ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ ପାଇଁ ବିଶେଷ ବ୍ୟବସ୍ଥା, ୮୨ଟି କେନ୍ଦ୍ର

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ଲାଗି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ଟିକାକରଣ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ ୮୨ଟି କେନ୍ଦ୍ର କରାଯାଇଛି।

ବର୍ତ୍ତମାନ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ଟିକାକରଣ ଚାଲିଛି। ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ। ତା’ ସାଙ୍ଗକୁ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର ବିଭିନ୍ନ କର୍ମୀମାନଙ୍କୁ ଟିକାଦାନ କରାଯାଉଛି। ଆଗକୁ ଟିକାଦାନ କେନ୍ଦ୍ରଗୁଡ଼ିକରେ ଅଧିକ ଭିଡ଼ର ସମ୍ଭାବନା ରହିଥିବାରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କୁ ସୋମବାର ଦିନ ଟିକା ଦିଆଯିବା ବେଳେ ଅଗ୍ରାଧିକାର ଦିଆଯିବ। ସେହିପରି ରାଉରକେଲା ସହରରେ ସ୍ୱତନ୍ତ୍ର ଟିକାକରଣ କ୍ୟାମ୍ପ କରାଯିବ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

ମେ’ ୧ରୁ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକାଦାନ ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାର ପରିଚାଳନା ପାଇଁ ଜିଲ୍ଲାର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ତେବେ ଏହି ବର୍ଗର ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକା ଆସି ପହଞ୍ଚିବା ପରେ ପରେ ସେମାନଙ୍କୁ ଟିକା ଦିଆଯିବ। ଯେଉଁ ବ୍ୟକ୍ତିମାନେ ଟିକା ନେବା ପାଇଁ ପଞ୍ଜୀକରଣ କରିଛନ୍ତି, କିନ୍ତୁ ସ୍ଲଟ୍ ପାଇ ନାହାନ୍ତି ଜିଲ୍ଲାରେ ଟିକା ପହଞ୍ଚିବା ପରେ ସେମାନେ ସ୍ଲଟ୍ ପାଇପାରିବେ ବୋଲି ଜିଲ୍ଲାପାଳ ଶୁକ୍ରବାର ଦିନ ରାଉରକେଲାଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।

ସୁନ୍ଦରଗଡ଼ ଶଙ୍କରାସ୍ଥିତ ଏନଟିପିସି ହସ୍ପିଟାଲ ପରିସରରେ ଗତ କିଛି ମାସ ଧରି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିଲା। ତେବେ ଟିକାଦାନ ପରିଚାଳନାକୁ ସୁସଂଯୋଜିତ କରିବା ପାଇଁ ସଂପୃକ୍ତ ଟିକାଦାନ କେନ୍ଦ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଟିକା କେନ୍ଦ୍ର ସହ ମିଶାଇ ଦିଆଯାଇଛି।

ତା’ ସହିତ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ରୋଗୀଙ୍କ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ ନିହାତି ଆବଶ୍ୟକ ହେଲେ ଜିଲ୍ଲାରେ କାର୍ଯ୍ୟରତ ଘରୋଇ ଡାକ୍ତରମାନଙ୍କୁ କୋଭିଡ୍ ସେବାରେ ନିଯୁକ୍ତ କରାଯିବ। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନରେ ଦିଆଯାଇଥିବା କ୍ଷମତାକୁ ଆଧାରକରି ସୁନ୍ଦରଗଡ଼ ଜିଲ୍ଲାପାଳ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।

ଏଥିପାଇଁ ଡାକ୍ତରମାନଙ୍କ ନାମ ତାଲିକା ଦେବାକୁ ବିଭିନ୍ନ ଘରୋଇ ଚିକିତ୍ସାଳୟକୁ ପରାମର୍ଶ ଦିଆଯାଇଛି। ସଂପୃକ୍ତ ଡାକ୍ତରମାନେ ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ। ଯେଉଁମାନେ ଏହି ନିର୍ଦ୍ଦେଶ ପାଳନ ନକରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।

Comments (0)
Add Comment