ବିଶିଷ୍ଟ ଶ୍ରମିକ ନେତା ତଥା ଆଇନଜୀବୀ ଏବଂ ଗରୀବ ମଣିଷ ର ସାଥୀ ଏନ୍ ଅହମ୍ମଦ ଙ୍କ ସ୍ମୃତି ରେ ଜୟପୁର ଠାରେ ସ୍ମୃତି ସଭା

ଆଜି ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ବିଶିଷ୍ଟ ଶ୍ରମିକ ନେତା ତଥା ଆଇନଜୀବୀ ଏବଂ ଗରୀବ ମଣିଷ ର ସାଥୀ ନବରଙ୍ଗପୁର ର ଏନ୍ ଅହମ୍ମଦ ଙ୍କ ସ୍ମୃତି ରେ ଏକ ସ୍ମୃତି ସଭା ସିଟି କୋଅର୍ଡିନେସନ୍ କମିଟି ଅଫ୍ ୟୁନିଅନସ୍ ଏଣ୍ଡ ଏସୋସିଏସୱନ୍ସ୍ ର ଉପ ସଭାପତି ଶ୍ରୀ ଭାଗିରଥି ରେଡ୍ଡୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭ ରେ ସମସ୍ତେ ଗତାୟୁ ସାଥୀ ଏନ୍ ଅହମ୍ମଦ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ଏବଂ ତାପରେ ତାଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହି ସଭାରେ ସ୍ମୃତି ଚାରଣ କରି ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି କହିଥିଲେ ଯେ ଗତାୟୁ ସାଥୀ ଏନ୍ ଅହମ୍ମଦ ଙ୍କୁ ଜୟପୁର ଠାରେ ଏକ ମାତ୍ର କାଗଜ କଳ ସେବା ପେପର୍ ମିଲ୍ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରି ଚାଲିଥିବା ଆନ୍ଦୋଳନରେ ପ୍ରଥମେ ଜୟପୁର ଠାରେ ସାକ୍ଷାତ ହୋଇଥିଲା । ଏହାପରେ ବିଶ୍ୱ ଶ୍ରମିକ ଦିବସ ଏବଂ ଅନେକ ଶ୍ରମିକ ଆନ୍ଦୋଳନ ରେ ତାଙ୍କ ସହ ବାରମ୍ବାର ସାକ୍ଷାତ ହୋଇଛି । ସେ ବିଶେଷ କରି ଇନ୍ଦ୍ରାବତୀ ଜଳସେଚନ ଯୋଜନା ରେ ବୁଡି ଅଞ୍ଚଳର ଲୋକମାନଙ୍କ ସମସ୍ୟା ସମାଧାନ ପାଇଁ ଲଗାତାର ଆନ୍ଦୋଳନ କରିଥିଲେ । ଇନ୍ଦ୍ରାବତୀ ବୁଡି ଅଞ୍ଚଳର ଲୋକମାନଙ୍କ ସମସ୍ୟା ସମାଧାନ ପାଇଁ ଲଗାତାର ଆନ୍ଦୋଳନ କରିବାରେ ଏବଂ ଲୋକ ଙ୍କ ସମସ୍ୟା କୁ ସବୁ କ୍ଷେତ୍ରରେ ଲୋକ ଲୋଚନକୁ ଆଣିବା ଯୋଗୁଁ ତାଙ୍କ ଉପରେ ନାମ ଉଲ୍ଲେଖ କରି ବ୍ରିଟେନର ଗବେଷକ କାଥେରିନ୍ କାଓଫିଲ୍ଡ୍ ତାଙ୍କର ବହି ଦି ୱ।ର୍ଲ୍ଡ୍ ବ୍ୟାଙ୍କ ଏଣ୍ଡ୍ ଦି ପୋଭର୍ଟି ଅଫ୍ ନେସନ୍ସ୍ ବହିରେ ପ୍ରକାଶ କରିଛନ୍ତି କିଭଳି ଆଧୁନିକ ଯୁଗର ବିକାଶ ପାଇଁ ଗରୀବ ମଣିଷ ର ସ୍ୱାର୍ଥ ଜୀବନ ଜୀବିକା ବିପନ୍ନ ହୋଇଛି। ଉମରକୋଟ ମୈଦଲପୁର୍ ଅଞ୍ଚଳର ଆଦିବାସୀମାନଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ସେ ଲଢେଇ କରି ଥିଲେ । ଉମରକୋଟ ନବରଙ୍ଗପୁର ଅଞ୍ଚଳର ଆଦିବାସୀମାନଙ୍କ ସମସ୍ୟା ଉପରେ ବାରମ୍ବାର ଲଢେଇ ଫଳରେ ଆଦିବାସୀ କମିଶନର ଗୋପବନ୍ଧୁ ପଟ୍ଟନାୟକ କମିଟି ତାଙ୍କର ରିପୋର୍ଟ ନେଇଥିଲେ ଏବଂ ତାକୁ ଜାତୀୟ କମିଶନ ବି ଡି ଶର୍ମା କମିଶନ କୁ ପଠାଇଥିଲେ ଯାହା ପରବର୍ତ୍ତୀ ସମୟରେ ଆଦିବାସୀ ଙ୍କ ଜଙ୍ଗଲ ଜମି ଅଧିକାର ଆଇନ ପାଇଁ ସହାୟକ ହୋଇଥିଲା ।


ସାଥୀ ଏନ୍ ଅହମ୍ମଦ ନବରଙ୍ଗପୁର ଜିଲ୍ଲାର ପ୍ରାୟ ପ୍ରତ୍ୟେକ ଶ୍ରମିକ ସଂଗଠନ ସହ ଜଡ଼ିତ ଥିଲେ। ମୋଟର ୱର୍କର୍ସ ୟୁନିଅନ, ମଙ୍ଗଳମ୍ ଟିମ୍ବର୍ସ ୟୁନିଅନ, ରିକ୍ସା ୟୁନିଅନ, ଖଲାସି ସଂଘ, ଆଦିବାସୀ ଦଳିତ ସଂଗଠନ , ଏବଂ ମାଲକାନଗିରି ଆଦିବାସୀ ସଂଘ ର ଉପଦେଷ୍ଟା ସହ ରାଜ୍ୟ ଗଣତାନ୍ତ୍ରିକ ଅଧିକାର ସଂଗଠନ ର ଉପସଭାପତି ମଧ୍ୟ ରହିଥିଲେ । ସବୁଠାରୁ ଉଲ୍ଲେଖନୀୟ କଥା ହେଲା ସେ ତାଙ୍କ ଦାଦା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀ ସାହେବ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗାନ୍ଧୀବାଦୀ ଭାବେ ଆମିଷ ଭକ୍ଷଣ ଆଜୀବନ ପରିତ୍ୟାଗ କରିଥିଲେ । ଆଜି ର ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ଯୁଧିଷ୍ଟିର ରାଉଳ, ସହ ସମ୍ପାଦକ ରାମକୃଷ୍ଣ ଦାସ, ଯୁବ ସଂଘ ର ନନ୍ଦ ହରିଜନ, ତିରୁପତି ମାଳୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।

Comments
Loading...