ପୁଲଓ୍ୱାମା ଆକ୍ରମଣକୁ ଦୁଇ ବର୍ଷ,ବଳିଦାନ ଦେଇଥିଲେ ୪୦ ଯବାନ। ମନେ ପକାଉଛି ସାରା ଦେଶ

କୋଶଲ ନ୍ୟୁଜ୍ ବ୍ୟୁରୋ : ସେ ଦିନର କଥା ମନେପଡ଼ିଲେ ଆଜି ବି ଶିତେଇ ଉଠେ ଦେହ। କଶ୍ମୀରର ପୁଲଓ୍ୱାମାରୁ ଆସିଥିଲା ଛାତିଥରା ଖବର- ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଗଲେ ୪୦ ଜଣ ବୀର ଯବାନ। ସମଗ୍ର ଦେଶ ସ୍ତମ୍ଭୀଭୂତ ! ଆତଙ୍କୀ ଆକ୍ରମଣର ରକ୍ତରଂଜିତ ଇତିହାସର ସବୁଠୁ ବଡ଼ ଘଟଣା। ଦେଶରେ ଗୋଟିଏ ପଟେ ଥିଲା କ୍ରୋଧର ଲହୁ ଓ ଅନ୍ୟ ପଟେ ବୀର ଯବାନଙ୍କୁ ହରାଇବାର ଦୁଃଖର ଲୁହ।
 ଆଜିକୁ ପୁଲଓ୍ୱାମା ଆକ୍ରମଣକୁ ୨ ବର୍ଷ ପୂରା ହୋଇଛି। ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା। ଆତଙ୍କବାଦୀଙ୍କୁ ଆକ୍ରମଣରେ ସହିଦ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା। ଯବାନଙ୍କ ପ୍ରାଣବଳୀରେ କାନ୍ଦିଥିଲା ସାରାଦେଶ। ଏହି ଘଟଣାରେ କିଏ ନିଜ ସ୍ୱାମୀକୁ ହରାଇଥିଲା ତ କିଏ ବାପାକୁ ହରେଇଥିଲା ଆଉ କିଏ ନିଜ ଯବାନ ପୁଅକୁ ହରାଇ ବେସାହାରା ହୋଇପଡ଼ିଥିଲା। ସେହିପରି କିଏ ନିଜ ବିବାହର ପ୍ରସ୍ତୁତି କରି ଚାକିରିକୁ ଯାଇଥିଲା ବେଳେ କଫିନରେ ନିଜ ଗାଁକୁ ଫେରିଥିଲେ।
କେମିତି ଘଟିଲା ଏହି ଘଟଣା?
ଫେବ୍ରୁଆରି ୧୪, ୨୦୧୯ର ଘଟଣା। ୨୫୦୦ ଯବାନଙ୍କୁ ନେଇ ସିଆର୍‌ପିଏଫ୍‌ର ୭୦ଟି ଗାଡ଼ି ଜମ୍ମୁରୁ ଶ୍ରୀନଗର ଯାଉଥିଲା। ଫେବ୍ରୁଆରି ୧୪ ତାରିଖ ଭୋର୍ ୩ଟା ୩୦ରୁ ଏହି ବସ୍‌ଗୁଡ଼ିକ ଶ୍ରୀନଗର ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବାର ଥିଲା। ହେଲେ ପୁଲଓ୍ୱାମା ନିକଟରେ ଆତଙ୍କବାଦୀମାନେ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ। ଯବାନମାନେ ଶ୍ରୀନଗର ଯାଉଥିବା ଖବର ପାଇ ଆତଙ୍କବାଦୀମାନେ ଏକ କାର୍‌ରେ ବିସ୍ଫୋରକ ଭର୍ତ୍ତି କରି ରଖିଥିଲେ।
ରାସ୍ତାରେ ଆଗ ପଛ ହୋଇ ଯବାନମାନଙ୍କ ଗାଡ଼ି ଯାଉଥିବା ବେଳେ ହଠାତ୍ ବିସ୍ଫୋରକ ଭର୍ତ୍ତି କାର୍‌ଟି ମାଡ଼ି ଆସିଥିଲା। ସିଆର୍‌ପିଏଫ୍‌ର ଗୋଟି ବସ୍‌ ସହ ସିଧାସଳଖ ପିଟି ହୋଇଥିଲା। ଏହି ବସ୍‌ରେ ୩୯ ଜଣ ଯବାନ ଥିଲେ। ଏହି ବସ୍‌ ସମେତ ଅନ୍ୟ ବସ୍‌ ବି କ୍ଷତିଗ୍ରସ୍ତ ହୋଇଥିଲା। ଯବାନଙ୍କ ରକ୍ତରେ ରାସ୍ତାବି ଜୁଡ଼ୁବୁଡ଼ୁ ଥିଲା।
 ମୁଖ୍ୟ ଅଭିଯୁକ୍ତ ଥିଲା ଆଦିଲ ଅହମ୍ମଦ
ଆତଙ୍କବାଦୀ ଆଦିଲ ଅହମ୍ମଦ ଡାରକୁ ଏହି ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା। ବିସ୍ଫୋରକ ଭର୍ତ୍ତି କାରକୁ ଆଦିଲ ଅହମ୍ମଦ ହିଁ ଚଳାଉଥିଲା। ସିଆର୍‌ପିଏଫ୍ ବସ୍ ପୁଲଓ୍ୱାମା ଅତିକ୍ରମ କରୁଥିବା ବେଳେ ଆଦିଲ ବିସ୍ଫୋରକ କାର୍ ନେଇ ବସ୍‌କୁ ଧକ୍କା ଦେଇଥିଲେ।
Comments (0)
Add Comment