ରାଜ୍ୟରେ ପର୍ଯ୍ୟାପ୍ତ ଅଛି ଔଷଧ, ଟିକା, ଅମ୍ଳଜାନ ଓ ଶଯ୍ୟା

ଭୁବନେଶ୍ବର: ରାଜ୍ୟରେ କରୋନା ସଙ୍କଟ ଏଡ଼ାଇବା ପାଇଁ ଅତ୍ୟାବଶ୍ୟକ ଫାବିପିରାଭିର ଔଷଧ ସାଙ୍ଗକୁ ରେମଡିସଭିର ଟିକା ପର୍ଯ୍ୟାପ୍ତ ପରିମାଣର ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୬ଲକ୍ଷ ୬୯ହଜାର ୬୦୩ ଫାବିପିରାଭିର ଔଷଧ ରହିଛି। ଦୈନିକ ୪୫୦୦ରୁ ୫ହଜାର ପର୍ଯ୍ୟନ୍ତ ଔଷଧ ରୋଗୀଙ୍କ ପାଇଁ ବ୍ୟବହୃତ ହେଉଛି। ଏହାବାଦ୍ ୨୦ଲକ୍ଷ ଔଷଧ ସଂଗ୍ରହ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ସେହିପରି ରାଜ୍ୟରେ କରୋନା ପାଇଁ ଦିଆଯାଉଥିବା ରେମଡିସିଭିର ଟିକା ୪୯ହଜାର ୭୩୭ ଶିଶି ରହିଛି। ଏବେ ଦିନକୁ ୧୦୦୦ ଶିଶି ବ୍ୟବହୃତ ହେଉଥିବାବେଳେ ସରକାର ଆଉ ୩ଲକ୍ଷ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସେହିପରି ରାଜ୍ୟରେ ଆବଶ୍ୟକ ତୁଳନାରେ ପର୍ଯ୍ୟାପ୍ତ ଅମ୍ଳଜାନ ରହିଛି। ଏବେ ୫ଟି କାରଖାନାରୁ ଅମ୍ଳଜାନ ଉତ୍ପାଦନ ହେଉଥିବା ବେଳେ ଆଗାମୀ ୧୫ଦିନ ମଧ୍ୟରେ ଆଉ ୨ଟି ପୁରୁଣା କାରଖାନାର ପୁନରୁଦ୍ଧାର କରାଯାଇ ଅମ୍ଳଜାନ ଉତ୍ପାଦନକ୍ଷମ କରାଯିବ ବୋଲି ଶିଳ୍ପବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଶ୍ରୀ ଶର୍ମାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଅନୁଗୋଳସ୍ଥିତ ଜେଏସପିଏଲ୍, ଢେଙ୍କାନାଳସ୍ଥିତ ଟାଟା ଷ୍ଟିଲ୍ ଭୂଷଣ ଲିମିଟେଡ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ , ଜେଏସ୍ଏଲ୍ କଳିଙ୍ଗନଗର ଓ ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟରୁ ଦୈନିକ ୩୫୦ ଟନ୍ ଅମ୍ଳଜାନ୍ ଉତ୍ପାଦନ ହେଉଛି। ୩୦୦ରୁ ୩୫୦ ଟନ୍ ପର୍ଯ୍ୟନ୍ତ ଅମ୍ଳଜାନ୍ ସଂରକ୍ଷିତ ହୋଇ ପାରୁଛି। ସଂପ୍ରତି କରୋନା ପାଇଁ ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ ଉତ୍ପାଦନ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ‘ଆଧୁନିକ ଷ୍ଟିଲ ପ୍ଲାଣ୍ଟ’ ଓ ‘ଏନଆଇଏନଏଲ୍ ଷ୍ଟିଲ ପ୍ଲାଣ୍ଟ’କୁ ପୁନରୁଦ୍ଧାର କରିବାକୁ ଯୋଜନା ରଖିଛନ୍ତି। ଏହି କାର୍ଯ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

ରାଜ୍ୟରେ ଏବେ ଦୈନିକ ୩୦ରୁ ୫୦ ଟନ୍ ପର୍ଯ୍ୟନ୍ତ ଅମ୍ଳଜାନର ଆବଶ୍ୟକ ହେଉଛି। ଯେତିକି ଅମ୍ଳଜାନ ଉତ୍ପାଦନ ହେଉଛି ବର୍ତ୍ତମାନ ପରିପ୍ରେକ୍ଷୀରେ ପର୍ଯ୍ୟାପ୍ତ। ଆଗାମୀ ଦିନରେ ରୋଗୀଙ୍କ ହାର କାଳେ ବଢ଼ିବ ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ କାରଖାନାକୁ ଉତ୍ପାଦନକ୍ଷମ କରିବାପାଇଁ ଉଦ୍ୟମ ଚାଲିଛି। ରାଜ୍ୟରେ ଅମ୍ଳଜାନ୍ ସଙ୍କଟର କୌଣସି ସମ୍ଭାବନା ଏବେ ନାହିଁ ବୋଲି ଶ୍ରୀ ଶର୍ମା ସ୍ପଷ୍ଟ କରିଛନ୍ତି। ବିଭିନ୍ନ ରାଜ୍ୟରେ ଅମ୍ଳଜାନ ପାଇଁ ଦେଖା ଦେଇଥିବା ସଙ୍କଟଜନକ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗର ହାତ ବଢାଇଛନ୍ତି। ବିଶେଷ କରି ଦେଶର ୬ଟି ରାଜ୍ୟ ଦିଲ୍ଲୀ, ମହାରାଷ୍ଟ୍ର, ତେଲଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ର ଓ ବିହାରକୁ ନିରନ୍ତର ଭାବରେ ଅମ୍ଳଜାନ ପଠାଇବା ପାଇଁ ସରକାର ବନ୍ଦୋବସ୍ତ କରିଛନ୍ତି ।

Comments
Loading...