କରୋନା ଟିକା ନେଇ ଜଣଙ୍କ ମୃତ୍ୟୁ ହେବା ଗୁଜବ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଶୁଣିଗୁଡ଼ା ଗ୍ରାମର ଜଣେ ବୃଦ୍ଧ ଗତକାଲି ଗୁରୁବାର କରୋନା ଟିକା ନେଇଥିଲେ । ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ଜଣକ ଶୁଣିଗୁଡ଼ା ଗ୍ରାମର ଟଙ୍କଧର ବିଶୋଇ ବୋଲି ଜଣାପଡ଼ିଛି । ତେବେ ମୃତ ବୃଦ୍ଧଙ୍କ ପୂର୍ବରୁ ପେଟ ବ୍ୟଥା ବେମାର ଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ଓ ଡାବୁଗାଁ ଥାନାରୁ ଏକ ଟିମ୍ ଯାଇ ମୃତ ବ୍ୟକ୍ତିଙ୍କ ପରିବାରକୁ ଶବ ଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ପରିବାର ଲୋକେ ସ୍ୱାଭାବିକ ମୃତ୍ୟୁ ହୋଇଥିବା କହି ଶବ ଦେବାକୁ ମନା କରୁଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ , ପାପଡ଼ାହାଣ୍ଡି ବ୍ଲକ୍ ଶୁଣିଗୁଡ଼ା ଗ୍ରାମର ଟଙ୍କଧର ବିଶୋଇ ( ୬୬ ) ନିକଟ ମହେନ୍ଦ୍ରୀ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଗତକାଲି ଗୁରୁବାର ଦିନ କରୋନାର ପ୍ରଥମ ଟିକା ନେଇଥିଲେ । ତେବେ ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ବୃଦ୍ଧ ଟଙ୍କଧରଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀଙ୍କୁ କରୋନା ଟିକା ଦେବାରୁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଥିଲେ ।

ଖବର ପାଇ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାବୁଗାଁ ଥାନାର ଏକ ପୁଲିସ ଟିମ୍ ତୁରନ୍ତ ଶୁଣିଗୁଡ଼ାରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ କରିବାକୁ ଅନୁମତି ଦେବାକୁ କହିଥିଲେ । ତେବେ ଖବର ଲେଖା ହେବା ସୁଦ୍ଧା ମୃତ ବୃଦ୍ଧଙ୍କ ପରିବାର ଲୋକେ ଶବ କୁ ଦେବାକୁ ଅରାଜି ହୋଇଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ମୃତ ଟଙ୍କଧରଙ୍କୁ ଗତ କିଛିଦିନ ହେଲା ପେଟ ବ୍ୟଥା ବେମାର ଥିଲା । ଆଜି ସକାଳୁ ମଧ୍ୟ ପେଟ ବ୍ୟଥା ହୋଇଥିଲା । ତେଣୁ ଆମେ ଶବକୁ ଦେବୁ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ଟିମକୁ କହିଥିବା ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ପ୍ରିୟ ରଞ୍ଜନ ବାହାଲି ପ୍ରକାଶ କରିଛନ୍ତି । ଏହାସହ ଟଙ୍କଧରଙ୍କ କ୍ରୋନିକ୍ ବେମାର ଥିବା ଡାକ୍ତର ପ୍ରକାଶ କରିଛନ୍ତି । ତେବେ କରୋନ ଟିକା ନେବାର ଗୋଟିଏ ଦିନ ପରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ କରୋନା ଟିକା ନେବାରୁ ମୃତ୍ୟୁ ଘଟିଛି ବୋଲି ଗୁଜବ ସୃଷ୍ଟି ହେଉଛି ।

Comments (0)
Add Comment