ମେ’ ପହିଲାରୁ ନୂତନ ଟିକାକରଣ : ପ୍ରଭାବୀ କାର୍ଯ୍ୟକାରିତା ଲାଗି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା

ନୂଆଦିଲ୍ଲୀ : ମେ’ ପହିଲାରୁ ଦେଶରେ ନୂତନ ଟିକାକରଣ ରଣନୀତି (ତୃତୀୟ ପର୍ୟ୍ୟାୟ)ର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ମାର୍ଗଦର୍ଶନ କରିବା ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଜାରି କରିଛନ୍ତି। କୋଭିଡ ରୋଗୀଙ୍କ ଲାଗି ସେମାନଙ୍କର ବର୍ତ୍ତମାନର ଡାକ୍ତରଖାନା ଓ କ୍ଲିନିକାଲ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ କରିବା ଯୋଜନାର ସମୀକ୍ଷା କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ କୋଭିଡ-୧୯ ମୁକାବିଲା ପାଇଁ ପ୍ରଯୁକ୍ତି ଓ ଡାଟା ପରିଚାଳନା ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀର ଅଧ୍ୟକ୍ଷ ଡ. ଆର.ଏସ ଶର୍ମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଡ. ଆର ଏସ ଶର୍ମା କହିଛନ୍ତି ଯେ କୋଓ୍ବିନ ପ୍ଲାଟଫର୍ମକୁ ଏବେ ମଜବୁତ କରାଯାଇପାରିଛି ଏବଂ ଏହା ଅଧିକମାତ୍ରାରେ ବାଧାମୁକ୍ତ ଭାବେ କାର୍ଯ୍ୟ କରିପାରିବ। ଏହା ମେ ପହିଲାରୁ ଆରମ୍ଭ ହେଉଥିବା ନୂତନ ଟିକାକରଣ ପର୍ୟ୍ୟାୟର ଜଟିଳତାକୁ ମୁକାବିଲା କରିବା ନିମନ୍ତେ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ସଠିକ ଏବଂ ସମୟୋପଯୋଗୀ ଡାଟା ଅପଲୋଡ୍ କରାଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ତ୍ରୁଟିପୂର୍ଣ୍ଣ ଡାଟା ସମ୍ପୂର୍ଣ୍ଣ ପ୍ରକ୍ରିୟାର ବିଶ୍ବସନୀୟତା ପ୍ରତି ଆଞ୍ଚ ଆଣିବ ବୋଲି ସେ କହିଥିଲେ।
ମେ’ ପହିଲାରୁ ଆରମ୍ଭ ହେଉଥିବା ତୃତୀୟ ପର୍ୟ୍ୟାୟ ଟିକାକରଣ ନିମନ୍ତେ ରାଜ୍ୟଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ କେତେକ ପରାମର୍ଶ ଦିଆଯାଇଛି :


• ଘରୋଇ ଡାକ୍ତରଖାନା, ଶିଳ୍ପ ପ୍ରତିଷ୍ଠାନ, ଶିଳ୍ପ ସଂଘଗୁଡ଼ିକର ଡାକ୍ତରଖାନା ଆଦି ଦ୍ବାରା ମିଶନ ମୋଡରେ ଅତିରିକ୍ତ ଘରୋଇ କୋଭିଡ ଟିକାକରଣ କେନ୍ଦ୍ର (ସିଭିସି) ପାଇଁ ପଞ୍ଜୀକରଣ କରିବା, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ସ୍ଥାପନ କରିବା, ଆବେଦନ/ଅନୁରୋଧ ପାଇଁ ବ୍ୟବସ୍ଥା ଏବଂ ସେଗୁଡ଼ିକର ପ୍ରକ୍ରିୟାକରଣ, ପଡ଼ିରହିଥିବା ପଞ୍ଜୀକରଣର ଅନୁଧ୍ୟାନ ଆଦି ନିମନ୍ତେ ପରାମର୍ଶ ଦିଆଯାଇଛି।
• ଟିକା କ୍ରୟ କରିଥିବା ଡାକ୍ତରଖାନାଗୁଡ଼ିକର ସଂଖ୍ୟା ଏବଂ କୋଓ୍ବିନ ପ୍ଲାଟଫର୍ମରେ ସେମାନେ ଘୋଷଣା କରିଥିବା ଷ୍ଟକ ଓ ଦର ଅନୁଧ୍ୟାନ ।
• ପର୍ୟ୍ୟାୟକ୍ରମେ ଯୋଗ୍ୟ ଜନସାଧାରଣଙ୍କ ଟିକାକରଣ ନିମନ୍ତେ କୋଓ୍ବିନ୍ ସ୍ଲଟରେ ଯଥେଷ୍ଟ ଟିକାକରଣ ସ୍ଥାନ ପ୍ରଦର୍ଶିତ କରାଯିବ।
• ସିଧାସଳଖ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ବାରା ଟିକା କ୍ରୟ ନିମନ୍ତେ ପ୍ରାଥମିକତା ଭିତ୍ତିରେ ନିର୍ଣ୍ଣୟ।
• ୧୮-୪୫ ବର୍ଷ ବୟସ ବର୍ଗଙ୍କ ପାଇଁ ‘କେବଳ ଅନଲାଇନ ପଞ୍ଜୀକରଣ’ ସୁବିଧାର ପ୍ରଚାର କରାଯିବ।
• ଟିକାକରଣ, ଏଇଏଫଆଇ ରିପୋର୍ଟିଂ ଓ ପରିଚାଳନା ପାଇଁ ସିଭିସି କର୍ମଚାରୀମାନଙ୍କୁ ତାଲିମ, କୋଓ୍ବିନର ବ୍ୟବହାର- ତାଲିମର କାର୍ଯ୍ୟସୂଚୀ ଏବଂ ଟିକା ଷ୍ଟକ ସମ୍ବନ୍ଧୀୟ ସମାଧାନ ଘରୋଇ ସିଭିସିଗୁଡ଼ିକୁ ଦିଆଯାଇସାରିଛି।
• ସିଭିସିଗୁଡ଼ିକରେ ପ୍ରଭାବୀ ଭିଡ଼ ପରିଚାଳନା ପାଇଁ ଆଇନଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ସହିତ ସମନ୍ବୟ ସ୍ଥାପନ।

Comments (0)
Add Comment