ଗଞ୍ଜାମ (କୋଶଲ ନ୍ୟୁଜ୍): ହଷ୍ଟେଲ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଖଡ଼ାସିଙ୍ଗ ସ୍ଥିତ ରୋଲାଣ୍ଡ ଫାର୍ମାସୀ କଲେଜ୍ ହଷ୍ଟେଲରେ ଦେଖିବାକୁ ମିଳିଛି। ମୃତ ଛାତ୍ରୀଜଣକ ହେଲେ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଅଞ୍ଚଳର ଋତୁପୂର୍ଣ୍ଣା ଦାଶ(୧୯)। ସେ ରୋଲାଣ୍ଡ ଫାର୍ମାସୀ କଲେଜରେ ଡି ଫାର୍ମାର ଦ୍ଵିତୀୟ ବର୍ଷ ଛାତ୍ରୀ ଥିଲେ। ହଷ୍ଟେଲରେ ରହି ପାଠ ପଢ଼ୁଥିଲେ।
ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ୱାର୍ଡେନ ପରିବାର ଲୋକଙ୍କୁ ଫୋନ୍ କରି ଝିଅ ଅସୁସ୍ଥ ଥିବା କହିଥିଲେ। ପରିବାର ଲୋକେ ସକାଳେ ହଷ୍ଟେଲରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ। ତେବେ ଝିଅର ମୃତ୍ୟୁ କିପରି ହେଲା, ଏହା ଆତ୍ମହତ୍ୟା ନା ହତ୍ୟା କିଛି ଜାଣି ନ ଥିବା ପରିବାର ଲୋକେ କହିଛନ୍ତି।
ସେମାନେ ଦେଇଥିବା ସୂଚନା ଅନୁଯାୟୀ, କିଛି ଦିନ ହେଲା ଜଣେ ଯୁବକ ସେମାନଙ୍କୁ ଫୋନ୍ କରି ବିଭିନ୍ନ ଧମକଚମକ ଦେଉଥିଲେ। ଉକ୍ତ ଯୁବକ ହିଁ ଗତ ରାତିରେ ହଷ୍ଟେଲ ୱାର୍ଡେନଙ୍କୁ ଫୋନ୍ କରି ଋତୁପୂର୍ଣ୍ଣା ଅସୁସ୍ଥ ଥିବାରୁ ସେଠାକୁ ଯାଇ ଦେଖିବାକୁ କହିଥିଲେ। ଏହାପରେ ୱାର୍ଡେନ ପହଞ୍ଚି ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିବା ସେମାନେ କହିଥିଲେ। ଉକ୍ତ ଯୁବକ କିଏ ଓ ଝିଅ ସହ ତାଙ୍କର କି ସମ୍ପର୍କ ଥିଲା ସେ ନେଇ ପରିବାର ଲୋକେ କିଛି ଜାଣି ନ ଥିବା କହିଛନ୍ତି।