ଘରଡିହ ଜାଗାକୁ କେନ୍ଦ୍ରକରି ସାମାଜିକ ବାସନ୍ଦ ହେଲେ ୪ ପରିବାର

ନବରଙ୍ଗପୁର,କୋଷାଗୁମୁଡା (କୋଶଲ ନ୍ୟୁଜ୍) ।ଗ୍ରାମରେ ଥିବା ଘରଡିହ ଜାଗାକୁ କେନ୍ଦ୍ରକରି ସାମାଜିକ ବାସନ୍ଦ ହେଲେ ୪ ପରିବାର । ନିଆଁ ପାଣି ଠାରୁ ଆରମ୍ଭ କରି ଗାଁରେ ଚାଲିବା ପାଇଁ ଥିବା ଦାଣ୍ଡକୁ ମଧ୍ୟ ଛାଡିଲେ ନାହି । ସାମାଜିକ ବାସନ୍ଦ ମଧ୍ୟରେ ରହି ଏକ ଅଭିଶପ୍ତ ଜୀବନ ବିତଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ସଦର ଗ୍ରାମପଞ୍ଚାୟତର ୪ ପରିବାର । ମିଳିଥିବା ସୂଚନା ଅନୁଯାଇ ଚିର୍ମା ଗ୍ରାମରେ ସନୁ ହରିଜନ, ଚନ୍ଦରୁ ହରିଜନ, ବଇଦନାଥ ହରିଜନ ଓ ଟୁନୁ ହରିଜନ ୪ ଜଣ ନିଜ ନିଜ ପରିବାର ସହ ବସବାସ କରିଆସୁଛନ୍ତି । ଚାରଟି ପରିବାର ଦଖଲରେ ଥିବା ଏଙ୍କ୍ରାଜମେଣ୍ଟ କେସ ନଂ-୩୦୫/୧୪ ସରକାରୀ ଆବାଦୀଯୁକ୍ତ ୧୫ ଡେସିମିଲ ଘରଡିହ ସ୍ଥାନରେ ଗ୍ରାମବାସୀ ସରକାର ତରଫରୁ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିର୍ମାଣ କରିବା ଆରମ୍ଭ କରିଦେଇଥିବା ବେଳେ ଏହାକୁ ୪ ପରିବାର ବିରୋଧ କରିବାରୁ ଗ୍ରାମବାସୀ ଉକ୍ତ ପରିବାରଙ୍କୁ ଗ୍ରାମରୁ ଅଲଗା କରି ନିଆଁ ପାଣି ବନ୍ଦ କରାଇଛନ୍ତି । ବର୍ତମାନ ୪ ପରିବାର ସାମାଜିକ ବାସନ୍ଦ ଭୋଗିବା ସହ ଚାଲିବା ପାଇଁ ଗାଁ ଦାଣ୍ଡ ମଧ୍ୟ ବ୍ୟବହାର କରିବା ପାଇଁ ଗ୍ରାମବାସୀ ମନା କରୁଥିବା ଅଭିଯୋଗ କରି ଆଜି କୋଡିଙ୍ଗା ଥାନାର ଦ୍ଵାରସ୍ଥ ହୋଇ ଏକ ଏତଲା ଦାୟାର କରିଛନ୍ତି । ଏଥିପୂର୍ବରୁ ଗତ ୨୨ ତାରିଖରେ ୪ ପରିବାର କୋଡିଙ୍ଗା ତହସିଲ ଓ କୋଡିଙ୍ଗା ଥାନାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ୪ ପରିବାର ଅଭିଯୋଗ କରିଛନ୍ତି ।

Comments (0)
Add Comment