ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମା’ର ଜୀବନ ଗଲା

୩ ବର୍ଷର ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମାଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସୋନପୁର ଗ୍ରାମରେ। ମୃତକ ଜେଜେମା ହେଲେ ୬୦ ବର୍ଷୀୟ ବୃଦ୍ଧା ସନ୍ଧ୍ୟାବାଲି ବେହେରାଦଳେଇ। ଦାରିଙ୍ଗବାଡି ପୋଲିସ ଖବର ପାଇ ଘଟଣା ସ୍ଥଳେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ସୂଚନା ମୁତାବକ ସୋନପୁର ଗ୍ରାମର ଉପରସାହିରେ ରହୁଥିବା ତେମଶ ବେହେରାଦଳେଇଙ୍କ ୩ ବର୍ଷର ପୁଅ ଭୁଲେଶ୍ୱର ଅପରାହ୍ନ ଦୁଇଟା ସମୟରେ ଘରେ ଥିବା ଏକ ବିଦ୍ୟୁତ ବୋର୍ଡ଼ରେ ହାତ ମାରିଦେଇଥିଲେ। ଯାହା ଫଳରେ ତାକୁ ବିଦ୍ୟୁତ ଆଘାତ ଲାଗିଥିଲା। ଆଉ ସେହିସମୟରେ ଭୁଲେଶ୍ୱରଙ୍କ ଜେଜେମା ଗାଧୋଇବାକୁ ଯାଇ ଓଦା ଲୁଗାରେ ଘରକୁ ଫେରି ଦେଖିଥିଲେ। ଆଉ ସେହି ଓଦା ଅବସ୍ଥାରେ ଜେଜେମା ସନ୍ଧ୍ୟାବାଲି ବେହେରାଦଳେଇ ନାତିକୁ ବିଦ୍ୟୁତ ଆଘାତରୁ ଉଦ୍ଧାର କରିବାକୁ ଯାଇଥିଲେ।ବିଦ୍ୟୁତ କବଜାରୁ ନାତିକୁ ଉଦ୍ଧାର କରିବାରେ ଜେଜେମା ସନ୍ଧ୍ୟାବାଲି ସକ୍ଷମ ହୋଇଥିଲେ କିନ୍ତୁ ବିଦ୍ୟୁତ ଆଘାତରେ ନିଜେ ଗୁରୁତର ହୋଇଯାଇଥିଲେ। ପରିବାର ଲୋକ ସନ୍ଧ୍ୟାବାଲିଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦାରିଙ୍ଗବାଡି ପୋଲିସ ଏ ଖବର ପାଇ ମେଡିକାଲରେ ପହଞ୍ଚିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments (0)
Add Comment