କଳା ବ୍ୟାଜ ପିନ୍ଧି ଡ୍ୟୁଟି କଲେ ଜିଲ୍ଲାର ଫାର୍ମାସିଷ୍ଟ ମାନେ

ମାଲକାନଗିରି ( କୋଶଲ ନ୍ୟୁଜ୍) କରୋନା ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟମାନେ ନିଜର ଜୀବନକୁ ବାଜି ଲଗାଇ ଦିନ ରାତି ମେଡିକାଲରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସରକାର ସେମାନଙ୍କୁ ଅଣଦେଖା କରୁଥିବା ନେଇ ରାଜ୍ୟ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘର ବିଭିନ୍ନ ଦାବି ପୁରାଣକୁ ନେଇ ସଂଘ କଳା ବ୍ୟାଜ ପିନ୍ଧି ନିଜ ଦାବି ପୂରଣ କରିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତାହାରି ଏକ ଝଲକ ମାଲକାନଗିରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ତଥା ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁସାରେ ଗତକାଲି ଠାରୁ ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ଫାର୍ମାସିଷ୍ଟ ମାନେ କଳା ବ୍ୟାଜ ପରିଧାନ କରି ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଛି । କୋଭିଡରେ ମୃତ୍ୟୁ ବରଣ କରିଥିବା ଫାର୍ମାସିଷ୍ଟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ, ଖାଲି ପଡିଥିବା ପଦବୀ ପୂରଣ କରିବା, ଦରମା କ୍ଷେତ୍ରରେ ଥିବା ଅସଂଗତି ଦୂର କରିବା, ପଦଉନ୍ନତି ପାଇବାକୁ ଯୋଗ୍ୟ ଥିବା ଫାର୍ମାସିଷ୍ଟମାନଙ୍କୁ ତୁରନ୍ତ ପଦଉନ୍ନତି ପ୍ରଦାନ କରିବା ଇତ୍ୟାଦି ଦାବି ପୂରଣ ନେଇ ଗତକାଲି ଠାରୁ ସମସ୍ତେ କଳା ବ୍ୟାଜ ପିନ୍ଧିଥିଲା । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ଚଳିତ ମାସ ୨୦ ତାରିଖ ଠାରୁ ଫାର୍ମାସିଷ୍ଟ ମାନେ କେବଳ ଔଷଧ ବିତରଣ ବ୍ୟତୀତ ଅନ୍ୟ କୌଣସି ପ୍ରକାର କାର୍ଯ୍ୟ କରିବେ ନାହିଁ ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଜିଲ୍ଲା ସଂଘର ସଭାପତି ସତବୀର ସିଂହ, ଜିଲ୍ଲା ସମ୍ପାଦକ ଅଶୋକ ସାହୁ ଏବଂ କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ମଦନ ମୋହନ ପାଢ଼ୀ ପ୍ରକାଶ କରିଛନ୍ତି ।

Comments (0)
Add Comment