ଜୁନାଗଡ଼ରୋଡ଼-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଦାବି

କୋଶଲ ନ୍ୟୁଜ୍ ବ୍ୟୁରୋ :- ଲକଡାଉନ ଯୋଗୁଁ ସାରା ଦେଶରେ ରେଳସେବା ଠପ୍ ହୋଇଯାଇଥିଲା । ଧିରେଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ ରେଳ ବିଭାଗ କିଛି ରେଳ ଚଳାଚଳକୁ ଅନୁମତି ପ୍ରଦାନ କରିଛି । କିନ୍ତୁ ଦେଶର ବୃହତ୍ତର ଜନସଂଖ୍ୟା ଓ ସେମାନଙ୍କ ଯାତାୟତର ଚାହିଦା ମେଣ୍ଟାଉଥିବା ଏକମାତ୍ର ରେଳସେବା ଆଜି ବି ସ୍ୱାଭାବିକ ହୋଇପାରିନାହିଁ । ଯାହାର ଫଳ ସାଧାରଣ ଲୋକେ ଭୋଗୁଥିବା ଲକ୍ଷ୍ୟ କରାଯାଇଛି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିମାନସେବା, ବସସେବା ଓ ରେଳସେବାକୁ ସରକାର ଅନୁମତି ପ୍ରଦାନ କରିଥିବାବେଳେ ଏଥିପାଇଁ ବିଭିନ୍ନ ନିୟମ ପାଳନ କରିବାକୁ ସର୍ତ୍ତ ରଖାଯାଇଛି । ତେବେ ଦେଶର ଲାଇଫଲାଇନ୍ କୁହାଯାଉଥିବା ରେଳସେବା ଏବେ ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ଟ୍ରାକକୁ ଫେରିନାହିଁ । ଏହାଦ୍ୱାରା କଳାହାଣ୍ଡି ଭଳି ଜିଲ୍ଲାର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ କରୋନା କଟକଣା ଓ କମ୍ ପାସେଞ୍ଜର ଯୋଗୁଁ ଜିଲ୍ଲାରୁ ବିଭିନ୍ନ ସହର ତଥା ଜିଲ୍ଲା ବାହାରକୁ ସୀମିତ ସଂଖ୍ୟକ ବସ୍ ଚଳାଚଳ କରୁଥିବାବେଳେ ଦୁର୍ଭାଗ୍ୟକ୍ରମେ ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ବିମାନସେବାର କୌଣସି ସୁବିଧା ଉପଲବ୍ଧ ହୋଇନାହିଁ । 
ସେହିପରି ଜିଲ୍ଲାର ଲକ୍ଷଲକ୍ଷ ଲୋକେ ସ୍ୱାସ୍ଥ୍ୟସେବା ପାଇଁ ବ୍ରହ୍ମପୁର, କଟକ, ଭୁବନେଶ୍ୱର ଓ ବିଶାଖାପାଟଣା ଉପରେ ନିର୍ଭର କରୁଥିବାବେଳେ ହଜାରହଜାର ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା ଓ ଇଣ୍ଟରଭ୍ୟୁ ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକ ଉପରେ ନିର୍ଭର କରନ୍ତି । ସେହିପରି ଜିଲ୍ଲାର ଶହଶହ ଲୋକେ କରୋନା କଟକଣା ସତ୍ତ୍ୱେ ଅଫିସ କାର୍ଯ୍ୟ ପାଇଁ ରାଜଧାନୀ ଉପରେ ନିର୍ଭର କରୁଥିବାବେଳେ ଜିଲ୍ଲାକୁ ସଂଯୋଗ କରୁଥିବା ତଥା ଜିଲ୍ଲାର ଏକମାତ୍ର ନିର୍ଭରଯୋଗ୍ୟ ଯାତାୟତର ମାଧ୍ୟମ ଜୁନାଗଡରୋଡ-ଭୁବନେଶ୍ୱର ଏକ୍ସପ୍ରେସ୍ କରୋନା କଟକଣା ପରେ ବନ୍ଦ ରହିଛି । ଫଳରେ ଜିଲ୍ଲାର ଧର୍ମଗଡ ଉପଖଣ୍ଡ ସମେତ ଥୁଆମୂଳରାମପୁର, ଲାଞ୍ଜିଗଡ, ଭବାନୀପାଟଣା ଆଦି ଅଞ୍ଚଳର ଶହଶହ ଲୋକେ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ଯିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା ଦେବାକୁ ଯିବାବେଳେ ସମସ୍ୟା ଭୋଗୁଥିବା ଦେଖାଦେଇଛି ।
ଜିଲ୍ଲାର କେସିଙ୍ଗା ଦେଇ କିଛି ଟ୍ରେନ ଚଳାଚଳ କରୁଥିଲେ ହେଁ ସମଗ୍ର ଜିଲ୍ଲାବାସୀ ସେ ସବୁର ଲାଭ ଉଠାଇ ପାରୁନାହାନ୍ତି । ଏହାକୁ ନେଇ ଜିଲ୍ଲାବ୍ୟାପି ଅସନ୍ତୋଷ ଦେଖା ଦେଇଥିବାବେଳେ ଅନ୍ତତଃ ପକ୍ଷେ ସପ୍ତାହକୁ ଦୁଇଦିନ ଜୁନାଗଡରୋଡ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ରେଳବିଭାଗ ପଦକ୍ଷେପ ନେବାକୁ କଳାହାଣ୍ଡି ଜିଲ୍ଲାବାସୀ ଦାବି ଜଣାଇଛନ୍ତି ।
Comments (0)
Add Comment