ଭବାନୀପାଟଣା ନୂଆ ବସଷ୍ଟାଣ୍ଡରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ଠାବ

କୋଶଲ ନ୍ୟୁଜ୍ ବ୍ୟୁରୋ :  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନୂଆ ବସଷ୍ଟାଣ୍ଡ ଠାରେ ଜଣେ  ଅଜଣା ବ୍ୟକ୍ତିର ମୃତଦେହ ଠାବ କରାଯାଇଛି । ପୋଲିସ ସୂଚନା ଅନୁସାରେ ପ୍ରାଥମିକ ପରିସ୍ଥିତିରେ ରାତିରେ ପ୍ରବଳ ଥଣ୍ଡା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡୁଛି । କିନ୍ତୁ ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଏକ କ୍ଷତଚିହ୍ନ  ଦେଖିବାକୁ ମିଳିଥିବା ସହ ପାଟିରୁ  ଫେଣ ବାହାରିଥିବା ଯୋଗୁଁ  ମୃତ୍ୟୁ ଘଟଣାଟି ସନ୍ଦେହ ଘେରକୁ ଟାଣି ନେଉଛି । ପ୍ରାପ୍ତ  ସୂଚନା ଅନୁଯାୟୀ ମୃତକ ଜଣଙ୍କ ବଲାଙ୍ଗୀର ଜିଲ୍ଲା ବାସୀନ୍ଦା ବୋଲି ଜଣାପଡିଛି ଏବଂ ସାତ ଆଠ ମାସ ହେବ ଭବାନୀପାଟଣା ସହରରେ ବୁଲୁଥିଲେ ।

ତେବେ ଏହି ମୃତ୍ୟୁ ଘଟଣାରୁ ରାତ୍ରି ଆଶ୍ରୟସ୍ଥଳୀର  କାର୍ଯ୍ୟକାରୀତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ଗରିବ ନିରୀହ ବ୍ୟକ୍ତିଙ୍କ ରାତ୍ରିଯାପନ ପାଇଁ  ସହରର ପୁରୁଣାପଡା ଠାରେ ଏକ ରାତ୍ରି ଆଶ୍ରୟସ୍ଥଳୀ ତିଆରି କରିଥିଲେ ମଧ୍ୟ ଏହା ସମ୍ବନ୍ଧରେ ଜନସାଧାରଣରେ କୌଣସି ସୂଚନା ନାହିଁ । କେବଳ କାଗଜ କଲମରେ ପ୍ରଚାର ପ୍ରସାର ଚାଲିଛି । ସ୍ଥାନୀୟ ସଂସ୍ଥାକୁ ଦାୟୀତ୍ବ ଦିଆ ନଯାଇ ତେଲିଆ ମୁଣ୍ଡରେ ତେଲ ସଦୃଶ୍ଯ ବିଶ୍ବ ଜୀବନ ସେବା ସଙ୍ଘ, ଖୋର୍ଦ୍ଧା ର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏଣୁ ଗରୀବ ନିରୀହ ବ୍ୟକ୍ତି ଏହାର ସୁବିଧା ରୁ ବଞ୍ଚିତ ହେଉଛନ୍ତି, ତେଣୁ ପ୍ରଶାସନିକ ଅଧିକାରୀମାନେ ଏହାପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।
Comments (0)
Add Comment