ବାଲିଗୁଡା : ସ୍ମାର୍ଟ ସ୍କୁଲ କରିବାକୁ ନେଇ ତେଜୁଛି ବିବାଦ: ସ୍ମାର୍ଟ ସ୍କୁଲ ସରକାରୀ ବିଦ୍ୟାଳୟରେ କରିବାକୁ ଦାବୀ

ବାଲିଗୁଡା,(କୋଶଲ ନ୍ୟୁଜ): ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ତାଲିକାରେ ସ୍ଥାନ ପାଇଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ବିଦ୍ୟାଳୟର ଜମି ଘରୋଇ ମାଲିକାନାରେ ରହିଥିବା ବେଳେ ଏହାର ପରିସରରେ ଏକ ଧର୍ମାନୁଷ୍ଠାନ ରହିଛି। ସେପଟେ ସରକାର ସ୍ମାର୍ଟ ସ୍କୁଲ ନାମରେ ସମସ୍ତ ଜମି ଅକ୍ତିଆରକୁ ନେଇ ଯିବେ ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ ବ୍ରାହ୍ମଣୀଗାଁ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଘରୋଇ ମାଲିକାନାରେ ରହିଥିବା ଜମିରେ ସ୍ମାର୍ଟ ସ୍କୁଲ ପ୍ରତିଷ୍ଠା କରାନଯାଇ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ଲୋକେ ଦାବି କରୁଛନ୍ତି। ରାଜ୍ୟର ସ୍ମାର୍ଟ ସ୍କୁଲ ତାଲିକାରେ କନ୍ଧମାଳ ଜିଲ୍ଲାର ୧୦ ହାଇସ୍କୁଲ ସ୍ଥାନ ପାଇଛି। ଏହା ମଧ୍ୟରେ ଦାରିଙ୍ଗବାଡି ବ୍ଲକର ୨ ହାଇସ୍କୁଲ ରହିଛି। ଗୋଟିଏ ହେଲା ସିମନବାଡ଼ି ହାଇସ୍କୁଲ ଏବଂ ଅନ୍ୟଟି ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତି ତାରା ବାଳିକା ହାଇସ୍କୁଲ। ହେଲେ ପ୍ରଭାତି ତାରା ବାଳିକା ଉଚ୍ଚ ବିଦ୍ୟାଳୟର ଜମି ଘରୋଇ ମାଲିକାନାରେ ରହିଛି। ଏହାର ପରିସରରେ ଏକ ଧର୍ମାନୁଷ୍ଠାନ ରହିଛି। ଯାହାକି ମା ଲୁର୍ଦ୍ଦୁମେରୀଙ୍କ ପୂଜାର୍ଚ୍ଚନା ସ୍ଥଳ। ଯେଉଁଠି ସ୍ଥାନୀୟ ବ୍ରାହ୍ମଣୀଗାଁ ଅଞ୍ଚଳର ଖ୍ରୀଷ୍ଟଆନ ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ହେବ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରି ଆସୁଛନ୍ତି। ଏହି ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାର ସ୍ମାର୍ଟ ସ୍କୁଲ ତାଲିକାରେ ସାମିଲ କରିଥିବା ବେଳେ ଧିରେ ଧିରେ ଘରୋଇ ମାଲିକାନାରେ ରହିଥିବା ଜମିକୁ ସରକାର ନିଜ ଅକ୍ତିଆରକୁ ନେଇଯିବେ। ଯାହା ଫଳରେ ଏଠାରେ ରହିଥିବା ପୂଜାସ୍ଥଳକୁ ବାଧା ଆସିବ। ଏହା ଦ୍ୱାରା ପ୍ରାର୍ଥନା ଅଥବା ପୂଜାର୍ଚ୍ଚନା କରିବାରେ ସମସ୍ୟା ସୃଷ୍ଟି ହେବ ବୋଲି ଏବେ ଠାରୁ ସନ୍ଦେହ କରୁଛନ୍ତି ବ୍ରାହ୍ମଣୀଗାଁ ଅଞ୍ଚଳର ଲୋକେ। ଏନେଇ ସ୍ଥାନୀୟ ଲୋକଙ୍କ କହିବା କଥା ସେମାନେ ସରକାରଙ୍କ ସ୍ମାର୍ଟ ସ୍କୁଲକୁ ବିରୋଧ କରୁନାହାନ୍ତି। ହେଲେ ପ୍ରଭାତି ତାରା ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ସାମିଲ କରିବା ପରିବର୍ତ୍ତେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରାଯାଉ। ଯାହା ଦ୍ୱାରା ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଧର୍ମାନୁଷ୍ଠାନକୁ କୌଣସି ବାଧା ଆସିବ ନାହିଁ। ଏହା ସହ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ କରାଗଲେ କେବଳ ଝିଅ ପିଲା ନୁହେଁ ଉଭୟ ବାଳକ ବାଳିକା ମଧ୍ୟ ଏହାର ସୁବିଧା ପାଇପାରିବେ ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି । ହେଲେ ଏହା ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ଯଦି ଏନେଇ ବିଚାର କରି ପଦକ୍ଷେପ ନ ନିଅନ୍ତି, ତେବେ ବ୍ରାହ୍ମଣୀଗାଁ ଅଞ୍ଚଳବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ପୁନଃ ବିଚାର କରି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Comments (0)
Add Comment