ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଠାରୁ ସିନ ବାହେଲି ଭାୟା ଡୁଙ୍ଗରି ପାଲି ପର୍ଯ୍ୟନ୍ତ ୨୦୧୯ ରେ ନିର୍ମିତ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମରାମତି ଅଭାବରୁ ମରଣ ଯନ୍ତା ପାଲଟିଥିବା ଲୋକେ ଅଭିଯୋଗ କରିଛନ୍ତି।ମୋଟ ୪.୪୦୦କି ମି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୩.୯୩୧ କି ମି ପିଚୁ କରାଯାଇଛି।ଏଥିପାଇଁ ଅଟକଳ ମୂଲ୍ୟ ୧୬୫.୦୨ଲକ୍ଷ ଟଙ୍କା ଥିବା ବେଳେ ରକ୍ଷଣାବେକ୍ଷଣ ପାଇଁ ୧୩.୮୨ଲକ୍ଷ ଟଙ୍କା ରହିଅଛି।୩୧/୦୭/୨୦୨୩ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ସମୟ ଅବଧି ରହିଅଛି।ଲାଠୋର(ବଲାଙ୍ଗୀର)ର ଠିକାଦାର ଅର୍ଜ୍ଜୁନ ଅଗ୍ରୱାଲ ଏହି ରାସ୍ତା ନିର୍ମାଣ କରିଥିବା ବେଳେ ଆଉ ମରାମତି କରୁନାହାନ୍ତି।ରାସ୍ତା ସାରା ଖାଲ ଖମାଲ ହୋଇ ଯାଇଥିବା ବେଳେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।ଏହି ରାସ୍ତାଟି ତୁକଲା ସହ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି ଆଦିକୁ ଯୋଡ଼ା ଯାଇଥବା ସତ୍ତ୍ୱେ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ପରିତାପର ଵିଷୟ ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି।
ଏନେଇ ବିଭାଗୀୟ ଏସ ଡି ଓ ତ୍ରିଭୁବନ କହଁରଙ୍କୁ ପଚାରିବାରୁ ତାଙ୍କୁ ଚିଠି କରାଯାଇଛି, ଯଦି ଶୀଘ୍ର ସେ ମରାମତି କାର୍ଯ୍ୟ ଆରମ୍ଭ ନ କରନ୍ତି ରକ୍ଷଣାବେକ୍ଷଣ ଅର୍ଥ ବ୍ୟାଜପ୍ତି କରାଯାଇ ଅନ୍ୟ ଠିକାଦାରଙ୍କ ଜରିଆରେ କରାଯିବ ବୋଲି କହିଥିଲେ।ଅନ୍ୟ ପକ୍ଷରେ ତ୍ୱରିତ ମରାମତି ନହେଲେ ଓ କୌଣସି ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଲେ ବିଭାଗୀୟ କର୍ମକର୍ତ୍ତା ଦାୟୀ ରହିବେ ଓ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ପୂର୍ବତନ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ଦାଶ ଚେତାବନୀ ଦେଇଛନ୍ତି।