ସୁନ୍ଦରଗଡ଼ ଜିଲ୍ଲାରେ ଘର ଘର ବୁଲି ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି ରାପିଡ୍ ରେସପନ୍ସ ଟିମ୍

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ହୋମ ଆଇସୋଲେସନରେ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟବସ୍ଥା ନିୟମିତ ଅନୁଧ୍ୟାନ କରିବା ପାଇଁ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି। ଏହି ଟିମଗୁଡ଼ିକ ସହର ଓ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି।

ସେମାନେ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କର ଶରୀରର ତାପମାତ୍ରା ମାପିବା, ପଲ୍ସ ଅକ୍ସିମିଟର ସାହାଯ୍ୟରେ ଅମ୍ଲଜାନ ସ୍ତର ରେକର୍ଡ କରିବା, ଜ୍ୱର ଏବଂ ବିଭିନ୍ନ ଲକ୍ଷଣ ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକ ଔଷଧ ଏବଂ ପରାମର୍ଶ ଦେଉଛନ୍ତି। ଯେଉଁମାନଙ୍କର ଅଧିକ ଲକ୍ଷଣ ରହିଛି ସେମାନଙ୍କୁ କୋଭିଡ୍ ଡାକ୍ତରଖାନାକୁ ପଠାଇ ଅଧିକ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଉଛି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଆରଆରଟି କାର୍ଯ୍ୟକୁ ବିଶେଷ ଭାବେ ତ୍ୱରାନ୍ୱିତ କରାଯାଉଛି।

କୋଭିଡ୍ ପଜିଟିଭ୍ ହୋଇ ଘରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି, କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତି ତଥା ବାହାରୁ ଆସିଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନ ଲାଗି ପରାମର୍ଶ ଦିଆଯାଉଛି। ସେମାନଙ୍କର ତାଲିକା ପ୍ରସ୍ତୁତ କରି ନିୟମିତ ଭାବେ ସଂପୃକ୍ତ ରାପିଡ୍ ରେସପନ୍ସ ଟିମ୍ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।



କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଟ୍ରେସିଂ, ଟ୍ରାକିଙ୍ଗ୍ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟ ସୁନିଶ୍ଚିତ କରିବା ଲାଗି ଉଭୟ ସହରାଞ୍ଚଳ ଏବଂ ବ୍ଲକ ସ୍ତରରେ ସ୍ୱତନ୍ତ୍ର ଆରଆରଟି ଗଠନ କରାଯାଇଛି। ପ୍ରତି ଟିମରେ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ କର୍ମୀ, ଲବୋରେଟୋରି ଟେକନିସିଆନ ଓ ପ୍ରଶାସନିକ କର୍ମଚାରୀ ରହିଛନ୍ତି।

ଏହି ଟିମକୁ ସହଯୋଗ କରିବା ଲାଗି ଗ୍ରାମାଞ୍ଚଳମାନଙ୍କରେ ଗାଁ କଲ୍ୟାଣ ସମିତି ଏବଂ ସହରାଞ୍ଚଳ ବସ୍ତିରେ ମହିଳା ଆରୋଗ୍ୟ ସମିତିକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାର ସମସ୍ତ ୧୭ଟି ବ୍ଲକ, ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର, ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏହି ଟିମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ନୋଡାଲ ଅଫିସରମାନଙ୍କୁ ଆରଆରଟିର କାର୍ଯ୍ୟ ନିୟମିତ ତଦାରଖ କରିବା ଲାଗି ଦାୟିତ୍ୱ ଦିଆଯାଇଛି। ଆରଆରଟି ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପ୍ରତିଦିନ ରିପୋର୍ଟ ପ୍ରଦାନ କରାଯାଉଛି।

Comments (0)
Add Comment