ଜୁଆ ଆଡ୍ଡାରେ ଚଢ଼ଉ: ପୁଲିସକୁ ଆକ୍ରମଣ, ମାରପିଟ୍ କରି ମହିଳା ଆଇଆଇସିଙ୍କ ଡ୍ରେସ୍ ଚିରିଦେଲେ

ବନ୍ଦ କୋଠରିରୁ ମହିଳା ଆଇଆଇସିଙ୍କୁ ଉଦ୍ଧାର କଲା ପୁଲିସ

ଜଳେଶ୍ବର/ଭୋଗରାଇ: ଜୁଆ ଆଡ୍ଡା ଉପରେ ଚଢ଼ଉ ବେଳେ ବାଲେଶ୍ବର ଜିଲ୍ଲା ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀ ଚମ୍ପାବତୀ ସୋରେନ୍‌ଙ୍କ ସହ ଥାନାର ୪ ଜଣ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ପାଖାପାଖି ଶହେରୁ ଅଧିକ ପୁରୁଷ ଓ ମହିଳା ମିଶି ଥାନା ଆଇଆଇସି ଶ୍ରୀମତୀ ସୋରେନ୍‌ଙ୍କୁ ଘେରିଯାଇ ଟଣାଘୋଷରା କରିଥିଲେ। କେବଳ ସେତିକି ନୁହେଁ, ମହିଳା ଥାନା ଅଧିକାରୀଙ୍କୁ ମାରପିଟ୍‌ କରିବା ସହିତ ତାଙ୍କ ପୋଷାକ ଚିରିଦେଇଥିଲେ। ଏହାପରେ ଏଏସ୍‌ଆଇ ପୀଥ ମୁର୍ମୁଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ଉଭୟଙ୍କୁ ଏକ ଘରେ ବନ୍ଦ କରି ନିର୍ଯାତନା ଦେଇଥିବା ଖବର ମିଳିଛି। ପୁଲିସକୁ ଆକ୍ରମଣ ପଛରେ ନିଶା ମାଫିଆଙ୍କ ହାତ ରହିଥିବା ବେଳେ ଏହି ଘଟଣା ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୦ଟା ବେଳେ ଆଇଆଇସି ଶ୍ରୀମତୀ ସୋରେନ୍‌ କର୍ମଚାରୀଙ୍କ ସହ ରାତି ପାଟ୍ରୋଲିଂରେ ବାହାରିଥିଲେ। ସୀମାନ୍ତ ଉଦୟପୁର ଗାଁ’କୁ ଯିବା ବେଳେ ରାସ୍ତାକଡ଼ ଏକ ସ୍ଥାନରେ ଜୁଆଖେଳ ହେଉଥିବା ଦେଖି ସେଠାରେ ଚଢ଼ଉ କରିଥିଲେ। ଏହି ସମୟରେ ସେଠାରେ ଜୁଆ ଖେଳୁଥିବା ନିଶା ମାଫିଆ ଓ ଶହେରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଆଇଆଇସି ଶ୍ରୀମତୀ ସୋରେନଙ୍କ ସମେତ ଥାନା ଗାଡ଼ିର ଡ୍ରାଇଭର୍‌ ସୁଧାଂଶୁ ମହାନ୍ତି, ଓଏପିଏଫ୍‌ ଯବାନ ଅମିତାଭ ନାୟକ, ଏଏସ୍‌ଆଇ ପୀଥ ମୁର୍ମୁଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। କିଛି ଲୋକ ଶ୍ରୀମତୀ ସୋରେନଙ୍କୁ ଟଣାଓଟରା କରି ତାଙ୍କ ପୋଷାକ ଛିଣ୍ଡାଇ ଦେଇଥିଲେ। ପରେ ତାଙ୍କୁ ଓ ଏଏସ୍‌ଆଇ ଶ୍ରୀ ମୁର୍ମୁଙ୍କୁ ଏକ ଦୋକାନ ଘର ଭିତରେ ବନ୍ଦ କରି ଦେଇଥିଲେ। ଏହି ଘଟଣାରେ ସମସ୍ତ ପୁଲିସ କର୍ମଚାରୀ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି। ଖବର ପାଇ ଜଳେଶ୍ବର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ, ତାଳସାରୀ ସାମୁଦ୍ରିକ ଥାନାର ଅନ୍ୟ କର୍ମଚାରୀଙ୍କ ସହ ଭୋଗରାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସକୁ ଦେଖି ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ। ଘଣ୍ଟାଏ ପରେ ଘର ଭିତରୁ ଆଇଆଇସିଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ଖବର ପାଇବା ପରେ ଜିଲ୍ଲା ପୁଲିସର କିଛି ବରିଷ୍ଠ ପଦାଧିକାରୀ ଫୋର୍ସଙ୍କୁ ନେଇ ରାତିରେ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି।

Comments (0)
Add Comment