ଲକଡାଉନ୍ ବେଳେ ରାଉରକେଲାର ବିଭିନ୍ନ ୱାର୍ଡରେ ଆଳୁ ଓ ପିଆଜ ପହଞ୍ଚାଉଛନ୍ତି ମିଶନ ଶକ୍ତିର ମହିଳା

ଲକଡାଉନ୍ ସମୟରେ ସହରର ବିଭିନ୍ନ ଦୋକାନରେ ଭିଡ଼ କମାଇବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଲୋକଙ୍କୁ ଉତ୍ସାହିତ କରାଯାଉଛି। ସହରର ସମସ୍ତ ୪୦ଟି ୱାର୍ଡର ଲୋକଙ୍କ ଘର ପାଖରେ ଆଳୁ, ପିଆଜ ପହଞ୍ଚାଇବା ଲାଗି ନିଗମ ସହଯୋଗରେ ଅଣ୍ଟା ଭିଡ଼ିଛନ୍ତି ମିଶନ ଶକ୍ତିର ମା’ମାନେ।

ସହରର ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗାଡ଼ିରେ ଆଳୁ, ପିଆଜ ନେଇ ବିଭିନ୍ନ ୱାର୍ଡରେ ବିକ୍ରି କରୁଛନ୍ତି। ଫଳରେ ଲୋକମାନେ ବିଭିନ୍ନ ଦୋକାନରେ ଯାଇ ଭିଡ଼ ନକରି ଏହି ଗାଡ଼ି ପାଖରୁ ଆଳୁ, ପିଆଜ ନେଉଛନ୍ତି। ଆଳୁ, ପିଆଜ ଆଗୁଆ ପ୍ୟାକେଟ ହୋଇ ବିକ୍ରି କରାଯାଉଛି। ମା’ମାନେ ବଜାରରୁ ଜିନିଷ କିଣି ତା’ ଉପରେ ମାତ୍ର ଗୋଟିଏ ଟଙ୍କା ରଖି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଏହି କାରବାର ସମୟରେ କୋଭିଡ୍ ନିୟମ ପାଳନ ଉପରେ ଜୋର୍ ଦିଆଯାଉଛି।

‘‘କୋଭିଡ୍ ସଂକ୍ରମଣ ଚେନ୍ କାଟିବା ଲାଗି ଲକଡାଉନ୍ ଲାଗୁ କରାଯାଇଛି। ତେଣୁ ଜନସାଧାରଣ ଲକଡାଉନ୍ ନିୟମ ପାଳନ କରି ଘରେ ରହନ୍ତୁ। ଅତି ଆବଶ୍ୟକ ନଥିଲେ କେହି ଘରୁ ବାହାରକୁ ଆସନ୍ତୁ ନାହିଁ। ଲୋକଙ୍କ ସୁବିଧା ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଘର ପାଖରେ ଆଳୁ, ପିଆଜ ଭଳି ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି’’, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱତନ୍ତ୍ର ଗାଡ଼ି କରି ବିଭିନ୍ନ ୱାର୍ଡକୁ ଯାଇ ଆଳୁ, ପିଆଜ ବିକ୍ରି କରୁଛନ୍ତି। ଏହିପରି ୯ଟି ଗାଡ଼ି ବର୍ତ୍ତମାନ ରାଉରକେଲାରେ ଚାଲିଛି। ଏହି ପରିବହନ ବାବଦରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ କରୁଥିବା ଖର୍ଚ୍ଚକୁ ରାଉରକେଲା ମହାନଗର ନିଗମ ବହନ କରୁଛି।

ସେହିପରି ମହାନଗର ନିଗମ ପକ୍ଷରୁ ସଂପୃକ୍ତ ଗୋଷ୍ଠୀମାନଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ପ୍ରତି କିଲୋଗ୍ରାମ ଆଳୁ, ପିଆଜ ପିଛା ନିଗମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ଟଙ୍କା ଦେଉଛି।

କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ ଲକଡାଉନ ଘୋଷଣା କରିଛନ୍ତି। ତେବେ ସୋମବାରରୁ ଶୁକ୍ରବାର ସକାଳ ୬ଟାରୁ ଦିନ ୧୨ଟା ମଧ୍ୟରେ ଘର ନିକଟରେ ଥିବା ଦୋକାନରୁ ଗ୍ରୋସରି ଓ ପନିପରିବା କିଣିବା ଲାଗି ଅନୁମତି ରହିଛି। କିନ୍ତୁ ଲୋକମାନେ ବାରମ୍ବାର ଜିନିଷ କିଣିବା ପାଇଁ ବାହାରକୁ ନଯିବାକୁ ପ୍ରଶାସନ ନିବେଦନ କରିଛି। ତା’ବଦଳରେ ହୋମ୍ ଡେଲିଭରି ମାଧ୍ୟମରେ ଜିନିଷ କିଣିବା ଲାଗି ବ୍ୟବସ୍ଥା କରାଯାଉଛି। ଏଭଳି ସ୍ଥିତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ପଦକ୍ଷେପ ବିଶେଷ ସହାୟକ ହେବ।

Comments (0)
Add Comment