ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ମାଲକାନଗିରି ଜିଲ୍ଲା ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ମାଲକାନଗିରି ( କୋଶଲ ନ୍ୟୁଜ୍) ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ ଆଜି ମାଲକାନଗିରି ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ ଜିଳ୍ଲା ସଦର ମହକୁମାସ୍ଥିତ ନିର୍ମାଣାଧିନ ଏୟାର ଷ୍ଟ୍ରିପ କାର୍ଯ୍ୟ ତଦାରଖ କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିସହ ଜମି ଅଧିଗ୍ରହଣ କାର୍ଯ୍ୟର ସମୀକ୍ଷା କରିବା ସହ ପୁନଃବସତି ପାଇଁ ନିର୍ମାଣାଧିନ ଗୃହ ବୁଲି ଦେଖିଥିଲେ । ବର୍ତମାନ ସୁଦ୍ଧା ୧୪ ଟି ବାସଗୃହ କାର୍ଯ୍ୟ ଶେଷ ହୋଇଥିବା ବେଳେ ଛାତ ପଡ଼ିବାକୁ ଥିବା ଅନ୍ୟ ୩୬ ବାସଗୃହ କାର୍ଯ୍ୟ ଦେଖି ସଂପୃକ୍ତ ବାସଗୃହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଆଓ କୋରୁକୋଣ୍ଡାଠାରେ ନିର୍ମାଣାଧିନ ବୃଦ୍ଧା ଆଶ୍ରମ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ବର୍ଷା ପୂର୍ବରୁ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ତହସିଲଦାର ଡଃ.ଗୁଣନିଧି ନାୟକ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳାଇ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏହାପରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯକୁ ନେଇ ମାଲକାନଗିରି ପ୍ରକଳ୍ପ ନିର୍ଦେଶକ ଙ୍କ କାର୍ଯଳୟ ରେ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକ ରେ ରାଜସ୍ବ ବିଭାଗର ସମସ୍ତ ମାମଲା ର ତୁରନ୍ତ ଶୁଣାଣି କରିବା ସହ କୋଭିଡ ନିୟନ୍ତ୍ରଣରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରିଥିଲେ । ମାଥିଲି ବ୍ଲକ ମେନଡୁକୁଲି ଅଷ୍ଟାଇ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଫେରି ଯାଇଥିଲେ ।

Comments (0)
Add Comment