ଦିନ ଦ୍ବିପହରେ ବାଇକ ଯୋଗେ ହେଉଥିଲା କାଠ ଚାଲାଣ,୪ ମାଫିଆଙ୍କୁ ଗ୍ରାମବାସୀ କଲେ କାବୁ

ମାଲକାନଗିରି ( କୋଶଲ ନ୍ୟୁଜ୍) ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ସୁନାନଗର ଗ୍ରାମ ପଛପଟ ଜଙ୍ଗଲ ରୁ ବାଇକ ଯୋଗେ ହେଉଥିଲା ବେଆଇନ ଭାବେ କାଠ ଚାଲାନ l ସବୁ ଦେଖି ନୀରବଦ୍ରଷ୍ଟା ସାଜିଥିଲା ବନ ବିଭାଗ l ଶେଷରେ କାଠ ମାଫିଆଙ୍କୁ କାବୁ କଲେ ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ଅନ୍ତର୍ଗତ ପରକନମାଲା ପଂଚାୟତର ସୁନାନଗର ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା l ସୂଚନା ଅନୁସାରେ ଆଜି ସକାଳ ସୋମନାଥପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ୪ ଯୁବକ ୪ ଟି ବାଇକରେ କରଡା, ଚାରକୋଳି ଏବଂ ଧଉଡା ଗଛ କାଟି ନିଜ ନିଜ ବାଇକରେ ଆଣୁଥିବା ଗ୍ରାମବାସୀ ଦେଖିଥିଲେ। ଏହା ଦେଖି ଗ୍ରାମବାସୀ 4 ଜଣ ଚାଳକ ଙ୍କୁ ଅଟକାଇଥିଲେ l ଅଟକାଇବାରୁ କିଛି ସମୟ ଧରି କାଠ ମାଫିଆ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତି ମଧ୍ୟ ହୋଇଥିଲା। ପରେ ସେଠାରୁ କୌଶଳକ୍ରମେ ୪ କାଠ ମାଫିଆ ନିଜ ନିଜ ବାଇକ ଗାଁ ନିକଟସ୍ଥ ମଣ୍ଡପ ରେ ଛାଡି ଚମ୍ପଟ ମାରିଥିଲେ। ଏହା ପରେ ଗ୍ରାମବାସୀ ସ୍ଥାନୀୟ ଫରେଷ୍ଟର ଏବଂ ବନରକ୍ଷୀଙ୍କୁ ଫୋନ ଯୋଗେ ଘଟଣା ବିଷୟରେ ସବୁ କହିଥିଲେ ଓ ଘଟଣା ସ୍ଥଳକୁ ଡକାଇଥିଲେ।

ଏହାରି ଭିତରେ କାଠ ମାଫିଆଙ୍କ ସମ୍ପର୍କୀୟ ଆସି ଗ୍ରାମବାସୀ ଙ୍କ ସହ ଆପୋଷ ଦେଣନେଣ ନିମନ୍ତେ ବୁଝାଇଥିଲେ କିନ୍ତୁ ଗ୍ରାମବାସୀ ନିଜ ଜିଦ ରେ ଅଟଳ ରହି ସମାଧାନ କରିନଥିଲେ। ଫରେଷ୍ଟର ସମୀର ଜେନା ଏବଂ ବନରକ୍ଷୀ ଶଶାଙ୍କ କୁମାର ଦାଶ ଘଟଣା ସ୍ଥଳରେ ପହଞ୍ଚି ୪ ଟି ବାଇକ ସହ କାଠକୁ ଜବତ କରିଥିଲେ । କାଠ ମାଫିଆ ୪ ଜଣଙ୍କ ମଧ୍ୟରୁ ୩ ଜଣ ହେଲେ ସୋମନାଥପୁର ଗ୍ରାମର ରବୀନ୍ଦ୍ର ମାଝୀ, ସନ୍ତୋଷ ମାଝୀ ଏବଂ ହରି ଖିଲ । ଫରେଷ୍ଟର ସମୀର ଜେନା ସୂଚନା ଦେଇଛନ୍ତି ତୁରନ୍ତ ସେହି ୪ ଜଣ କାଠ ଚାଲାଣକାରୀ ଙ୍କୁ ଗିରଫ କରାଯିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କିପରି ଦିନ ଦ୍ବିପହରେ ରାଜରାସ୍ତା ଦେଇ ଜଙ୍ଗଲରୁ ବେଆଇନ କାଠ ଚାଲାଣ ହେଉଥିଲା ? ବନ ବିଭାଗ ସବୁ ଦେଖି କିପରି ନୀରବ ରହୁଥିଲେ ? ଏହି ସବୁ ପ୍ରଶ୍ନ ବର୍ତ୍ତମାନ ସ୍ଥାନୀୟରେ ଚର୍ଚ୍ଚା ର ବିଷୟ ପାଲଟିଛି।

Comments (0)
Add Comment