ଭିମସାରର ପ୍ରଥମ ବ୍ଲାକଫଙ୍ଗସ୍‌ ରୋଗୀ! କର୍ଣ୍ଣ, ନାଶା ଓ ଗଳା ବିଭାଗରେ ହେଲା ଅସ୍ତ୍ରୋପଚାର

ବୁର୍ଲା: ବୁର୍ଲା ଭିମସାରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଏହା ମଧ୍ୟରେ ଭିମସାରର କରୋନା ଚିକିତ୍ସା ମଧ୍ୟରେ ସାଧାରଣ ରୋଗୀଙ୍କ ଚିକିତ୍ସା ପ୍ରଭାବିତ ହେଉଛି। ଭିମସାରକୁ ଜଣେ ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ଗୁଜରାଟ ଫେରନ୍ତା ବ୍ୟକ୍ତି ଆସି ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଉକ୍ତ ୫୦ ବର୍ଷ ବୟସ୍କ ବ୍ୟକ୍ତିଜଣକ ବରପାଲି ନିକଟ ଅଞ୍ଚଳର ହୋଇଥିବା ବେଳେ ୧୫ ଦିନ ତଳେ ଗୁଜୁରାଟରୁ ଫେରିବା ସମୟରେ ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ରୋଗୀଙ୍କ ନାକର ଗୋଟିଏ ପାର୍ଶ୍ବରେ ଏହି ବ୍ଲାକ ଫଙ୍ଗସ ହୋଇଥିବା ବେଳେ ଅସ୍ତ୍ରୋପ୍ରଚାର କରାଯାଇ ଉକ୍ତ ଅଂଶକୁ କାଢ଼ି ଦିଆ ଯାଇଥିବା କର୍ଣ୍ଣ, ନାସା ଓ ଗଳା ବିଭାଗୀୟ ମୁଖ୍ୟ ପ୍ରଫେସର ସୌଭାଗିନୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ପରେ ସଂକ୍ରମଣ ଅନ୍ୟକୁ ବ୍ୟାପିବା କୌଣସି ଆଶଙ୍କା ନଥିବା ପ୍ରଫେସର ଆଚାର୍ଯ୍ୟ କହିଛନ୍ତି।କୋଭିଡ ମଧ୍ୟରେ ଭିମସାରରେ ଏହା ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ। ଜଣକର କୌଣସି କାରଣବଶତଃ ପ୍ରତିରୋଧକ ଶକ୍ତି କମ ରହିଥିଲେ ଏହି ରୋଗ ହୋଇଥାଏ ବୋଲି ଜଣାପଡ଼ିଛି। ବିଶେଷକରି ବିଭିନ୍ନ ରୋଗ କାରଣରୁ ପ୍ରତିରୋଧକ ଶକ୍ତି କମିଗଲେ ଏହି ରୋଗରେ ରୋଗୀ ପୀଡ଼ିତ ହେଉଥିବା ଭିମସାର ପକ୍ଷରୁ ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ବ୍ୟକ୍ତିଜଣକ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ତାଙ୍କ ବନ୍ଧୁମାନେ ଡାକ୍ତରଙ୍କୁ କହିଥିବା ଜଣାପଡ଼ିଛି।

Comments (0)
Add Comment