ସ୍ୱାମୀ ସ୍ତ୍ରୀଙ୍କ ଗଣ୍ଡଗୋଳ ଛଡାଇବାରୁ ଯାଇ ପଡୋଶୀଙ୍କ ଜୀବନ ଗଲା

କଳାହାଣ୍ଡି : ଗତକାଲି ସ୍ୱାମୀ ସ୍ତ୍ରୀଙ୍କ ଗଣ୍ଡଗୋଳ ଛଡାଇବା ପାଇଁ ଯାଇ ଜଣେ ଯୁବକଙ୍କ ଜୀବନ ଯାଇଛି । ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ମନ୍ଦାରବଗିଚାପଡା ଠାରେ । ଏଠାରେ ରାଜୁ ରଣାଙ୍କ ଘର । ରାଜୁ ରଣା ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିଲା ଝଟାପିଟା ଗଣ୍ଡଗୋଳ । ରାଜୁ ରଣା ଏକ କାଠ ଫାଳିଆରେ ତାଙ୍କ ସ୍ତ୍ରୀଙ୍କୁ ପିଟୁଥିଲେ । ପଡୋଶୀ ରବୀନ୍ଦ୍ରଙ୍କ ଆଖିରେ ଏହା ଗଲା ନାହିଁ । ସେ ରାଜୁଙ୍କୁ ବାରଣ କରିଥିଲେ । ହେଲେ ରାଜୁ ରଣା ରାଗରେ ଅନ୍ଧ ହୋଇଯାଇଥିଲା । ତାହାର କାଠଫାଳିଆ ମାଡ ବସିଥିଲା ରବୀନ୍ଦ୍ରଙ୍କ ମୁଣ୍ଡ ଉପରେ । ଏହା ଫାଟିଯାଇ ଝର ଝର ହୋଇ ରକ୍ତ ବୋହିଥିଲା । ଘଟଣା ସ୍ଥଳରେ ଗୁରୁତର ହୋଇ ରବୀନ୍ଦ୍ର ଟଳି ପଡିଥିଲେ । ଆଖ ପାଖରେ ଥିବା ଲୋକେ ସାଙ୍ଗେ ସାଙ୍ଗେ କଳାହାଣ୍ଡି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଭବାନୀପାଟଣା କୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ରାଜୁ ରଣା ଥାନାରେ ଆତ୍ମ ସମର୍ପଣ କରିଛି । ଘଟଣା ସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।

Comments (0)
Add Comment