ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲେରୋ -ଜଣେ ମୃତ,୫ ଆହତ

ବରଗଡ଼-ବୋରିଗୁମ୍ମା କୁ ସଂଯୋଗ ହୋଇଥିବା ୨୬ ନମ୍ବର ଜାତୀୟ ରାଜପଥ ସ୍ଥିତ କେସିଙ୍ଗା ଥାନା ଅନ୍ତର୍ଗତ ଅମାଠ୍ ଛକ ନିକଟସ୍ଥ ଶିବ ମନ୍ଦିର ପାଖରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ଼ 5:30 ମିନିଟ ସମୟରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ୫ ଜଣ ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ବ୍ୟକ୍ତିମାନଙ୍କୁ ପ୍ରଥମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ପଶ୍ଚିମ ବଙ୍ଗ ଅଞ୍ଚଳର ହୁସେନ ସେଖ୍ (୩୮) ବୋଲି ଜଣାପଡ଼ିଛି । ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଏମ୍ ଡି ଅହିଦର ଯବାନ (୨୩),ଅନୁମଲ୍କ ସେଖ (୪୦),ସୋଲେମାନ ସେଠ୍ (୩୫),ଅନରୁଦ ଅନ୍ସାରୀ (୩୦), ଓ ଫୈଇଜନ ସେଠ୍ (୩୮) । ଆହତଙ୍କ ମଧ୍ୟରୁ ଏମ୍ ଡି ଅହିଦର ଯବାନ ଓ ଅନରୁଦ ଅନ୍ସାରୀ ଙ୍କ ଅବସ୍ଥା ଗୁରୁତର ରହିଛି । କେସିଙ୍ଗା ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ପଶ୍ଚିମ ବଙ୍ଗ ଅଞ୍ଚଳରୁ ଆସି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳ ରେ ରହି କେନ୍ଦୁପତ୍ର କାମ କରନ୍ତି । କାମ ସାରି ଆଜି ଏକ ବୋଲେରୋ ଗାଡ଼ି (ଓଡି ୧୦ଏଚ ୭୯୧୬) ଯୋଗେ ନିଜ ଅଞ୍ଚଳ କୁ ଯାଉଥିବା ସମୟରେ ଏନ୍ ଏଚ ୨୬ ସ୍ଥିତ କେସିଙ୍ଗା ଥାନା ଅନ୍ତର୍ଗତ ଅମାଠ୍ ଶିବ ମନ୍ଦିର ପାଖରେ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Comments (0)
Add Comment