍ରି ୧୨:୨୪ରେରେ ମକରରୁ କୁମ୍ଭକୁ, ବକ୍ରଗତିରେ ତା୧୪-୦୯-୨୧ ମଙ୍ଗଳବାର ଦିବା ୦୨:୨୧ରେ କୁମ୍ଭରୁ ମକରକୁ ଏବଂ ତା୨୦-୧୧-୨୧ ଶନିବାର ରାତ୍ରି ୧୧:୨୯ରେ ପୁଣି ମକରରୁ କୁମ୍ଭକୁ ଚଳିବେ। ରାହୁ ଓ କେତୁ ବର୍ଷସାରା ଯଥାକ୍ରମେ ବୃଷ ଓ ବିଛାରେ ରହିବେ। ବୃହସ୍ପତି ୨, ୫, ୭, ୯ ଓ ୧୧ରେ ଶୁଭଫଳ ଦେଉଥିବାବେଳେ ତାଙ୍କର ବେଧସ୍ଥାନଗୁଡ଼ିକ ହେଉଛି ଯଥାକ୍ରମେ ୧୨, ୪, ୩, ୧୦ ଓ ୮। ସେହିପରି ଶନିଙ୍କର ଶୁଭ (ବେଧ) ସ୍ଥାନଗୁଡ଼ିକ ହେଉଛି ଯଥାକ୍ରମେ ୩ (୧୨), ୬ (୯), ୧୧ (୫) ଏବଂ ରାହୁ ଓ କେତୁଙ୍କର ଶୁଭ (ବେଧ) ସ୍ଥାନଗୁଡ଼ିକ ହେଉଛି ୩ (୯), ୬ (୧୨), ୧୦ (୪), ୧୧ (୫)। ଚଳିବେ। ସେହି ଅନୁସାରେ ଗ୍ରହମାନଙ୍କର ଶୁଭାଶୁଭ ଓ ବେଧ ବିଚାରପୂର୍ବକ ଦ୍ୱାଦଶ ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା।


ମେଷ

ବର୍ଷ ଆରମ୍ଭରେ ଦଶମ ବୃହସ୍ପତି ପୂଜାପୂର୍ବକ ଶୁଭଫଳ ଦେବେ। ଅର୍ଥାତ୍ ବୃହସ୍ପତିଙ୍କ ପାଇଁ ପୂଜା, ହୋମ, ଦାନ ଇତ୍ୟାଦି କଲେ ସେ ଶୁଭଫଳ ଦେବେ। ଦଶମ ଶନି କର୍ମ ଅନୁଯାୟୀ ଶୁଭ ବା ଅଶୁଭ ଫଳ ଦେବେ। ଅର୍ଥାତ୍ ସତ୍‌କର୍ମର ଫଳ ଶୁଭ ଓ ଅସତ୍ କର୍ମର ଫଳ ଅଶୁଭ ହିଁ ହେବ। ଦ୍ବିତୀୟ ରାହୁ ଓ ଅଷ୍ଟମ କେତୁଙ୍କର ଫଳ ଶୁଭ ହେବ ନାହିଁ। ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ। ତୀର୍ଥଯାତ୍ରା ବା ଧାର୍ମିକ କ୍ଷେତ୍ରକୁ ଯାତ୍ରା କରିପାରନ୍ତି। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟ-ବାଣିଜ୍ୟରେ କଠିନତାର ସମ୍ମୁଖୀନ ହେବେ। ନୀତିନିୟମରେ ରହିଲେ ଓ କର୍ମରେ ନିଷ୍ଠା ରଖିଲେ କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ।

ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏକାଦଶ ବୃହସ୍ପତି ଅର୍ଥ ସହ ଦ୍ରବ୍ୟଲାଭର ସୁଯୋଗ ସୃଷ୍ଟି କରିବେ। ପୁଣି ନଭେମ୍ବର ଓ ଡିସେମ୍ବରରେ ଅନୁରୂପ ଫଳ ମିଳିବ। ସେପ୍ଟେମ୍ବରରୁ ନଭେମ୍ବର ଭିତରେ ଦଶମ ତଥା ନୀଚସ୍ଥ ବୃହସ୍ପତିଙ୍କୁ ପୂଜା, ଦାନ ଆଦି ଦ୍ୱାରା ସନ୍ତୁଷ୍ଟ କଲେ ଅଶୁଭତ୍ୱର ନିରଶନ ଘଟିବ। ’ଓଁ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ଜପ କରନ୍ତୁ। ସୁନା, ଘିଅ ଓ ହଳଦିଆ ବସ୍ତ୍ର ଦାନ କରନ୍ତୁ। ବ୍ୟବସାୟ-ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ଅଷ୍ଟମ କେତୁ ଦୁର୍ଘଟଣାର କାରଣ ହୋଇପାରେ ଏବଂ ଦ୍ୱିତୀୟ ରାହୁ ଆର୍ଥିକ କ୍ଷେତ୍ରରେ ଅନିଶ୍ଚିତା ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ। ନିଷ୍ଠାପର କର୍ମ ସଦ୍ୟ ନ ହେଲେ ବି ପରବର୍ତ୍ତୀ ସମୟରେ ଶୁଭଫଳଦାୟୀ ହେବ। ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଲାଗି ସହନଶୀଳତାର ଜରୁରୀ ଆବଶ୍ୟକତା ଅଛି।

ଅଶ୍ୱିନୀ ନକ୍ଷତ୍ରଜାତ ବ୍ୟକ୍ତିମାନେ ଟିକିଏ ଜଗିରଖି ଚଳିବା ଉଚିତ। ତେବେ ଆର୍ଥିକ ପରିସ୍ଥିତି ଉତ୍ତମ ରହିବ। ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତି ମାନଯଶ, ଅର୍ଥସମ୍ପଦ ପାଇବେ। କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ପରିସ୍ଥିତିରୁ ଲାଭ ଉଠାଇପାରିବେ। ଶେୟାରବଜାରରେ ପୁଞ୍ଜିନିବେଶ ଲାଭଜନକ ନ ହୋଇପାରେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମଝିକୁ ଛାଡ଼ି ବର୍ଷର ଆରମ୍ଭ ଓ ଶେଷ ଭାଗରେ ସମ୍ଭାବ୍ୟ ପ୍ରତିକୂଳତାର ପ୍ରତିକାର ଲାଗି ଗୌରାଙ୍ଗ ବ୍ରାହ୍ମଣଙ୍କୁ ସୁବର୍ଣ୍ଣ ଓ ଦକ୍ଷିଣା ଦାନ କରନ୍ତୁ।

ବୃଷ

ବର୍ଷ ଶେଷ ପର୍ଯ୍ୟନ୍ତ  ଆପଣଙ୍କର ବର୍ତ୍ତମାନର ସ୍ଥିତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ନବମ ଶନି, ସପ୍ତମ କେତୁ ଓ ଜନ୍ମରାହୁ ଦୁର୍ଘଟଣା, ରୋଗ ଓ ପୀଡ଼ାକାରକ। ଶନି ସପ୍ତା ବର୍ଷ ସାରା ବଳବର ରହିବ। ବୃହସ୍ପତି ୯ମରୁ ୧୦ମକୁ ଯାଇ ପୁଣି ୯ମକୁ ଓ ତା’ପରେ ୧୦ମକୁ ଫେରିବେ। ୯ମ ବୃହସ୍ପତି ନୀଚସ୍ଥ ହେଲେ ମଧ୍ୟ ତାଙ୍କର ନୀଚଭଙ୍ଗ ହେଉଥିବାରୁ ଶୁଭଫଳଦାୟୀ ହେବେ। ତୀର୍ଥଯାତ୍ରା ବ୍ୟତୀତ ଦୂରଯାତ୍ରା ନ କରିବା ଭଲ। ମାଲିମକଦ୍ଦମା ଓ ବିବାଦରେ ପଶିବା ଉଚିତ ନୁହେଁ। ମାନସିକ ଦୁଶ୍ଚିନ୍ତା, ଅବସାଦ ଦେଖାଦେଇପାରେ। ଘାତ ପ୍ରତିଘାତ ଓ ପ୍ରତିବନ୍ଧକ ମଧ୍ୟରେ ସମୟ ଅତିବାହିତ ହେବ। କିନ୍ତୁ ବୃଷ ରାଶି ପାଇଁ ଶନି ଯୋଗକାରକ ହୋଇଥିବାରୁ ପ୍ରତିକାର କଲେ ଓ ସତ୍‌କାର୍ଯ୍ୟରେ ରତ ରହିଲେ ଅଶୁଭଫଳ ହ୍ରାସ ପାଇବ।

ଶିଳ୍ପ-ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ। ସତ୍‌ନିଷ୍ଠା ଦୃଢ଼ ମନୋବଳ ବୃଦ୍ଧି କରିବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ସ୍ତ୍ରୀ ବା ସ୍ତ୍ରୀଲୋକଙ୍କ ସହ ଝଗଡ଼ା କରନ୍ତୁ ନାହିଁ। ତାହା ଅଯଥା ବିବାଦକୁ ଡାକିଆଣି ପାରେ। କିଛି ଆହ୍ବାନର ସାମନା କରିବାକୁ ପଡ଼ିପାରେ। ଜୀବନସାଥୀ ପାଇଁ ବା କୌଣସି ଧାର୍ମିକ କାର୍ଯ୍ୟକଳାପରେ ଟଙ୍କା ଖର୍ଚ୍ଚ କରିପାରନ୍ତି। ଶନିସପ୍ତାର ପ୍ରତିକୂଳତାରୁ ରକ୍ଷା ପାଇବା ପାଇଁ ପ୍ରତିକାରସ୍ବରୂପ ’ଓଁ ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ। ସକାଳେ ସଜ ରୁଟି ଛିଣ୍ଡାଇ କୁଆଙ୍କୁ ଖାଇବାକୁ ଦିଅନ୍ତୁ। ଶନିବାର ସନ୍ଧ୍ୟା ସମୟରେ ଅଶ୍ୱତ୍ଥବୃକ୍ଷ ଚାରିପଟେ ଶନିଙ୍କ ମନ୍ତ୍ର ଜପ କରି ପ୍ରଦକ୍ଷିଣ କରିବା ସହ ଦୀପଦାନ କରନ୍ତୁ।

କୃତ୍ତିକା ନକ୍ଷତ୍ର ଅସାବଧାନତା ହେତୁ ଚୋରି, ଠକାମିର ଶିକାର ହୋଇପାରନ୍ତି। ରୋହିଣୀ ନକ୍ଷତ୍ର ପାଇଁ ପରିସ୍ଥିତି ବର୍ଷର ମଧ୍ୟଭାଗରେ ଅନୁକୂଳ ରହିବ। ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ଅନେକ ଶୁଭଫଳ ପାଇବେ। ପାରିବାରିକ ସମସ୍ୟାର ସମାଧାନ, ମାଙ୍ଗଳିକ କାର୍ଯ୍ୟ ଓ ଋଣ ପରିଶୋଧର ଅବସର ମିଳିବ। ଅଶୁଭତ୍ୱର ପ୍ରତିକାର ସ୍ବରୂପ କଳା ବ୍ରାହ୍ମଣଙ୍କୁ ଲୌହ ଦାନ କରନ୍ତୁ ଏବଂ ‘ଓଁ ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ। ଶନିବାର ଓ ମଙ୍ଗଳବାର ହନୁମାନ ଚାଳିଶା ପାଠ କରନ୍ତୁ।

ମିଥୁନ

ଚଳିତବର୍ଷ ବର୍ଷ ଦ୍ୱାଦଶରେ ରାହୁ, ଷଷ୍ଠରେ କେତୁ, ଅଷ୍ଟମରେ ଶନି ଓ ବୃହସ୍ପତି ଅଛନ୍ତି। ଏମାନେ ସମସ୍ତେ ଅଶୁଭକାରକ। ଅନେକ କ୍ଷେତ୍ରରେ ଗତାନୁଗତିକତା ତଥା ପଛଟାଣ ଅନୁଭବ କରିବେ। ବୃହସ୍ପତି ମଝିରେ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ଶୁଭ ଫଳ ଦେବେ। ସେହି ସମୟରେ ଆର୍ଥିକ ସମସ୍ୟାରେ କିଛିଟା ସୁଧାର ଆସିବ। ତା’ପରେ ମାନସିକ ଦୁଶ୍ଚିନ୍ତା, ଦାମ୍ପତ୍ୟ କଳହ, ବ୍ୟବସାୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା, ମାନ୍ଦାବସ୍ଥା କାରଣରୁ ଶିଳ୍ପ-ଉଦ୍ୟୋଗରେ ଅଚଳାବସ୍ଥା, ସ୍ୱାସ୍ଥ୍ୟଚିନ୍ତା ଆଦି ଘାରିବ। ଦ୍ୱାଦଶ ରାହୁ ବୃଥା ଗମନାଗମନ, ଅଧିକ ବ୍ୟୟ, ହାନି ଆଦିର କାରଣ ହେବ।

ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ଶନିସପ୍ତାର ପ୍ରତିକୂଳତାରୁ ରକ୍ଷା ପାଇବା ପାଇଁ ପ୍ରତିକାରସ୍ୱରୂପ ‘ଓଁ ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ। ସକାଳେ ସଜ ରୁଟି ଛିଣ୍ଡାଇ କୁଆଙ୍କୁ ଖାଇବାକୁ ଦିଅନ୍ତୁ। ଶନିବାର ସନ୍ଧ୍ୟା ସମୟରେ ଅଶ୍ୱତ୍ଥବୃକ୍ଷ ଚାରିପଟେ ଶନିଙ୍କ ମନ୍ତ୍ର ଜପ କରି ପ୍ରଦକ୍ଷିଣ କରିବା ସହ ଦୀପଦାନ କରନ୍ତୁ। ବୃହସ୍ପତିଙ୍କ ମନ୍ତ୍ର ’ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ। ସମସ୍ୟା ଦୂର ହୋଇପାରିବ।

ମୃଗଶିରା ନକ୍ଷତ୍ର ମଧ୍ୟମ ଫଳ ପାଇବେ। ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଯାନବାହନ ଦୁର୍ଘଟଣା ଓ ବାଣିଜ୍ୟ-ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ପୁନର୍ବସୁ ନକ୍ଷତ୍ର ପ୍ରେମ ବ୍ୟାପାରରେ ଅସଫଳ ହେବେ। ତେବେ ବର୍ଷର ମଧ୍ୟଭାଗ ଏକ୍ଷେତ୍ରରେ ଶୁଭଫଳ ଦେଇପାରେ।

କର୍କଟ

ବର୍ଷ ଆରମ୍ଭରୁ ୭ମରେ ଶନି, ବୃହସ୍ପତି, ୫ମରେ କେତୁ ଓ ଏକାଦଶରେ ରାହୁ ଅଛନ୍ତି। ୭ମ ବୃହସ୍ପତି କର୍ମକ୍ଷେତ୍ରରେ ଓ ଆର୍ଥିକ ଦୃଷ୍ଟିରୁ ଶୁଭଫଳ ଦେବେ। ୭ମ ଶନି ଅଶୁଭ ହେଲେ ମଧ୍ୟ ସ୍ବଗୃହୀ ଓ ବୃହସ୍ପତିଯୁକ୍ତ ହେତୁ ଅଶୁଭଫଳଦାୟକ ହେବେନାହିଁ। ତଥାପି ଶନିସପ୍ତାର ପ୍ରଥମ ଚରଣ ଭୋଗ ଚାଲିଥିବାରୁ ଏହାର ପ୍ରତିକୂଳତାରୁ ରକ୍ଷା ପାଇବା ପାଇଁ ପ୍ରତିକାରସ୍ୱରୂପ ‘ଓଁ ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ। ସକାଳେ ସଜ ରୁଟି ଛିଣ୍ଡାଇ କୁଆଙ୍କୁ ଖାଇବାକୁ ଦିଅନ୍ତୁ। ଶନିବାର ସନ୍ଧ୍ୟା ସମୟରେ ଅଶ୍ୱତ୍ଥବୃକ୍ଷ ଚାରିପଟେ ଶନିଙ୍କ ମନ୍ତ୍ର ଜପ କରି ପ୍ରଦକ୍ଷିଣ କରିବା ସହ ଦୀପଦାନ କରନ୍ତୁ।

କଳା ବ୍ରାହ୍ମଣଙ୍କୁ ଲୌହ, ବିରି, ଗୁଡ଼, ସୋରିଷ ତେଲ ଦକ୍ଷିଣା ସହ ଦାନ କରନ୍ତୁ। ବର୍ଷକ ଭିତରେ ବୃହସ୍ପତିଙ୍କର ତିନିଥର ଚଳନ ଘଟି ସେ ସପ୍ତମରୁ ଅଷ୍ଟମକୁ ଓ ପୁଣି ସପ୍ତମକୁ ଓ ତା’ପରେ ଅଷ୍ଟମକୁ ଯିବେ। ଲଗ୍ନକୁ ବୃହସ୍ପତି ଶୁଭ ହୋଇଥିଲେ ହଳଦିଆ ବସ୍ତ୍ର ଓ ପୋଖରାଜ ପରିଧାନ କରନ୍ତୁ। ତ’ହେଲେ ଆର୍ଥିକ ସମସ୍ୟା ଦୂର ହୋଇପାରିବ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିପାରନ୍ତି। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଆଦି କାର୍ଯ୍ୟରେ ଉନ୍ନତି ଘଟିବ। ସାମାଜିକ ସ୍ତରରେ ସମ୍ମାନ, ପ୍ରଶଂସା ଓ ପ୍ରତିଷ୍ଠା ପାଇବେ। ଏକାଦଶ ରାହୁ ଆର୍ଥିକ ଓ ବ୍ୟବସାୟଗତ ସମସ୍ୟା ଦୂର କରି ପାରନ୍ତି। ପଞ୍ଚମ କେତୁର ପ୍ରତିକାର ପାଇଁ ’ଓଁ କେଂ କେତବେ ନମଃ’ ମନ୍ତ୍ର ଜପ କରନ୍ତୁ ଓ କଳା ବ୍ରାହ୍ମଣଙ୍କୁ ଛାଗଦାନ କରନ୍ତୁ।

ପୁନର୍ବସୁ ନକ୍ଷତ୍ରର ବ୍ୟକ୍ତି ନୀଚ ସଙ୍ଗରୁ ଦୂରରେ ରହିବା ଉଚିତ। ପୁଷ୍ୟା ନକ୍ଷତ୍ର ଉତ୍ତମ ଫଳ ପାଇବେ। ଅଶ୍ଳେଷା ନକ୍ଷତ୍ରର ବ୍ୟକ୍ତି ବିଳମ୍ବରେ ହେଲେ ବି ନିଜର ସ୍ୱପ୍ନ ସାକାର କରିପାରିବେ।

ସିଂହ

ବର୍ଷ ଆରମ୍ଭରେ ବୃହସ୍ପତି ଷଷ୍ଠରେ ଅଶୁଭପ୍ରଦ ଓ ମଧ୍ୟଭାଗରେ ସେ ସପ୍ତମକୁ ଯାଇ ଶୁଭଫଳ ଦେବେ। ଷଷ୍ଠଶନି ବର୍ଷସାରା ଶୁଭଫଳ ଦେବେ। ବାଣିଜ୍ୟ-ବ୍ୟବସାୟରେ ଶୁଭଫଳ ପାଇବେ। ମାଲିମକଦ୍ଦମାରେ ବିଜୟୀ ହେବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିପାରନ୍ତି। ଅପ୍ରତ୍ୟାଶିତ ଭାବେ ଘର, ଜମି, ଗାଡ଼ିମୋଟର ଲାଭର ସୁଯୋଗ ମିଳିପାରେ। ସଭାସମିତିରେ ସମ୍ମାନିତ ହେବେ। ସାମାଜିକ ସ୍ତରରେ ସମ୍ମାନ, ପ୍ରଶଂସା ଓ ପ୍ରତିଷ୍ଠା ପାଇବେ। ରାଜନୀତିରେ ସଫଳତା ମିଳିବ।

ପ୍ରଶାସନିକ କ୍ଷେତ୍ରରେ ପ୍ରଭାବ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ରଚନାତ୍ମକ କାର୍ଯ୍ୟରେ ସୁଫଳ, ଶିକ୍ଷା କ୍ଷେତ୍ରରେ ସମ୍ମାନ, ମାଲିମକଦ୍ଦମାରେ ବିଜୟ, ଶତ୍ରୁନାଶ, ବକେୟା ଅର୍ଥପ୍ରାପ୍ତି ଆଦି ସୁଫଳ ପାଇପାରନ୍ତି। ଅବଶିଷ୍ଟ ସମୟ କେତେକ ପ୍ରକାର ଅଶୁଭଫଳ ଆଣିଦେଇପାରେ। ଆର୍ଥିକ, ସାମାଜିକ ଓ ଚାକିରି କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ପୁରୁଣା ରୋଗ, ପରିଶୋଧ ହୋଇ ନ ଥିବା ଋଣ ଏବଂ ଶତ୍ରୁମାନଙ୍କ ପୀଡ଼ା କଷ୍ଟ ଦେବ। ମକରସ୍ଥ ବୃହସ୍ପତିଙ୍କ ଅଶୁଭତ୍ୱ ନିରାକରଣ ପାଇଁ ହଳଦିଆ ବସ୍ତ୍ର, ସୁବର୍ଣ୍ଣ ଓ ଘିଅ ଦକ୍ଷିଣା ସହ ଦାନ କରନ୍ତୁ। ମଘା ନକ୍ଷତ୍ରର ବ୍ୟକ୍ତି ସତର୍କ ରହି ଚଳିବା ଦରକାର। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ବ୍ୟକ୍ତି ବନ୍ଧୁ-ପରିଜନଙ୍କ ସାହାଯ୍ୟ ନେଇ କାର୍ଯ୍ୟରେ ଉନ୍ନତି କରିପାରିବେ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ବ୍ୟକ୍ତି ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ।

କନ୍ୟା

ବର୍ଷଟି ଆପଣଙ୍କ ପାଇଁ ବହୁ ଦୃଷ୍ଟିରୁ ବିଘ୍ନକାରକ। ଅର୍ଥଚିନ୍ତା ଘାରିବ। ଋଣ କରିବାକୁ ପଡ଼ିପାରେ କିମ୍ବା ଋଣ ପରିଶୋଧର ଚିନ୍ତା ଘାରିପାରେ। ପରିବାରରେ ଅଶାନ୍ତି ଦେଖାଦେଇପାରେ। କଣ୍ଟକ ଶନି ଆପଣଙ୍କୁ କଣ୍ଟା ଉପରେ ଚଲେଇବାର ଅନୁଭତି ହେବେ। ଏବର୍ଷ ଶନି ମକରରେ ବର୍ଷସାରା ରହିବେ ଏବଂ ଏ ଅବସ୍ଥାନ ଆପଣଙ୍କ ପାଇଁ ଶୁଭକାରକ ନୁହେଁ। ତେବେ ଶୁଭଗ୍ରହ ବୃହସ୍ପତି ଯୁକ୍ତ ହେବା ଯୋଗୁ ଏବଂ ମକରରେ ସ୍ବଗୃହୀ ହେବା ଯୋଗୁ ଅଶୁଭତ୍ୱ ହ୍ରାସ ପାଇବ ଏବଂ ସମସ୍ୟାରୁ ମୁକୁଳିବାର ବାଟ ପାଇପାରିବେ। ତଥାପି କିଛିଟା କଷ୍ଟ ତ ସହିବାକୁ ପଡ଼ିବ। ଅଗ୍ନିରେ ପଡ଼ିଲେ ସିନା ସୁନା ଝଟକିଥାଏ। ସେହିପରି ଦୁଃଖକଷ୍ଟର କଷଟିରେ କଷିହୋଇ ଆପଣଙ୍କ ଚରିତ୍ରର ଦ୍ୟୁତି ପ୍ରକଟିତ ହେବ।

ତେବେ ପେଟରୋଗ, ବାୟୁଦୋଷ, ଅଣ୍ଟା ଯନ୍ତ୍ରଣା, ଦୃଷ୍ଟିଶକ୍ତିରେ ହ୍ରାସ ପ୍ରଭୃତି ସମସ୍ୟା ଦେଖାଦେଇ ପାରେ। ମାଆଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି। ଅବୋଲକରା ସନ୍ତାନ ଆପଣଙ୍କ ମନରେ ଦୁଃଖ ଦେଇପାରନ୍ତି। ନିଜର ଜ୍ଞାତି, ଭାଇ ଓ କୁଟୁମ୍ବଙ୍କ ଚିନ୍ତାଧାରା ଆପଣଙ୍କ ପ୍ରତି ବଦଳିଯାଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବାରୁ ଋଣ କରିବା କଥା ଚିନ୍ତା କରିପାରନ୍ତି। କିନ୍ତୁ ଖର୍ଚ୍ଚ କମାଇ ଋଣକୁ ଏଡ଼ାଇପାରିଲେ ଭଲ ହେବ। କାରଣ ରୋଗ, ଋଣ ଓ ଶତ୍ରୁ କ୍ରମଶଃ ବଢ଼ିବାର ପ୍ରବଣତା ଦେଖାନ୍ତି। ବୃହସ୍ପତିଙ୍କ କୁମ୍ଭସ୍ଥିତି ସମୟରେ ତାଙ୍କର ମନ୍ତ୍ର ’ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ ଏବଂ ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର, ଖେଚୁଡ଼ି ଅନ୍ନ, ମୁଗଡାଲି ଓ ଘିଅ ଦାନ କରନ୍ତୁ। ଶନିଙ୍କ ଅଶୁଭତ୍ୱ ନିରାକରଣ ପାଇଁ ଶନିଙ୍କ ମନ୍ତ୍ର ’ଓଁ ଶଂ ଶନୈଶ୍ଚରାୟ ନମଃ’ ଜପ କରନ୍ତୁ। ଏଥି ସହ ପ୍ରତ୍ୟହ ସକାଳେ ହନୁମାନ ଚାଳିଶା ଓ ରାତିରେ ଶନି ଚାଳିଶା ପାଠ କଲେ ଶନିଜନିତ ପ୍ରତିକୂଳ ପରିସ୍ଥିତିରୁ ରକ୍ଷା ପାଇପାରିବେ। କୌଣସି ସମସ୍ୟା ରହିବ ନାହିଁ।

ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି, ଆର୍ଥିକ ଲାଭ, ବ୍ୟବସାୟିକ ସଫଳତା ପ୍ରଦାନ କରିବ। ହସ୍ତା ନକ୍ଷତ୍ର ଅତୀତର ବିଫଳତାରୁ ଶିକ୍ଷା କରି ପୁଣି ନୂତନ ଉତ୍ସାହରେ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି କଳା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ସଫଳତା ପାଇବେ।

ତୁଳା

ଆପଣଙ୍କ ଜନ୍ମରାଶିରୁ ଚତୁର୍ଥରେ ବର୍ଷ ଆରମ୍ଭରେ ଶନି, ବୃହସ୍ପତି, ସପ୍ତମରେ ମଙ୍ଗଳ, ଦ୍ୱିତୀୟରେ କେତୁ, ଶୁକ୍ର, ତୃତୀୟରେ ରବି ଓ ବୁଧ ଏବଂ ଅଷ୍ଟମରେ ରାହୁ ଅଛନ୍ତି। ଏମାନଙ୍କ ମଧ୍ୟରୁ ଶନି, ବୃହସ୍ପତି, ମଙ୍ଗଳ ଓ ରାହୁ ଅଶୁଭଫଳଦାୟୀ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ କୁମ୍ଭସ୍ଥ ବୃହସ୍ପତିଙ୍କ ଶୁଭତ୍ୱ ବୃଦ୍ଧିରେ ସହାୟକ ହେବେ। କିନ୍ତୁ ଚତୁର୍ଥ ଶନି ଓ ବୃହସ୍ପତି ଅଶୁଭକାରକ ହେଲେ ମଧ୍ୟ ତୁଳାରାଶିକୁ ଶନି ଯୋଗକାରକ ଓ ମକରରେ ସ୍ୱଗୃହୀ ହେତୁ ଓ ନୈସର୍ଗିକ ଶୁଭଗ୍ରହର ସମ୍ପର୍କ ହେତୁ ଅଶୁଭଫଳ ଦେବେ ନାହିଁ। ବିଶେଷତଃ ମାତା, ଭୂମି, ଭବନ, ବନ୍ଧୁ ସମ୍ପର୍କୀୟ ଶୁଭଫଳ ମିଳିବ। ଆର୍ଥିକ ସ୍ୱଚ୍ଛଳତା ଓ କର୍ମ କ୍ଷେତ୍ରରେ ଉନ୍ନତି ଘଟିବ। ନୂତନ ଜମିଜମା, ଯାନବାହନ ଲାଭ,  ବ୍ୟବସାୟ-ବାଣିଜ୍ୟରେ ଅଭିବୃଦ୍ଧି ଆଦି ସମ୍ଭାବନା ସୃଷ୍ଟି କରିବେ। ତେବେ ବୃଥା ଯାତ୍ରା, ଅର୍ଥହାନି, ବ୍ୟବସାୟାଦିରେ କ୍ଷତି, ମନସ୍ତାପ, କଳହ ଆଦି ଦେଖାଦେଇପାରେ। ସନ୍ତାନଙ୍କ ଭୁଲ୍‌ କାମ ଯୋଗୁ ଲଜ୍ଜିତ ହୋଇପାରନ୍ତି।

ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ବର୍ଷର ଶେଷଭାଗରେ ଭାଗ୍ୟ ଅନୁକୂଳ ହେବ। ଆଦ୍ୟଭାଗରେ ପୂଜା ପୂର୍ବକ ଶୁଭଫଳ ମିଳିବ। ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତି ଭ୍ରାତୃ ସହଯୋଗରୁ ଉନ୍ନତି କରିବେ। କ୍ରୀଡ଼ା, କଳା, ସଂସ୍କୃତି କ୍ଷେତ୍ରରେ ଶୁଭଫଳ ପାଇବେ। ଅଧା ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ବର୍ଷର ପୂର୍ବାର୍ଦ୍ଧ ଅପେକ୍ଷା ଶେଷାର୍ଦ୍ଧ ଅଧିକ ଅନୁକୂଳ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃହସ୍ପତିଙ୍କ ଅଶୁଭତ୍ୱ ଦୂର ପାଇଁ ବୃହସ୍ପତିଙ୍କ ମନ୍ତ୍ର ’ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ ଏବଂ ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର, ଖେଚୁଡ଼ି ଅନ୍ନ, ମୁଗଡାଲି ଓ ଘିଅ ଦାନ କରନ୍ତୁ।

ବିଛା

ବର୍ଷଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ଦେବ। ବର୍ଷ ସାରା ଶନି ଶୁଭ ଓ ବୃହସ୍ପତି ଅଶୁଭ ଥିବା ବେଳେ ରାହୁ ଓ କେତୁ ମଧ୍ୟ ଅଶୁଭଫଳ ଦେବେ। ବ୍ୟବସାୟ-ବାଣିଜ୍ୟରେ ଉନ୍ନତି, ଆର୍ଥିକ କାରବାରରେ ଲାଭ, ବନ୍ଧୁ-ପରିଜନରେ ସୌଖ୍ୟ ମିଳିବ। ତୀର୍ଥଯାତ୍ରାର ସୁଯୋଗ ମିଳିପାରେ। ଚାକିରି ବା କର୍ମକ୍ଷେତ୍ରରେ ପ୍ରଶଂସା, ପଦୋନ୍ନତି ବା ଆୟବୃଦ୍ଧିର ସମ୍ଭାବନା ରହିଛି। ମନୋବାଞ୍ଛା ପୂରଣ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉପରିସ୍ଥ କର୍ମକର୍ତ୍ତାଙ୍କ ଅନୁଗ୍ରହ ପାଇପାରିବେ। ଜନ୍ମ ଜାତକରେ ଦଶାଫଳ ଶୁଭ ଥିଲେ କିଛି ଚିନ୍ତା କରିବାର କାରଣ ନାହିଁ। କିନ୍ତୁ ୭ମସ୍ଥ ରାହୁ ତଥା ଜନ୍ମ କେତୁ ସ୍ୱାସ୍ଥ୍ୟହାନି ଓ ଦୁର୍ଘଟଣାକାରକ।

ପରିବାରରେ ବି ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଆପଣଙ୍କ ରାଗୀ ସ୍ବଭାବ ନିଜ ପାଇଁ ଅଶାନ୍ତି ଓ ବିପଦ ଡାକିଆଣିପାରେ। ସାବଧାନରେ ଚଳନ୍ତୁ। ଆର୍ଥିକ ସ୍ଥିତି, ସାମାଜିକ କ୍ଷେତ୍ର ସାଙ୍ଗକୁ ରାଜନୈତିକ ପରିସ୍ଥିତି ମଧ୍ୟମ ପ୍ରକାର ରହିବ। ଅନାବଶ୍ୟକ ଭାବେ ଅତିରିକ୍ତ ବ୍ୟୟ ଓ ବିଳାସବ୍ୟସନଠାରୁ ଦୂରରେ ରହିବା ଉଚିତ। ପ୍ରତି ଗୁରୁବାର, ଶନିବାର ଓ ରବିବାର ନିରାମିଷ ଭୋଜନ କରନ୍ତୁ। ବିନା ପିଆଜ ରସୁଣ ସହ ଶୁଦ୍ଧ ସାତ୍ତ୍ବିକ ଆହାର ଆପଣଙ୍କ ପାଇଁ ଶୁଭଙ୍କର। ବୃହସ୍ପତିଙ୍କ ମନ୍ତ୍ର ’ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ। ହଳଦିଆ ବସ୍ତ୍ର, ମୁଗଡାଲି, ଗୁଡ଼, ଘିଅ ଦାନ କରନ୍ତୁ। ଶୁଭଫଳ ପାଇବେ।

ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ଆଶା ଓ ଆଶଙ୍କା ଭିତରେ ସମୟ କାଟିବେ। ଅନୁରାଧା ନକ୍ଷତ୍ର ଅର୍ଥ, ଶ୍ରମ ଓ ସମୟକୁ ବିନିଯୋଗ କରି ମଧ୍ୟ ଦୈବ ସହଯୋଗ ବିନା କାର୍ଯ୍ୟରେ ସଫଳ ହେବା କଷ୍ଟକର ହେବ। ସେଥିପାଇଁ ନିରାମିଷ ଭୋଜନ ସହ ଗୁରୁମନ୍ତ୍ର ଜପ କରନ୍ତୁ। ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ଚାକିରି ବା ବ୍ୟବସାୟ ଯାହା କରନ୍ତୁ ନା କାହିଁକି ସଫଳତା, ପ୍ରଶଂସା ଓ ଲାଭ ସୁଗମ ହେବ। ଘରକୁ ଅତିଥି-ଅଭ୍ୟାଗତଙ୍କ ଆଗମନ ଘଟିପାରେ।

ଧନୁ

ଶନିଙ୍କ ଅବସ୍ଥିତି ମାନସିକ ଦୁଶ୍ଚିନ୍ତା ବୃଦ୍ଧି କରିବ। ଆର୍ଥିକ ସ୍ରୋତରେ କିଛିଟା ଭଟ୍ଟା ପଡ଼ିପାରେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ। ନିଷ୍ଠାପର କର୍ମ ସଦ୍ୟ ନ ହେଲେ ବି ପରବର୍ତ୍ତୀ ସମୟରେ ଶୁଭଫଳଦାୟୀ ହେବ। ଦ୍ୱିତୀୟ ବୃହସ୍ପତି ଆପଣଙ୍କୁ ଅନେକ କାର୍ଯ୍ୟରେ ସିଦ୍ଧି ଆଣି ଦେବେ। ବୁଦ୍ଧି, ବିଦ୍ୟା ଓ କୌଶଳ ଖଟାଇ ସବୁ ସମସ୍ୟାର ସମାଧାନ କରିପାରିବେ। ଚାକିରି, ବ୍ୟବସାୟ ବା ଶିଳ୍ପ କ୍ଷେତ୍ରରେ କୌଣସି ସମସ୍ୟା ରହିବ ନାହିଁ। ଆର୍ଥିକ ପରିସ୍ଥିତି ପୂର୍ବ ବର୍ଷ ଅପେକ୍ଷା ଭଲ ରହିବ। ନୂତନ ଯାନବାହନ ବା ଗୃହୋପକରଣ କ୍ରୟ କରିପାରନ୍ତି। ଷଷ୍ଠ ରାହୁ ଶତ୍ରୁନାଶ କରିବେ। ଦ୍ବାଦଶ କେତୁ ବ୍ୟୟ ବୃଦ୍ଧି କରିପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ ସାମୟିକ ଅନଟନ ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟଟାକୁ ଜଗିବାକୁ ପଡ଼ିବ। କୌଣସି ନୀଚ ସ୍ତ୍ରୀଲୋକଙ୍କ ସହ ସମ୍ପର୍କ ରଖିବା ବିପଜ୍ଜନକ। ପୁରୁଣା ରୋଗର ପ୍ରାଦୁର୍ଭାବ ବୃଦ୍ଧି ହୋଇପାରେ। ଶନି ସାଢ଼େସାତୀର ପ୍ରତିକାର ପାଇଁ ସକାଳେ ହନୁମାନ ଚାଳିଶା ଓ ରାତିରେ ଶନି ଚାଳିଶା ପାଠ କରନ୍ତୁ କିମ୍ବା ଶନି ମନ୍ତ୍ର ’ଓଁ ଶଂ ଶନୈଶ୍ଚରାୟ ନମଃ’ ଜପ କରନ୍ତୁ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ତୃତୀୟ ବୃହସ୍ପତିଙ୍କ ଅଶୁଭତ୍ୱର ପ୍ରତିକାର ପାଇଁ ବୃହସ୍ପତିଙ୍କ ମନ୍ତ୍ର ’ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ। ହଳଦିଆ ବସ୍ତ୍ର, ଖେଚୁଡ଼ି ଅନ୍ନ, ସୁନା ଓ ଘିଅ ଦାନ କରନ୍ତୁ।

ମୂଳା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଫଳ ଉତ୍ତମ। କେବଳ ବ୍ୟୟ ସଙ୍କୋଚନ ଦ୍ୱାରା  କୌଣସି ଆର୍ଥିକ ସମସ୍ୟାରେ ପଡ଼ିବେ ନାହିଁ। ସ୍ୱାସ୍ଥ୍ୟ ପାଇଁ ଶନିମନ୍ତ୍ର କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଶିକ୍ଷା ଓ କର୍ମ କ୍ଷେତ୍ରରେ ଶୁଭଫଳ ପାଇବେ। ଚାକିରିରେ ପଦୋନ୍ନତି ଘଟିବ। ଅବସରପ୍ରାପ୍ତ ବ୍ୟକ୍ତିମାନେ ବିଦେଶରେ ରହୁଥିବା ପୁଅବୋହୂଙ୍କ ପାଖରେ ରହି ଅଧିକାଂଶ ସମୟ କଟାଇପାରନ୍ତି। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି କେବଳ ସ୍ୱାସ୍ଥ୍ୟକୁ ଜଗି ଚଳିବା ଦରକାର। ପ୍ରତି ଶନି ଓ ମଙ୍ଗଳବାର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ସହ ହନୁମାନ ଚାଳିଶା ପାଠ କରନ୍ତୁ। ଅଶ୍ୱତ୍ଥମୂଳେ ଜଳଦାନ ଓ ପ୍ରଦକ୍ଷିଣ କରନ୍ତୁ ଏବଂ ଶନିବାର ଦୀପ ଜାଳନ୍ତୁ।

ମକର

ବର୍ଷସାରା ଜନ୍ମରାଶିରେ ଶନି ଓ ବୃହସ୍ପତି ଅଶୁଭଫଳଦାୟକ ହେବେ। ଏବେ ଶନି ସାଢ଼େସାତୀର ଦ୍ବିତୀୟ ଚରଣ ଭୋଗ ଚାଲିଛି। ବୃଥା ଯାତ୍ରା, ଅର୍ଥହାନି, ବ୍ୟବସାୟାଦିରେ କ୍ଷତି, ମନସ୍ତାପ, କଳହ ଆଦି ଦେଖାଦେଇପାରେ। ସନ୍ତାନଙ୍କ ଭୁଲ୍‌ କାମ ଯୋଗୁ ଲଜ୍ଜିତ ହୋଇପାରନ୍ତି। ଏହାପରେ ପରିସ୍ଥିତିରେ ଉନ୍ନତି ଦେଖାଯିବ। ଆର୍ଥିକ ସ୍ବଚ୍ଛଳତା ଫେରିଆସିବ। କିନ୍ତୁ ମକରରେ ଶନି ଶୁଭଯୁକ୍ତ ଓ ସ୍ୱଗୃହୀ ହେଉଥିବାରୁ ଅଶୁଭତ୍ୱ ହ୍ରାସ ପାଇବ। ଶୁଭ ଫଳ ମିଳିବାରେ ବିଳମ୍ବ ହେବ। ଏକାଧିକ ଧନ୍ଦାରେ ହାତ ଦେଇ ଚିନ୍ତାଗ୍ରସ୍ତ ରହିବେ। ଭଲକରି ଟିକେ ଖାଇବା ପିଇବାକୁ ବି ସମୟ ମିଳିବ ନାହିଁ। ଆର୍ଥିକ ପରିସ୍ଥିତି ମଧ୍ୟମ ପ୍ରକାର ରହିବ।

ଦ୍ୱିତୀୟାର୍ଦ୍ଧରେ ପୂର୍ବକୃତ ଶ୍ରମର ଫଳ ମିଳିପାରେ। ସତ୍‌କର୍ମ କେବେହେଲେ ବ୍ୟର୍ଥ ଯାଏ ନାହିଁ, ଏହି ଆପ୍ତବାକ୍ୟର ସତ୍ୟତା ଅନୁଭବ କରିବେ। ତଥାପି ଶନି ସାଢ଼େସାତୀ ଭୋଗ ହେଉଥିବାରୁ ଜଗିରଖି ଚଳିବା ଆବଶ୍ୟକ। ସକାଳେ ହନୁମାନ ଚାଳିଶା ଓ ରାତିରେ ଶନି ଚାଳିଶା ପାଠ କରନ୍ତୁ କିମ୍ବା ଶନି ମନ୍ତ୍ର ’ଓଁ ଶଂ ଶନୈଶ୍ଚରାୟ ନମଃ’ ଜପ କରନ୍ତୁ।

ଉତ୍ତରାଷାଢ଼ା ନକ୍ଷତ୍ର ପାଇଁ ଫଳ ମଧ୍ୟମ ପ୍ରକାର ହେବ। ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପରିବାରରେ ହସଖୁସିର ଅବସର ମିଳିବ। ବର୍ଷର ଉତ୍ତରାର୍ଦ୍ଧରେ ଘରେ ନୂତନ ସ୍ଥାୟୀ ଅତିଥିଙ୍କ କୁଆଁ କୁଆଁ ଧ୍ୱନି ଶୁଣାଯାଇପାରେ। ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ବୃହସ୍ପତିଙ୍କ ମନ୍ତ୍ର ’ଓଁ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ଜପ କରନ୍ତୁ। କୌଣସି ସମସ୍ୟା ରହିବ ନାହିଁ।

କୁମ୍ଭ

କୁମ୍ଭ: ବର୍ଷ ଆରମ୍ଭରୁ ଶନି ଓ ବୃହସ୍ପତି ଜନ୍ମରାଶିରୁ ୧୨ଶରେ ଅଛନ୍ତି। ଏକାଦଶରେ ରବି ଓ ବୁଧ, ଚତୁର୍ଥରେ ରାହୁ ଓ ୧୦ମରେ କେତୁ ଅଛନ୍ତି। ବର୍ଷଟି ଆପଣଙ୍କର ବିଶେଷ ଭଲ ଫଳ ଦେବନାହିଁ। ଆର୍ଥିକ ସ୍ଥିତି ଭଲ ରହିବ ନାହିଁ। ଖର୍ଚ୍ଚ ବଢ଼ିବ। ଦୂରଯାତ୍ରା ନ କରିବା ଭଲ। ରବି ଓ ବୁଧଙ୍କ ସ୍ଥିତି ଯୋଗୁ କେତେକ ନୂତନ କାମର ପରିକଳ୍ପନା ସାଙ୍ଗକୁ ପାରିବାରିକ ଜୀବନର ସୁଖଦ ଅନୁଭୂତି ମିଳିବ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟ-ବାଣିଜ୍ୟରେ ମଧ୍ୟମ ପ୍ରକାର ଫଳ ଲାଭ ହେବ। କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ।

ଶନି ସାଢ଼େସାତୀର ପ୍ରଥମ ଚରଣ ଭୋଗ ଚାଲିଛି। ସତ୍‌କର୍ମ ଓ ସତ୍‌ଚିନ୍ତାନିରତ ରହିଲେ ଶନି ଆପଣଙ୍କର କିଛି କ୍ଷତି କରିବେ ନାହିଁ। ପୂଜା, ଦାନ ଆଦି ଦ୍ୱାରା ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବା ସହ ’ଓଁ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ଜପ କରନ୍ତୁ। ସୁନା, ଘିଅ ଓ ହଳଦିଆ ବସ୍ତ୍ର ଦାନ କରନ୍ତୁ। ଶନି ସାଢ଼େସାତୀର ପ୍ରତିକାର ପାଇଁ ସକାଳେ ହନୁମାନ ଚାଳିଶା ଓ ରାତିରେ ଶନି ଚାଳିଶା ପାଠ କରନ୍ତୁ କିମ୍ବା ଶନି ମନ୍ତ୍ର ’ଓଁ ଶଂ ଶନୈଶ୍ଚରାୟ ନମଃ’ ଜପ କରନ୍ତୁ। କୁଆ, କୁକୁରଙ୍କୁ ଖାଇବାକୁ ଦିଅନ୍ତୁ।

ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ଶୁଭଫଳ ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ମାଧ୍ୟମରେ ଉପକୃତ ହେବେ। ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ଶାରୀରିକ ଅସୁସ୍ଥତା ଭୋଗ କରିପାରନ୍ତି। ବିଳମ୍ବରେ କାର୍ଯ୍ୟ ସଫଳ ହେବ। ପୂର୍ବଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ନିର୍ଭୀକତା ଓ ସତ୍ୟବାଦିତା ହେତୁ ସାମୟିକ ସମସ୍ୟାରେ ପଡ଼ି ପାରନ୍ତି। କିନ୍ତୁ ପରିଶେଷରେ ବିଜୟ ହାସଲ କରିବେ।

ମୀନ

ଚଳିତବର୍ଷ ସାରା ଶନି ମକରରେ ଏକାଦଶ ଘରେ ରହିବେ। ତାଙ୍କ ସହ ବୃହସ୍ପତି ବି ଅଛନ୍ତି। ଏକାଦଶରେ ଶନି ଓ ବୃହସ୍ପତି ଉଭୟ ଶୁଭଫଳଦାୟୀ। କର୍ମକ୍ଷେତ୍ରରେ ଉନ୍ନତି, ବ୍ୟବସାୟ-ବାଣିଜ୍ୟରେ ଉନ୍ନତି, ଆର୍ଥିକ କାରବାରରେ ଲାଭ, ବନ୍ଧୁ-ପରିଜନରେ ସୌଖ୍ୟ ମିଳିବ। ତୀର୍ଥଯାତ୍ରାର ସୁଯୋଗ ମିଳିପାରେ। ଚାକିରି ବା କର୍ମକ୍ଷେତ୍ରରେ ପ୍ରଶଂସା, ପଦୋନ୍ନତି ବା ଆୟବୃଦ୍ଧିର ସମ୍ଭାବନା ରହିଛି।  ମନୋବାଞ୍ଛା ପୂରଣ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉପରିସ୍ଥ କର୍ମକର୍ତ୍ତାଙ୍କ ଅନୁଗ୍ରହ ପାଇପାରିବେ।

ମଝିରେ କିଛିଦିନ ବୃହସ୍ପତି ଦ୍ୱାଦଶ କୁମ୍ଭକୁ ଯାଇ ବ୍ୟୟବୃଦ୍ଧି କରାଇବେ। ତେବେ ଏହି ବ୍ୟୟ ସତ୍‌କାର୍ଯ୍ୟରେ ହେଲେ ଭଲ। ପରେ ତା’ର ଶୁଭଫଳ ମିଳିବ। ରାଜନୀତିରେ, କର୍ମକ୍ଷେତ୍ରରେ, ମାଲିମୋକଦ୍ଦମାରେ, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି କରିବେ। ମୋଟାମୋଟି ଭାବେ ବର୍ଷଟି ଆପଣଙ୍କ ପାଇଁ ଅନେକ ପ୍ରକାରରେ ଶୁଭଫଳ ପ୍ରଦାନ କରିବ। ତେବେ ପ୍ରେମ ଓ ପ୍ରଣୟ ବ୍ୟାପାରରେ ନିଷ୍ପତ୍ତି ନେବା ବେଳେ ଗୁରୁଜନଙ୍କ ପରାମର୍ଶ ନେବା ଉଚିତ। କାରଣ ଆପଣଙ୍କ ଭାବପ୍ରବଣ ମନ ଠିକ୍‌ ନିଷ୍ପତ୍ତି ନେବାରେ ଭୁଲ କରିପାରେ।

ପୂର୍ବଭାଦ୍ର ନକ୍ଷତ୍ର ପାଇଁ କାର୍ଯ୍ୟ ସାଧନ, ଗୃହରେ ସୁଖ, ଶାନ୍ତି ଓ ଉପଭୋଗର ଅବସର ମିଳିବ। ଉତ୍ତରଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ବର୍ଷଟି ଅଧିକ ଶୁଭଫଳ ଦେବ। ସାମାଜିକ ଓ ପାରିବାରିକ କ୍ଷେତ୍ରରେ ପୂର୍ବାପେକ୍ଷା ଭଲ ଫଳ ମିଳିବ। ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଭଲ ସମୟ ଆସୁଛି। ସ୍ୱାସ୍ଥ୍ୟରେ ଉନ୍ନତି, ଶିକ୍ଷା, ଗବେଷଣା, ପରୀକ୍ଷା ପ୍ରଭୃତିରେ ଉତ୍ସାହଜନକ ସୁଫଳ ମିଳିବ।

Comments (0)
Add Comment