୨୦୨୧ ବର୍ଷ ପାଇଁ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

ନବରଙ୍ଗପୁର :-୨୦୨୧ ବର୍ଷ ପାଇଁ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ : ନବରଙ୍ଗପୁର ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୦୨୧ ବର୍ଷ ପାଇଁ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ମିଶ୍ର ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପୋଲିଓ ଡ୍ରପ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଜିଲ୍ଲାରେ ପୋଲିଓ ପରି ଭୟଙ୍କର ରୋଗକୁ ଦମନ କରାଯାଇପାରିଛି ବୋଲି କହିଥିଲେ। ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ୨ ଡ୍ରପ ପୋଲିଓ ବୁନ୍ଦା ଦେବା ପାଇଁ ଜନସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । 
ଜିଲ୍ଲାରେ ୧ଲକ୍ଷ ୫୯ ହଜାର ୨୭୩ ଜଣ ୫ ବର୍ଷରୁ କମ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଏଥିପାଇଁ ୬୦୦ଟି ମୁଖ୍ୟ ବୁଥ୍ ହୋଇଥିବାବେଳେ ୧୨ଶହଟି ସବ୍ ବୁଥର ବ୍ୟବସ୍ଥା କରାଯାଇଛି। ୩ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ବୁଥ ମାନଙ୍କରେ ଦିଆଯିବ ଓ ପର ୨ଦିନ କର୍ମଚାରୀମାନେ ଘର ଘର ବୁଲି ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଗତ ବର୍ଷମାନଙ୍କରେ ନବରଙ୍ଗପୁର ଜିଲ୍ଲାର ଶତ ପ୍ରତିଶତ ଶିଶୁ ପୋଲିଓ ଡ୍ରପ ନେଇଥିବା ବେଳେ ଏହି ବର୍ଷ ମଧ୍ୟ ଶତପ୍ରତିଶତ ସଫଳତା ହାସଲ କରିବା ପାଇଁ ସବୁସ୍ତରରେ ଉଦ୍ୟମ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଏହି କାର୍ଯ୍ୟକ୍ରମ ଲାଗି ସବୁ ସ୍ତରର ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି।
Comments (0)
Add Comment