ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚାଷୀ ଆନ୍ଦୋଳନ ମୁହାଁ

ଦେବଗଡ ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚାଷୀମାନେ ଅନେକ ଯାଗାରେ ଆନ୍ଦୋଳନ କରିଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ପଞ୍ଜିକୃତ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଉ ନଥିବାରୁ ବିଭିନ୍ନ ସେବା ସମବାୟ ସମିତିର ଚାଷୀଙ୍କ ଧାନ ବିକ୍ରୀ ହୋଇପାରୁ ନଥିବା ବେଳେ କେତେକ ଚାଷୀ ପାଇଥିବା ଟୋକନର ସମୟ ମଧ୍ୟ ଇତିମଧ୍ୟରେ ଶେଷ ହୋଇଥିବା ଜଣାପଡିଛି । ଏନେଇ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ଆନ୍ଦୋଳନ ମୁହାଁ ହୋଇଛନ୍ତି ।

ଏହିକ୍ରମରେ ଗତ ମଙ୍ଗଳବାର ସକାଳୁ ରିଆମାଳ ବ୍ଲକ ଅନ୍ତର୍ଗତ ତାରଙ୍ଗ ସେବା ସମିତିରେ ପଞ୍ଜିକୃତ ଶତାଧିକ ଚାଷୀ ପଞ୍ଚାନନ ବେହେରାଙ୍କ ନେତୃତ୍ବରେ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ଥା ରଖି ଆନ୍ଦୋଳନ କରିବା ଫଳରେ ଉଭୟ କାର୍ଯ୍ୟାଳୟ ଗତ ଏକ ସପ୍ତାହ ଧରି ଅଚଳ ହୋଇ ରହିଛି । ଆନ୍ଦୋଳନ ରତ ଚାଷୀଙ୍କ ସହ ଯୋଗାଣ ବିଭାଗର ଆଲୋଚନା ବିଫଳ ହେବାରୁ ଆନ୍ଦୋଳନ ଜାରି ରହିଛି । ସେହିପରି ବାରକୋଟ ବ୍ଲକ ଅନ୍ତର୍ଗତ ବସାଲଇ ସିଂଶାଳ ଓ ଖଜୁରୀଖମଣ ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀମାନେ ଆଜି ଦଳ ଦଳ ହୋଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ସେମାନଙ୍କ ଧାନ ବିକ୍ରୀ ହେଉ ନଥିବା ଏବଂ ଚାଷୀ ପାଇଥିବା ଟୋକନ ସମୟ ଶେଷ ହୋଇଯାଇଥିବାରୁ କଷ୍ଟ ଅର୍ଜିତ ଫସଲକୁ ବିକ୍ରି କରି ନ ପାରି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନଠାରୁ ଆଶ୍ବାସନା ପାଇ ସେମାନେ ନିଜ ନିଜ ଅଞ୍ଚଳକୁ ଫେରିଯାଇଥିବା ବେଳେ ଆଗାମୀ କିଛିଦିନ ମଧ୍ୟରେ ଚାଷୀଙ୍କ ଧାନ ସରକାର ନ କିଣିଲେ ସମଗ୍ର ଜିଲ୍ଲାରେ ଚାଷୀ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀ ନେତା ମାନେ ପ୍ରକାଶ କରିଛନ୍ତି । ଆଜି ବସାଲଇ ସେବା ସମବାୟ ସମିତିର ଚାଷୀ ସଚ୍ଚିଦାନନ୍ଦ ପଟ୍ଟନାୟକ ଓ ବିନୋଦ ବିହାରୀ ନାୟକ ସିଂଶାଳ ସେବା ସମବାୟ ସମିତିର ଚାଷୀ ଭାରତ ଭୂଷଣ ପ୍ରଧାନ ଓ ଭୋଳେଶ୍ବର ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ପଞ୍ଜିକୃତ ଚାଷୀ ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ଅନିରୁଦ୍ଧ ନାୟକ

— ଜିଲ୍ଲା ସମ୍ବାଦଦାତା – ଦେବଗଡ଼

Comments (0)
Add Comment