ମୁହଁରେ ବଢ଼ୁଛି ମାଂସ ପିଣ୍ଡୁଳା ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋଶଲ ନ୍ୟୁଜ୍ ବ୍ୟୁରୋ  : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଦଶଘରିଆ ଗ୍ରାମରେ ଏକ ଶିଶୁର ମୁହଁରେ ମାଂସ ପିଣ୍ଡୁଳା ବଢ଼ିବାରେ ଲାଗିଛି । ଏଣୁ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ଗରିବ ପିତାମାତା । ଏହି କୋମଳମତି ଶିଶୁ ପୁତ୍ରର ବୟସ ଦୁଇ ବର୍ଷର ହେବ । ଅସହାୟ ପିତାମାତା ଏହି ଏକ ମାତ୍ର ଶିଶୁ ପୁତ୍ରର ଚିକିତ୍ସା କରାଇ ନ ପାରି ସରକାରୀ ସହାୟତାକୁ ଅନାଇ ରହିଛନ୍ତି । ରିଆମାଳ ବ୍ଲକ ଅନ୍ତର୍ଗତ ଦଶଘରିଆ ଗ୍ରାମର ଗରିବ ପରିବାର ଅନନ୍ତ ନାୟକ ଓ ତାଙ୍କ ସ୍ତ୍ରୀ ରେବତୀ ନାୟକ କୋଳରେ ଅଛି ଏହି ଦୁଇ ବର୍ଷର ଶିଶୁପୁତ୍ର କୁମାରେନ୍ଦ୍ର । ଏହି ଶିଶୁ ପୁତ୍ରଟି ଜନ୍ମ ହେବା ସମୟରେ ତାହାର ନାକ ଉପରେ ଥିଲା ଏକ ଛଟ ଚିହ୍ନ । ମାତ୍ର ବୟସ ବଢ଼ିବା ସହିତ ବଢ଼ିବାକୁ ଲାଗିଥିଲା ଏହାର ଆକାର । ଦୁଇ ବର୍ଷ ମଧ୍ୟରେ ଏହାର ଆକାର ବୃଦ୍ଧିପାଇଁ ଏକ ବଡ ମାଂସ ପିଣ୍ଡୁଳା (ଟ୍ୟୁମର) ରେ ପରିଣତ ହୋଇଛି । ଫଳରେ ଏହା ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ।

ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ପିତାମାତା ଶିଶୁଟିର ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମେଡିକାଲ ଠାରୁ ଆରମ୍ଭ କରି ବୁର୍ଲା ଓ ପରେ କଟକ ବଡ ମେଡିକାଲକୁ ଯାଇ ଶେଷରେ ସର୍ବଶାନ୍ତ ହୋଇ ସାରିଲେଣି । ଡାକ୍ତର ଏହାକୁ ପରିକ୍ଷା କରି ଏହା ଏକ ଟ୍ୟୁମର ଓ ଶିଶୁର ଜୀବନ ରକ୍ଷା ପାଇଁ ଯଥାଶିଘ୍ର ଏହାର ଅପରେସନ କରାଇବାକୁ ପରାମର୍ଶ ଦେଇଛନ୍ତି । ମାତ୍ର ଏଥିପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ଏହି ଗରିବ ପିତାମାତା ଶିଶୁଟିର ଚିକିତ୍ସା କରାଇ ନ ପାରି ଭାଗ୍ୟକୁ ଆଦରି ଗାଁରେ ପଡିରହିଛନ୍ତି । ଶିଶୁ ପୁତ୍ରଟିର ଚିକିତ୍ସା ପାଇଁ ଅନ୍ୟ କୌଣସି ଉପାୟ ନ ଥିବାରୁ କେବଳ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଏହି ଗରିବ ପରିବାର । ସ୍ଥାନୀୟ ପ୍ରଶାସନ କିମ୍ବା କୌଣସି ସ୍ବେଛାସେବୀ ସଂଗଠନ ଏଥିପାଇଁ ସହାୟତାର ହାତ ବଢ଼ାଇଲେ ଶିଶୁ ପୁତ୍ରଟିର ଜୀବନ ରକ୍ଷା କରାଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।।

Comments (0)
Add Comment