କେନ୍ଦ୍ରୀୟ ଅବହେଳାକୁ ନେଇଁ ଜନ ଅସନ୍ତୋଷ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ଷମ ହେଉନି ମୋବାଇଲ ନେଟୱାର୍କ

ଲାଞ୍ଜିଗଡ,୧୪/୦୨(କୋଶଲ ନ୍ୟୁଜ୍):ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆସିଥିବା କେନ୍ଦ୍ରସରକାର ଡିମଡିମା ପିଟୁଥିବା ବେଳେ ବାସ୍ତବିକ ଚିତ୍ର କିନ୍ତୁ ଓଲଟା। ଆଜିବି ଲାଞ୍ଜିଗଡ ବ୍ଲକରେ ଅନେକ ସ୍ଥାନରେ ନିର୍ଦ୍ଦିଷ୍ଟ ଜିଓ କମ୍ପାନୀ ମୋବାଇଲ ନେଟୱାର୍କ ନିର୍ମାଣ କରିଛି ସତ ହେଲେ କିଛି ଗାଁରେ କେବଳ ଫୋନ କଲର ବ୍ୟବସ୍ଥା ହୋଇଥିବା ଯୋଗୁଁ ଲୋକେ ଗଛ ଉପରେ ଚଢ଼ି ନେଟୱାର୍କ ଖୋଜି ଅନଲାଇନ କାମ କରୁଥିବା ଚିତ୍ର ଆଗରୁ ଓ ଏବେ ମଧ୍ୟ ଦେଖିବାକୁ ମିଳୁଛି।ଏଭଳି ସ୍ଥିତିରେ ଲାଞ୍ଜିଗଡ ବ୍ଲକର ପାହାଡ ପଦର, ମାଳିଯୁବାଙ୍ଗ, ଲାଖବାହାଳି,ବେନଗାଁ,ଲାଞ୍ଜି, ବନ୍ଦପାରି ଓ ବେଡ଼ାଗାଁ ଭଲି ଅନେକ ଗୁଡ଼ିଏ ପଞ୍ଚାୟତରେ ନିର୍ଦ୍ଧିଷ୍ଟ ଜିଓ କମ୍ପାନୀ ଜିଓ ନେଟୱାର୍କ ନିର୍ମାଣ କରିଛି କିନ୍ତୁ ଏବେ ଯାଏଁ ଇଣ୍ଟେର୍ନେଟର ବ୍ୟବସ୍ଥା କରାଯିବା ତ ଦୂରର କଥା ଫୋନକଲ ବ୍ୟବସ୍ଥା ମଧ୍ୟ ଠିକ ଭାବରେ ହୋଇପାରିନାହିଁ। ଯାହାଫଳରେ ଲାଞ୍ଜିଗଡ ଉପାନ୍ତ ଅଞ୍ଚଳ ବାସି ବିଭିନ୍ନ ସମୟରେ ଅନେକ ସମସ୍ୟା ଭୋଗୁଛନ୍ତି। ଉପାନ୍ତ ଅଞ୍ଚଳରେ ନେଟୱାର୍କ ସଂଯୋଗ ହେବାନେଇ ଅଞ୍ଚଳ ବାସୀଙ୍କ ମନରେ ହସ ଫୁଟିଥିଲା ହେଲେ ନିର୍ଦ୍ଧାରିତ ସମୟ ଠାରୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ବର୍ତମାନ ସୁଦ୍ଧା ଇଣ୍ଟେର୍ନେଟର ବ୍ୟବସ୍ଥା ହୋଇନାହିଁ କିମ୍ବା ବ୍ଲକର ବିଭିନ୍ନ ଗାଁରେ ଫୋନକଲର ସୁବିଧା ମଧ୍ୟ ହୋଇପାରିନାହିଁ। ଇଣ୍ଟେର୍ନେଟ ବ୍ୟବସ୍ଥା ନ’ଥିବାରୁ ପିଲାଙ୍କ ଅନଲାଇନ ପାଠପଢ଼ା ସମେତ କୌଣସି ଅନଲାଇନ କାର୍ଯ୍ୟ ହୋଇ ପାରୁନାହିଁ। ଯାହାଫଳରେ ଲୋକେ ବିପଦପୂର୍ଣ୍ଣ ଭାବରେ ଗଛଚଢ଼ି ଥା’ନ୍ତି ଓ ଅନଲାଇନ କାମ କରିବାକୁ ପଡ଼ିଥାଏ। ଖାଲି ସେତିକି ନୁହେଁ ନେଟୱାର୍କ ଅସୁବିଧା ଯୋଗୁଁ ଗଛ ଓ ପାହାଡ଼ ଉପରେ ଚଢ଼ିଲେ ମଧ୍ୟ୍ୟ ଠିକ ଭାବରେ ସିଗନାଲ ମଧ୍ୟ ଆସେନାହିଁ। ତେଣୁ ସରକାରୀ କାମରେ ମଧ୍ୟ ନାକେଦମ ହୋଇଥାନ୍ତି ସରକାରୀ କର୍ମଚାରୀ। ତେବେ ଯଥା ଶୀଘ୍ର ଲାଞ୍ଜିଗଡ ଉପାନ୍ତ ଅଞ୍ଚଳରେ ଇଣ୍ଟେର୍ନେଟ ତଥା ଫୋନକଲର ବ୍ୟବସ୍ଥା କରାଯାଉ ବୋଲି ଅଞ୍ଚଳବାସି ଦାବି କରୁଛନ୍ତି ଏବଂ ଚଳିତ ମାସ ମଧ୍ୟରେ ସମସ୍ତ ଜିଓ ଟାୱାରକୁ କାର୍ଯ୍ୟକାରୀ କରି ଫୋନକଲ ଓ ଇଣ୍ଟେର୍ନେଟର ସୁବିଧା ଯଦି ଯୋଗାଇ ଦିଆନ’ଯାଏ ତାହାହେଲେ ରାଜରାସ୍ତାକୁ ଓଲ୍ଲାଇବୁ ନଚେତ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଅଞ୍ଚଳବାସୀ କଡ଼ାଚେତାବନୀ ଦେଇଛନ୍ତି। ତେବେ କେବେ ଅଞ୍ଚଳବାସୀଙ୍କୁ ଇଣ୍ଟେର୍ନେଟ ତଥା ଫୋନ କଲର ସୁବିଧା ଯୋଗାଇ ଦିଆ ଯାଉଛି ତାହା ଦେଖିବାକୁ ବାକିରହିଲା।

ରିପୋର୍ଟ – ମଳୟ ବେନୁଆଁ (ରାହୁଲ୍)

Comments (0)
Add Comment