ମାଲକାନଗିରି -ଜୟପୁର ରେଳପଥ ନେଇ ପୁନଃ ଯାଞ୍ଚ କାର୍ଯ୍ୟ ଆରମ୍ଭ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜୟପୁର ରେଳ ପ୍ରକଳ୍ପ ନିମନ୍ତେ ହୋଇଥିବା ସର୍ଭେର ଆଜି ପୁନଃ ଯାଞ୍ଚ କରାଯାଇଛି ।ମାଲକାନଗିରିଠାରୁ ଜୟପୁର ପର୍ଯ୍ୟନ୍ତ ମୋଟ ୧୨୬ କିଲୋମିଟର ଲମ୍ବର ରେଳପଥ ମଧ୍ୟରୁ ୪୬ କିଲୋମିଟର ମାଲକାନଗିରି ଜିଲ୍ଲା ମଧ୍ୟ ଦେଇ ଯାଉଛି । ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନେଇ ପୂର୍ବରୁ ସର୍ଭେ କରାଯାଇଥିଲା l ସେତେବେଳେ ସେହି ଜମି ଜିଲ୍ଲାରେ ନିର୍ମାଣ ହେଉଥିବା ଏୟାର ଷ୍ଟ୍ରିପ ମଧ୍ୟ ଦେଇ ଯାଉଥିବାରୁ ରେଳ ଲାଇନର ଗତି ପଥ ପରିବର୍ତନ କରାଯିବା ନେଇ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ସେଗୁଡ଼ିକୁ ପୁନଃ ଯାଞ୍ଚ କରାଯାଉଛି ।ଏଥିରେ ସରକାରୀ ଜମି ଓ ବେସରକାରୀ ଜମିର କେତେ ପରିମାଣରେ ଯାଉଛି, ରେଳ ଲାଇନ ଗତିପଥ ଠିକ ଅଛି କି ନାହିଁ, ସେଗୁଡ଼ିକ ମଧ୍ୟ ଯାଞ୍ଚ କରାଯାଇଥିଲା l ଏହି ଯାଞ୍ଚ ସମୟରେ ମାଲକାନଗିରି ତହସିଲଦାର ଡଃ.ଗୁଣନିଧି ନାୟକ, ବିଶାଖାପାଟଣାସ୍ଥିତ ଇଷ୍ଟ କୋଷ୍ଟ ରେଲୱେର ସିନିୟର ସେକ୍ସନ ଇଞ୍ଜିନିୟର ସୂର୍ଯ୍ୟ ନାରାୟଣ, ହାଇଦ୍ରାବାଦର ମାଆ ଟ୍ରଷ୍ଟ ଆଣ୍ଡ ଇନଫା ସର୍ଭେ କମ୍ପାନୀର ଭେଙ୍କେଟେଶ ଓ ରାଜସ୍ଵ କର୍ମଚାରୀମାନେ ମାନଚିତ୍ର ନେଇ ରେଳ ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ଗୁଡିକର ପୁନଃ ଯାଞ୍ଚ କରିଛନ୍ତି ।

Comments (0)
Add Comment