ସମୀକ୍ଷା ସମ୍ବାଦପତ୍ରର ୧୫ତମ ସ୍ଵନକ୍ଷତ୍ର ଦିବସ ପାଳିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଭୁବନେଶ୍ବର : ‘ସମୀକ୍ଷା ଆମ ସମୟର ‘ ସାପ୍ତାହିକ ସମ୍ବାଦପତ୍ରର ୧୫ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ପଦ୍ମବିଭୂଷଣ ଡ: ରଘୁନାଥ ମହାପାତ୍ର ଯୋଗ ଦେଇ ଅନ୍ୟାୟ ବିରୁଦ୍ଧରେ ‘’ସମୀକ୍ଷା’ ତାର ଲେଖନୀ ଚାଳନା ଚାଲୁ ରଖୁ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡିଶା ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ସାମ୍ବାଦିକମାନଙ୍କ ସମାଜ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଓଡିଶା ହାଇକୋର୍ଟର ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ‘ସମୀକ୍ଷା’ର ସମ୍ପାଦକ ଡ: ମହେଶ୍ଵର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
    ଏହି ଅବସରରେ “ଶିଶୁ ଅଧିକାର” ଓ “ସୋସିଆଲ ମିଡିଆ” ନାମକ ଦୁଇଟି ପୁସ୍ତକର କଭର ଉନ୍ମୋଚନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ପ୍ରଫେସର ଡ଼ ସୁବାସ କୁମାର-ଶିକ୍ଷା ସଂସ୍କାର, ଡାକ୍ତର କାଶୀନାଥ ନାୟକ- ଚିକିତ୍ସା, ଶ୍ରୀ ସୁଧାଂଶୁ ମୋହନ ଦାଶ-ସମାଜସେବୀ, ଡାକ୍ତର ସୌମ୍ୟ କାନ୍ତ ମିଶ୍ର – ଶିଶୁ ଅଧିକାର, ଡ଼ ଗୌରୀ ମହାନ୍ତି -କ୍ରୀଡା, ଶ୍ରୀ ଗୁଣଗ୍ରାହୀ ସାହୁ -ସାମ୍ବାଦିକତା, ଡ଼ ରଙ୍ଗାଧର ମହାପାତ୍ର – ଭାଷା ଗବେଷଣା, ଶ୍ରୀ ରାଜକିଶୋର ଦାସ -ଆଇନଜୀବି କଲ୍ୟା, ଶ୍ରୀ ଗଙ୍ଗାଧର ମହାରଣା -ପ୍ରସ୍ତର ଶିଳ୍ପୀ, ଶ୍ରୀ ଉମାକାନ୍ତ ସାହୁ -ପୋଲିସ ସେବା ଏବଂ ଶ୍ରୀ ରାକେଶ କୁମାର ମହାନ୍ତିଙ୍କୁ ଯୁବ ସାମ୍ବାଦିକ କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି “ସମୀକ୍ଷା”ର ୯ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକା ଦେବସ୍ମିତା ମହାନ୍ତି ମାନପତ୍ର ପାଠ କରିଥିଲେ। ସଭାପତିଙ୍କ ଅଭିଭାଷଣ ପରେ ବରିଷ୍ଠ ସାମ୍ବାଦିକ ଅନନ୍ତ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ 200 ସାମ୍ବାଦିକ ,ବିଶିଷ୍ଟ ବ୍ୟକ୍ତି ତଥା ସମୀକ୍ଷା ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Comments (0)
Add Comment