ଜାଣନ୍ତୁ ଆପଣଙ୍କ ରାଶି ପାଇଁ କେଉଁ ରଙ୍ଗ ଶୁଭ ?

ଅନେକେ ପଚାରନ୍ତି, “ମୋର ଅମୁକ ରାଶି। ମୋର କେଉଁ ରଙ୍ଗ ଶୁଭ ଟିକେ କହିବେ, ମୁଁ ଗୋଟେ ଗାଡ଼ି କିଣିବି।” ପ୍ରକୃତରେ ରଙ୍ଗଜନିତ ଶୁଭାଶୁଭତ୍ୱ ରାଶିରୁ ନୁହେଁ, ଲଗ୍ନ ଅନୁଯାୟୀ ବିଚାର‌୍ୟ୍ୟ। କିନ୍ତୁ ରାଶି ଯେହେତୁ କେତେକାଂଶରେ ଲଗ୍ନ ଭଳି ଫଳ ଦିଏ, ତେଣୁ ଯେଉଁମାନଙ୍କର ଲଗ୍ନ ଜଣାନାହିଁ, ସେମାନେ ରାଶିକୁ ଲଗ୍ନ ଭାବି ସେହି ଅନୁଯାୟୀ ନିଜର ଶୁଭାଶୁଭ ରଙ୍ଗ ଚୟନ କରିପାରିବେ। ଗାଡ଼ି କିଣିବା, ଘରେ ରଙ୍ଗ ଦେବା, ବିଛଣାଚଦର, ଡୋରସ୍କିନ୍ ଆଦିର ରଙ୍ଗ ନିର୍ଦ୍ଧାରଣ କଲାବେଳେ ନିଜର ଲଗ୍ନ ବା ରାଶି ଅନୁଯାୟୀ ଶୁଭରଙ୍ଗ ଚୟନ କରିବା ଉଚିତ। ପ୍ରତ୍ୟେକ ଜାତକରେ ଲଗ୍ନାଧିପତି (ଲଗ୍ନ ଜଣା ନ ଥିଲେ ରାଶ୍ୟାଧିପତି), ଲଗ୍ନ (ରାଶି)ଠାରୁ ପଞ୍ଚମାଧିପତି ଓ ନବମାଧିପତି ଗ୍ରହ ଶୁଭ ହୋଇଥାନ୍ତି। ଏହି ଅଧିପତି ଗ୍ରହ ଯଦି ରବି ହୋଇଥାନ୍ତି, ତେବେ ତାଙ୍କ ଶୁଭରଙ୍ଗ କମଳା ବା ପାଟଳ, ଚନ୍ଦ୍ର ହୋଇଥିଲେ ଧଳା, ମଙ୍ଗଳ ହୋଇଥିଲେ ଲାଲ, ବୁଧ ହୋଇଥିଲେ ସବୁଜ, ବୃହସ୍ପତି ହୋଇଥିଲେ ହଳଦିଆ, ଶୁକ୍ର ହୋଇଥିଲେ ଧଳା (ଭିନ୍ନମତ ଅନୁସାରେ ଧଳା-କଳା ମିଶା ଛିଟ ରଙ୍ଗ) ଏବଂ ଶନି ହୋଇଥିଲେ ନୀଳ (ଭିନ୍ନମତ ଅନୁସାରେ କଳା) ରଙ୍ଗ ଆପଣଙ୍କ ପାଇଁ ଶୁଭ।

ଆସିଛି ରଙ୍ଗର ପର୍ବ ହୋଲି। କେତେକ ପାଠକ ପ୍ରଶ୍ନ ପଚାରିଛନ୍ତି, କେଉଁ ରଙ୍ଗରେ ହୋଲି ଖେଳିବା ତାଙ୍କ ପାଇଁ ଶୁଭ। ପ୍ରକୃତରେ ଅବିରରେ ହିଁ ହୋଲି ଖେଳାଯାଏ ଏବଂ ଅବିରର ରଙ୍ଗ ହେଉଛି ଲାଲ୍। ଆମେ ଯେଉଁ ରଙ୍ଗବେରଙ୍ଗର ଅବିର ବଜାରରେ ଦେଖୁଛୁ, ସେଗୁଡ଼ିକ ବିଭିନ୍ନ ରାସାୟନିକ ପଦାର୍ଥରେ ତିଆରି ନକଲି ଅବିର, ଯାହା ଆମ ଶରୀର ପାଇଁ କ୍ଷତିକାରକ। ଅବିରର ରଙ୍ଗ ବିଷୟରେ ଲେଖିଲା ବେଳେ କବି ଯଦୁମଣିଙ୍କ ଗୋଟିଏ କବିତା ପଂକ୍ତି ମନେପଡ଼ୁଛି:

“ଛବିରେ କେ ଜିଣେ ନବରବିଙ୍କି,
କେ ପେଟ ପୋଷେ ଧନୁଶର ବିକି,
ଜଳ ପ୍ରତି ଭୀତି କାହାର ନିତି,
କା’ର ଭୟ ନାହିଁ ଉରଗ ପ୍ରତି?
ବିଚାରି କହିବ,
ଚାରି ପଦାର୍ଥ ଏକ ହୋଇଥିବ।”

ଏ ଚାରୋଟି ପ୍ରଶ୍ନର ଉତ୍ତର ହେଉଛି ଗୋଟିଏ ‘ଅବିର’। ଛବିରେ ଜିଣେ କେ ନବରବିଙ୍କି, ଅର୍ଥାତ୍ ବାଳସୂର‌୍ୟ୍ୟଙ୍କଠାରୁ ଚମକଦାର ରଙ୍ଗ କାହାର? ଅବିରର ଏହିପରି ଚମକଦାର ତମ୍ବାଳିଆ ବା ଲାଲ ରଙ୍ଗ। କେ ପେଟ ପୋଷେ ଧନୁଶର ବିକି? ଧନୁଶର ମାରି ବୀର ପେଟ ପୋଷିଥାନ୍ତି, କିନ୍ତୁ ଯିଏ ‘ଅବୀର’ ବା ଦୁର୍ବଳ ସେ ଧନୁଶର ବିକି ପେଟ ପୋଷିଥାନ୍ତି। ଜଳ ପ୍ରତି ଭୀତି କାହାର ନିତି? ଉତ୍ତର ‘ଅବି’ର। ଅବି ମାନେ ଛେଳି। ଛେଳି ସବୁବେଳେ ପାଣିକୁ ଭୟ କରେ। କା’ର ଭୟ ନାହିଁ ଉରଗ ପ୍ରତି? ଉତ୍ତର: ‘ଅ-ବି’ର। ଅ ମାନେ ବିଷ୍ଣୁ। ବି ମାନେ ପକ୍ଷୀ। ତେଣୁ ଅବି ମାନେ ବିଷ୍ଣୁଙ୍କ ପକ୍ଷୀ ଗରୁଡ଼। ଗରୁଡ଼ ଉରଗ (ଉର ବା ଛାତିରେ ଭରାଦେଇ ଗତି କରନ୍ତି ବୋଲି ସାପକୁ ଉରଗ କୁହାଯାଏ) ବା ସାପକୁ ଭୟ କରେ ନାହିଁ। ବରଂ ସାପ ହେଉଛି ଗରୁଡ଼ର ଖାଦ୍ୟ।

ତେଣୁ ଆମେ ଏଥିରୁ ଜାଣିଲେ ଯେ ଅବିରର ମୂଳ ରଙ୍ଗ ହେଉଛି ଲାଲ। ତେଣୁ ହୋଲି ଖେଳିବାର ଅଛି ତ କେବଳ ଲାଲ୍ ରଙ୍ଗର ଖାଣ୍ଟି ଅବିରରେ ଖେଳିବା ଉଚିତ। ସେ ଅବିର ରାସାୟନିକ ଧାତବ ପଦାର୍ଥରେ ତିଆରି ହୋଇ ନ ଥିବା ଦରକାର। ଯଦି ରଙ୍ଗବେରଙ୍ଗର ଅବିରରେ ହୋଲି ଖେଳିବାକୁ ଚାହାନ୍ତି, ତେବେ ଜୈବିକ ବା ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ।

କେଉଁ ଲଗ୍ନ ବା ରାଶି ପାଇଁ କେଉଁ ରଙ୍ଗ ଶୁଭ

ମେଷ : ମେଷ ଲଗ୍ନକୁ ଲଗ୍ନାଧିପତି ମଙ୍ଗଳଙ୍କ ରଙ୍ଗ ଲାଲ, ପଞ୍ଚମାଧିପତି ରବିଙ୍କ ଶୁଭରଙ୍ଗ କମଳା ଏବଂ ନବମାଧିପତି ବୃହସ୍ପତିଙ୍କ ରଙ୍ଗ ହଳଦିଆ। ତେଣୁ ମେଷଲଗ୍ନ ବା ରାଶିର ଜାତକମାନେ ଲାଲ, କମଳା ଓ ହଳଦିଆ ରଙ୍ଗ ବ୍ୟବହାର କରିବା ଶୁଭପ୍ରଦ।
ବୃଷ : ବୃଷ ଲଗ୍ନକୁ ଲଗ୍ନାଧିପତି ଶୁକ୍ରଙ୍କ ରଙ୍ଗ ଧଳା, ପଞ୍ଚମାଧିପତି ବୁଧଙ୍କ ରଙ୍ଗ ସବୁଜ ଏବଂ ନବମାଧିପତି ଶନିଙ୍କ ରଙ୍ଗ ନୀଳ। ତେଣୁ ବୃଷ ଲଗ୍ନ ବା ରାଶିର ଜାତକ ପାଇଁ ଶୁଭ ରଙ୍ଗ ଧଳା, ସବୁଜ ଓ ନୀଳ।
ମିଥୁନ : ମିଥୁନ ଲଗ୍ନକୁ ଲଗ୍ନାଧିପତି ବୁଧଙ୍କ ରଙ୍ଗ ସବୁଜ, ପଞ୍ଚମାଧିପତି ଶୁକ୍ରଙ୍କ ରଙ୍ଗ ଧଳା ଏବଂ ନବମାଧିପତି ଶନିଙ୍କ ରଙ୍ଗ ନୀଳ। ତେଣୁ ମିଥୁନ ଲଗ୍ନ ବା ରାଶିର ଜାତକ ପାଇଁ ଶୁଭ ରଙ୍ଗ ସବୁଜ, ଧଳା ଓ ନୀଳ।
କର୍କଟ : କର୍କଟ ଲଗ୍ନକୁ ଲଗ୍ନାଧିପତି ଚନ୍ଦ୍ରଙ୍କ ରଙ୍ଗ ଧଳା, ପଞ୍ଚମାଧିପତି ମଙ୍ଗଳଙ୍କ ରଙ୍ଗ ଳାଲ ଏବଂ ନବମାଧିପତି ବୃହସ୍ପତିଙ୍କ ରଙ୍ଗ ହଳଦିଆ। ତେଣୁ କର୍କଟ ଲଗ୍ନ ବା ରାଶିର ଜାତକମାନେ ଧଳା, ଲାଲ ଓ ହଳଦିଆ ରଙ୍ଗ ବ୍ୟବହାର କରିବା ଶୁଭପ୍ରଦ।
ସିଂହ : ସିଂହ ଲଗ୍ନକୁ ଲଗ୍ନାଧିପତି ରବିଙ୍କ ଶୁଭରଙ୍ଗ କମଳା, ପଞ୍ଚମାଧିପତି ବୃହସ୍ପତିଙ୍କ ରଙ୍ଗ ହଳଦିଆ ଏବଂ ନବମାଧିପତି ମଙ୍ଗଳଙ୍କ ରଙ୍ଗ ଲାଲ। ତେଣୁ ସିଂହ ଲଗ୍ନ ବା ରାଶିର ଜାତକମାନେ କମଳା, ହଳଦିଆ ଓ ଲାଲ ରଙ୍ଗ ବ୍ୟବହାର କରିବା ଶୁଭପ୍ରଦ।
କନ୍ୟା : କନ୍ୟା ଲଗ୍ନକୁ ଲଗ୍ନାଧିପତି ବୁଧଙ୍କ ରଙ୍ଗ ସବୁଜ, ପଞ୍ଚମାଧିପତି ଶନିଙ୍କ ରଙ୍ଗ ନୀଳ ଏବଂ ନବମାଧିପତି ଶୁକ୍ରଙ୍କ ରଙ୍ଗ ଧଳା। ତେଣୁ କନ୍ୟା ଲଗ୍ନ ବା ରାଶିର ଜାତକ ପାଇଁ ଶୁଭ ରଙ୍ଗ ସବୁଜ, ନୀଳ ଓ ଧଳା।
ତୁଳା : ତୁଳା ଲଗ୍ନକୁ ଲଗ୍ନାଧିପତି ଶୁକ୍ରଙ୍କ ରଙ୍ଗ ଧଳା, ପଞ୍ଚମାଧିପତି ଶନିଙ୍କ ରଙ୍ଗ ନୀଳ ଏବଂ ନବମାଧିପତି ବୁଧଙ୍କ ରଙ୍ଗ ସବୁଜ। ତେଣୁ ତୁଳା ଲଗ୍ନ ବା ରାଶିର ଜାତକ ପାଇଁ ଶୁଭ ରଙ୍ଗ ଧଳା, ନୀଳ ଓ ସବୁଜ।
ବିଛା : ବିଛା ଲଗ୍ନକୁ ଲଗ୍ନାଧିପତି ମଙ୍ଗଳଙ୍କ ରଙ୍ଗ ଲାଲ, ପଞ୍ଚମାଧିପତି ବୃହସ୍ପତିଙ୍କ ରଙ୍ଗ ହଳଦିଆ ଏବଂ ନବମାଧିପତି ଚନ୍ଦ୍ରଙ୍କ ରଙ୍ଗ ଧଳା। ତେଣୁ ବିଛା ଲଗ୍ନ ବା ରାଶିର ଜାତକମାନେ ଲାଲ, ହଳଦିଆ ଓ ଧଳା ରଙ୍ଗ ବ୍ୟବହାର କରିବା ଶୁଭପ୍ରଦ।
ଧନୁ : ଧନୁ ଲଗ୍ନକୁ ଲଗ୍ନାଧିପତି ବୃହସ୍ପତିଙ୍କ ରଙ୍ଗ ହଳଦିଆ, ପଞ୍ଚମାଧିପତି ମଙ୍ଗଳଙ୍କ ରଙ୍ଗ ଲାଲ ଏବଂ ନବମାଧିପତି ରବିଙ୍କ ଶୁଭରଙ୍ଗ କମଳା। ତେଣୁ ଧନୁ ଲଗ୍ନ ବା ରାଶିର ଜାତକମାନେ ହଳଦିଆ, ଲାଲ ଓ କମଳା ରଙ୍ଗ ବ୍ୟବହାର କରିବା ଶୁଭପ୍ରଦ।
ମକର : ମକର ଲଗ୍ନକୁ ଲଗ୍ନାଧିପତି ଶନିଙ୍କ ରଙ୍ଗ ନୀଳ, ପଞ୍ଚମାଧିପତି ଶୁକ୍ରଙ୍କ ରଙ୍ଗ ଧଳା ଏବଂ ନବମାଧିପତି ବୁଧଙ୍କ ରଙ୍ଗ ସବୁଜ। ତେଣୁ ମକର ଲଗ୍ନ ବା ରାଶିର ଜାତକ ପାଇଁ ଶୁଭ ରଙ୍ଗ ନୀଳ, ଧଳା ଓ ସବୁଜ।
କୁମ୍ଭ : କୁମ୍ଭ ଲଗ୍ନକୁ ଲଗ୍ନାଧିପତି ଶନିଙ୍କ ରଙ୍ଗ ନୀଳ, ପଞ୍ଚମାଧିପତି ବୁଧଙ୍କ ରଙ୍ଗ ସବୁଜ ଏବଂ ନବମାଧିପତି ଶୁକ୍ରଙ୍କ ରଙ୍ଗ ଧଳା। ତେଣୁ କୁମ୍ଭ ଲଗ୍ନ ବା ରାଶିର ଜାତକ ପାଇଁ ଶୁଭ ରଙ୍ଗ ନୀଳ, ସବୁଜ ଓ ଧଳା।
ମୀନ : ମୀନ ଲଗ୍ନକୁ ଲଗ୍ନାଧିପତି ବୃହସ୍ପତିଙ୍କ ରଙ୍ଗ ହଳଦିଆ, ପଞ୍ଚମାଧିପତି ଚନ୍ଦ୍ରଙ୍କ ରଙ୍ଗ ଧଳା ଏବଂ ନବମାଧିପତି ମଙ୍ଗଳଙ୍କ ରଙ୍ଗ ଲାଲ। ତେଣୁ ମୀନ ଲଗ୍ନ ବା ରାଶିର ଜାତକମାନେ ହଳଦିଆ, ଧଳା ଓ ଲାଲ ରଙ୍ଗ ବ୍ୟବହାର କରିବା ଶୁଭପ୍ରଦ।

Comments (0)
Add Comment