ଆଜିର ‘ ସ୍ଵଚ୍ଛ ଭାରତ ’ ମିଶନର ଏହା ଏକ ପୂରାତନ ପରମ୍ପରା ଡାବୁଗାଁ ଅଞ୍ଚଳର ବଂଲାନୀ ଯାତ୍ରା

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର:-.(ଡାବୁଗାଁ ବ୍ଲକ) ଆଦିବାସୀ ଅଧୁଷିତ ଡ଼ାବୁଗାଁ ଅଞ୍ଚଳରେ ସର୍ବସାଧାରଣ ଅନେକ ସ୍ଥାନୀୟ ପର୍ବପର୍ବାଣୀକୁ ଆପଣାଇ ନେଇଛନ୍ତି । ତନ୍ମଧ୍ୟରୁ ବଂଲାନୀ ଅନ୍ୟତମ । ଧାନକଟା ଶେଷ ହେବା ପରେ ଏହି ପର୍ବ ହୋଇଥାଏ । ପୌଷ ମାସର କୌଣସି ମଙ୍ଗଳବାର ଦିନ ଏହି ଆ କୃଷିଭିତ୍ତିକ ପର୍ବ ପାଳନ ହୁଏ । ବଂଲାନୀର ଅର୍ଥ ହେଲା ଗାଁର ମଇଳା , ଆବର୍ଜନାକୁ ନେଇ ଗାଁ ବାହାରକୁ ଫିଙ୍ଗିବା । 

ବଂଲାନୀର ପୂର୍ବଦିନ ଗ୍ରାମବାସୀ ରାତିରେ ‘ବେହେରନ୍’ ବା ସଭାରେ ବସନ୍ତି । ଗ୍ରାମ ଦେବାଦେବୀଙ୍କ ପ୍ରତିନିଧି, ଶିରା , ପୂଜାରୀ ସମସ୍ତେ ଏକାଠି ଆଲୋଚନା କରନ୍ତି । ତା ପରଦିନ ଗାଁ ସାରା ବଂଲାନୀ ବିମାନ ଏବଂ ଡଲି ବୁଲି ବୁଲି ପ୍ରତି ସାହିରୁ ପ୍ରତ୍ୟେକ ପରିବାରରୁ ଆବର୍ଜନ ସ୍ଵରୂପ ଅଦରକାରୀ ଛାଞ୍ଚୁଣୀ , ଛିଣ୍ଡା ପଘା ଆଦି ସଂଗ୍ରହ କରାଯାଏ । ଅପରାହ୍ନରେ ବାଜା ବାଜଣା ସହ ଗାଁ ଉପକଣ୍ଠରେ ଥିବା ବିଲାନୀ ଭଟାରେ ବିମାନ ଓ ଡ଼ଲିକୁ ପୂଜା କରାଯାଏ ଏବଂ ଆବର୍ଜନା ଫିଙ୍ଗାଯାଏ । ଲୋକଙ୍କ ବିଶ୍ବାସ ଏପରିକଲେ ଗାଁରେ ରୋଗ , ବ୍ୟାଧ , ମହାମାରୀ ହୁଏନାହିଁ ।

 ଆଜିର ‘ ସ୍ଵଚ୍ଛ ଭାରତ ’ ମିଶନର ଏହା ଏକ ପୂରାତନ ପରମ୍ପରା କହିଲେ ଚଳେ। ସନ୍ଧ୍ୟାରେ ବଂଲାନୀ ଭଟାରେ ଗ୍ରାମବାସୀମାନେ ମେଣ୍ଢା , କୁକୁଡ଼ା ମାରି ଖୁଆପିଆ କରି ଘରକୁ ଫେରନ୍ତି । ଏହି ପର୍ବ ଗ୍ରାମବାସୀମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖେ । ଏହା ପରେ କୃଷି ଭିତ୍ତିକ ‘ ଦିଆଲୀ ’ ପର୍ବ ପାଳନ ପାଇଁ ଦିନ ସ୍ଥିର କରାଯାଏ । ‘ ଦିଆଲି ’ ପର୍ବରେ ପ୍ରତ୍ୟେକ ଚାଷୀ ପରିବାର ନୂଆ ଫସଲରେ ଖେଚୁଡ଼ି , ବିରିପିଠା ଆଦି ବ୍ୟଞ୍ଜନ କରି ଗୋରୁଗାଇକୁ ସୁସଜ୍ଜିତ କରି ଗେଟା ପଘା ପିନ୍ଧାରେ ବନ୍ଦାପନା କରି ଖାଇବାକୁ ଦେଇଥାନ୍ତି । 
Comments (0)
Add Comment