କଳାହାଣ୍ଡିରେ ଯୋଜନା ମାଳ ମାଳତଥାପି ୪୭.୨୮% ଦରିଦ୍ର

ଭବାନୀପାଟଣା – (ସୁରେଶ ଚନ୍ଦ୍ର ସାହୁ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାକୁ ‌ସବୁବେଳେ ଫୋକସରେ ରଖୁଛନ୍ତି । ଜିଲ୍ଲାର ବିକାଶ ପାଇଁ ମାଳମାଳ ଯୋଜନା କରିଛନ୍ତି । ସବୁ ଯୋଜନାର ମୂଳ ଲକ୍ଷ୍ୟ ଜିଲ୍ଲାବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା । ହେଲେ ଯେତିକି ବିକାଶ ହେବା କଥା ଆଜି ବି ହୋଇ ପାରି ନଥିବା ନିତି ଆୟୋଗର ୨୦୨୧ ମସିହା ତଥ୍ୟରୁ ଏକପ୍ରକାର ସ୍ପଷ୍ଟ ହୋଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର ଦାରିଦ୍ରତା ହାର ୪୭.୨୮% ଦର୍ଶାଯାଇଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ୧୯୯୨ ମସିହା ବିପିଏଲ୍ ଜନଗଣନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ୮୫.୭୭% ପରିବାର ଦାରିଦ୍ର ସୀମାରେଖା ତଳେ ଥିଲେ । ୧୯୯୭ ମସିହାରେ ଏହା ହ୍ରାସ ପାଇ ୬୨.୭୧%ରେ ପହଂଚିଥିଲା । ନିତି ଆୟୋଗର ୨୦୨୧ ମସିହା ରିପୋର୍ଟ ଅନୁଯାୟୀ ବିଭିନ୍ନ ଦିଗରୁ ଦାରିଦ୍ର ସୂଚକାଙ୍କରେ ନବରଙ୍ଗପୁର ଜିଲ୍ଲା ୫୯.୩୨%, ମାଲକାନଗିରି ୫୮.୭୧%, କୋରାପୁଟ ୫୧.୧୪%, ରାୟଗଡା ୪୮.୧୪%, କଳାହାଣ୍ଡି ୪୭.୨୮%, ମୟୂରଭଞ୍ଜ ୪୪.୯%, କନ୍ଧମାଳ ୪୪.୭୫% ଓ କେନ୍ଦୁଝର ଜିଲ୍ଲା ଖଣିଜ ସଂପଦରେ ଭରପୂର ଥାଇ ମଧ୍ୟ ୪୧.୭୮% ରହିଛି । କଳାହାଣ୍ଡି ଜିଲ୍ଲା ଆକାଂକ୍ଷୀ ଜିଲ୍ଲାରେ ସାମିଲ ହୋଇଥିଲେ ମଧ୍ୟ ୩୯.୭% ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ଜିଲ୍ଲାର ତିନି ଚତୁର୍ଥାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଦାଦନ ସମସ୍ୟା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । କୃଷି ଦ୍ବାରା ପର୍ଯ୍ୟାପ୍ତ ରୋଜଗାର ଓ ସୁଯୋଗ ମିଳିପାରୁ ନଥିବା ଯୋଗୁଁ ବହୁମାତ୍ରାରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି ।

୧୯.୫% ମହିଳା ପ୍ରସୂତିଜନିତ ସ୍ବାସ୍ଥ୍ୟ ସେବା ପାଇପାରୁ ନାହାନ୍ତି । ସେହିଭଳି ୫ ପ୍ରତିଶତ ଶିଶୁ ସ୍କୁଲକୁ ଯିବା ପାଇଁ ସୁବିଧା ପାଉନାହାନ୍ତି । ଜିଲ୍ଲାର ପ୍ରାୟ ୩ ପ୍ରତିଶତ ଲୋକ ବିଜୁଳି ସେବାରୁ ବଂଚିତ ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ସାକ୍ଷରତା ହାର ୫୯.୨ ପ୍ରତିଶତ ଥିବା ବେଳେ ପୁରୁଷ ସାକ୍ଷରତା ହାର ୭୧.୯ ପ୍ରତିଶତ ଓ ମହିଳା ସାକ୍ଷରତା ହାର ୪୬.୭ ପ୍ରତିଶତ । ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କିକିଆ ପିଡିଏସ ଚାଉଳ ଯୋଗୁଁ ଦାରିଦ୍ର ହ୍ରାସ ପାଇଥିଲେ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିରେ ବାଧକ ସାଜିଛି । ଏବେ ମଧ୍ୟ ଜିଲ୍ଲାର ପ୍ରାୟ ୫ଶହରୁ ଅଧିକ ଗାଁକୁ ରାସ୍ତା ନଥିବା ଯୋଗୁଁ ସରକାରଙ୍କ ଯୋଜନା ବାଟବଣା ହେବାରେ ଲାଗିଛି ।‌ ସେହିଭଳି ଉଦ୍ୟୋଗ ଏବଂ ଶିଳ୍ପଭିତିକ ଅଭିବୃଦ୍ଧି ହେଉ ନଥିବାରୁ ଯୁବକମାନେ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଗୋଟିଏ ପଟେ କଳାହାଣ୍ଡି ଜିଲ୍ଲାରେ କୃଷି, ଜଙ୍ଗଲ ଓ ଖଣି ସଂପଦରେ ଭରପୁର ଥିଲେ ମଧ୍ୟ ଏହାର ଉପଯୋଗିତା ଅଭାବ ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ଓ ମୁଣ୍ଡପିଛା ଆୟ ବୃଦ୍ଧିରେ ବାଧକ ସାଜିଛି । ଇନ୍ଦ୍ରାବତୀ ପ୍ରକଳ୍ପ‌ ପରେ ଧର୍ମଗଡ଼ ଉପଖଣ୍ଡ ଜଳସେଚିତ ହୋଇଥିବା ବେଳେ ଏବେ ମଧ୍ୟ ଭବାନୀପାଟଣା ଉପଖଣ୍ଡର ଥୁଆମୂଳ ରାମପୁର, ଲାଞ୍ଜିଗଡ଼ ଓ ମଦନପୁର ରାମପୁର ଅଂଚଳରେ ଅନିୟମିତତା ବର୍ଷା କୃଷିକୁ ପ୍ରଭାବିତ କରିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲାକୁ ପାଇପ୍ ଲାଇନ ହୋଇ ଆସୁଥିବା ବେଳେ ଏହାର କାର୍ଯ୍ୟକାରିତା ଓ ଦୁର୍ନୀତି ଯୋଗୁଁ ବିକାଶ ବାଟବଣା ହେବାରେ ଲାଗିଛି ।

Comments (0)
Add Comment