ହର୍ଷୋଲ୍ଲାସରେ ପାଳିତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି I ଏଥିପାଇଁ କି ଗାଁ କି ସହର ହୋଇଉଠିଥିଲା ଉତ୍ସବ ମୁଖର I ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ ରୋଡ, ମୁଷାନାଳ, ରାମଚନ୍ଦ୍ରପୁର ଓ ଗନ୍ଧରବାରୁଠାରେ ରଥ ଯାତ୍ରା ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି । ଲାଞ୍ଜିଗଡସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରେ ମହାପ୍ରଭୁ ରଥ ଉପରେ ବିରାଜମାନ କରି ଥିଲେ ଓ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ରଥକୁ ଟାଣିଟାଣି ନିଜ ମାଉସୀମା ମନ୍ଦିରକୁ ନେଇଯାଇଥିବା ବେଳେ ଅପରାହ୍ନ ୫.୩୦ ରେ ଶ୍ରୀଜୀଉଙ୍କ ରଥଟଣା ଅନୁଷ୍ଠିତ ହୋଇଥିଲା । ଲାଞ୍ଜିଗଡ ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ସମେତ ନିୟମଗିରି ଅଞ୍ଚଳରେ ରହୁଥିବା ଝରଣିଆ, ଡଙ୍ଗରିଆ କନ୍ଧ ତାଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶଭୂଷାରେ ସଜ୍ଜିତ ହୋଇ ଯାତ୍ରାସ୍ଥଳୀକୁ ଆସିଥିଲେ । ଝିପି ଝିପି ବର୍ଷା ସ୍ୱତେ ମଧ୍ୟ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଏହି ରଥଯାତ୍ରାକୁ ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଜଗନ୍ନାଥ ମନ୍ଦିର କମିଟି ତରଫରୁ ସୁଚାରୁ ରୁପେ ପରିଚାଳନା କରାଯାଇଥିଲା । ସେହିପରି ଲାଞ୍ଜିଗଡ ରୋଡ, ରାମଚନ୍ଦ୍ରପୁର, ଗନ୍ଧରବାରୁ ଓ ମୁଷାନାଳଠାରେ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ପାଳିତ ହୋଇଯାଇଛି । ଲାଞ୍ଜିଗଡ, ବିଶ୍ୱନାଥପୁର, ଶିକେରକୁପା ପୁଲିସ ତରଫରୁ ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ସିଆର୍ପିଏଫ୍ ଜବାନ ସବୁ ଯାତ୍ରାସ୍ଥଳରେ ମୁତୟନ କରାଯାଇଥିବା ବେଳେ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ l

ରିପୋର୍ଟ-ମଳୟ ବେନୁଆଁ(ରାହୁଲ୍)

Comments (0)
Add Comment