ଜନ୍ମଦିନ ରେ ଜୀବନ ହାରିଲେ ଭବାନିପାଟଣା ର ମାନସ ବେହେରା

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି, ଭବାନିପାଟଣା : ଜନ୍ମ ଦିନରେ ଅନେକ କିଛି ଭାବିଥିଲେ, ନିଜେ କାମ କରୁଥିବା ଗ୍ୟାରେଜ୍ ର କର୍ମଚାରୀମାନଙ୍କୁ ପାର୍ଟି ବି ଦେବାର ଥିଲା । ସେପଟେ ଗ୍ୟାରେଜର ସମସ୍ତେ ଅପେକ୍ଷା ବି କରିଥିଲେ । କିନ୍ତୁ ଏହି ସମୟରେ ହିଁ ଘଟିଗଲା ଅଘଟଣ । ଆଉ ଏକ ପିକଅପ୍ ମ୍ୟାଜିକ ଭ୍ୟାନ୍‌ର ଧକ୍କାରେ ଜନ୍ମଦିନ ହିଁ ସାଜିଲା ମୃତ୍ୟୁର ଦିନ । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଧଅଁରାଭଟାଠାରେ ।
 ଆଜି ସନ୍ଧ୍ୟା ସମୟରେ ଭବାନୀପାଟଣା ଥାନା କୁଟ୍ରୁଖମାର ଗାଁର ରାଜକୁମାର ବେହେରାଙ୍କ ପୁଅ ମାନସ ବେହେରା(୨୦) କୌଣସି କାମରେ ବିଶ୍ୱନାଥପୁରରୁ ଲାଞ୍ଜିଗଡ ପଟେ ଏକ ୟାମାହା ବାଇକ୍‌(୧୩୫ ଏପି ୩୬୨୧)ରେ ଯାଉଥିବାବେଳେ ଲାଞ୍ଜିଗଡ ପଟୁ ଆସୁଥିବା ଏକ ପିକଅପ୍ ମ୍ୟାଜିକ ଭ୍ୟାନ୍‌( ଓଡି ୦୮ ଏମ୍ ୫୨୨୮) ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ମୃତ ମାନସଙ୍କ ଆଜି ଜନ୍ମଦିନ ଥିଲା ଓ ଆଜି ସନ୍ଧ୍ୟା ସମୟରେ ଲାଞ୍ଜିଗଡରେ ସେ କାମ କରୁଥିବା ଗ୍ୟାରେଜକୁ ଯାଉଥିଲେ । ଏହି ସମୟରେ ଲାଞ୍ଜିଗଡରୁ କନ୍ୟା ଛାଡି ଲାଞ୍ଜିଗଡରୋଡକୁ ଫେରୁଥିବା ଏହି ପିକଅପ ମ୍ୟାଜିକ ଭ୍ୟାନଟି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ଏ ସଂପର୍କରେ ଖବର ପାଇ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀଙ୍କ ସହିତ ପୁଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ଦୁର୍ଘଟଣା ଘଟାଇଥିବା ପିକଅପ୍ ମ୍ୟାଜିକ୍‌କୁ ଜବତ କରି କାଠଜାଣି ପଦର ଗାଁର ଡ୍ରାଇଭର ମୋହନ ହରିଜନ(୨୯)କୁ ଅଟକ ରଖିଥିବା ଜଣାପଡିଛି । 
ଏ ନେଇ ବିଶ୍ୱନାଥପୁର ଥାନାରେ କେସ୍ ନଂ ୫୩/ ୧୨.୧୨.୨୦୨୦ ଓ ଆଇପିସି ୨୭୯, ୩୦୪ ତଥା ୧୮୧ ମୋଟର ଯାନ ଆଇନ ଅନୁଯାୟୀ ମୋକଦ୍ଦମା ରୁଜୁ କରିଥିବାବେଳେ ଏସ୍‌ଆଇ ବୁଦ୍ଧିରାମ ମାଝୀ ତଦନ୍ତ କରୁଥିବା ସୂଚନା ମିଳିଛି । ସେହିପରି ଘଟଣା ସ୍ଥଳରେ ମୃତକଙ୍କ ପରିବାର ଲୋକେ ପହଞ୍ଚିବା ପରେ ଶବ ବେବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି।
Comments (0)
Add Comment